ଦୁବାଇ: ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଫେବ୍ରୁଆରୀ ମାସର ଆଇସିସିର ଶ୍ରେଷ୍ଠ ଖେଳାଳି ପୁରସ୍କାର ବିଜେତା ହୋଇଛନ୍ତି । ମଙ୍ଗଳବାର ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଘୋଷଣା କରିଛି । ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍, ୱେଷ୍ଟଇଣ୍ଡିଜର କେଲ ମେୟର୍ସଙ୍କୁ ପଛରେ ପକାଇ ଅଶ୍ବିନ ଫ୍ରେବ୍ରୁଆରୀ ମାସ ପାଇଁ 'ଆଇସିସି ପ୍ଲେଆର ଅଫ ଦ ମନ୍ଥ' ହୋଇଛନ୍ତି । ସଦ୍ୟ ସମାପ୍ତ ହୋଇଥିବା ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଅଶ୍ବିନ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଥିଲେ ।
34 ବର୍ଷୀୟ ଅଶ୍ବିନ, ଇଂଲଣ୍ଡ ବିପକ୍ଷ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସର୍ବାଧିକ 32ଟି ୱିକେଟ ହାସଲ କରିଥିଲେ । ଏଥିସହ ଚେନ୍ନାଇ ଟେଷ୍ଟରେ ମ୍ୟାଚ ବିଜୟୀ ଶତକୀୟ ଇଂନିସ ମଧ୍ୟ ଖେଳିଥିଲେ । ଇଂଲଣ୍ଡ ବିପକ୍ଷରେ 3-1ରେ ସିରିଜ ବିଜୟୀ ହେବାରେ ପ୍ରମୁଖ ଭୁମିକା ନିଭାଇଥିଲେ ।
ଅନ୍ୟପଟେ ଇଂଲଣ୍ଡ ଓପନର ଟମ୍ମି ବିୟୁମୋଣ୍ଟ ଫ୍ରେବ୍ରୁଆରୀ ମାସର ଶ୍ରେଷ୍ଠ ଆଇସିସି ଖେଳାଳି ହୋଇଛନ୍ତି । ଫେବ୍ରୁଆରୀ ମାସରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ 3ଟି ଦିନିକିଆ ମ୍ୟାଚ ଖେଳିଥିବାବେଳେ, ସମସ୍ତ ମ୍ୟାଚରେ ଅର୍ଦ୍ଧଶତକୀୟ ଇଂନିସ ସହ ମୋଟ 231 ରନ କରିଥିଲେ । ସାଥୀ ଖେଳାଳି ନାଟାଲିଏ ସ୍କିଭର ଓ ନ୍ୟୁଜିଲାଣ୍ଡର ବ୍ରୁକ ହାଲିଡେଙ୍କୁ ପଛରେ ପକାଇ ବିୟୁମୋଣ୍ଟ ଏହି ଆୱାର୍ଡ ହାତେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ