ଲଣ୍ଡନ: ସମ୍ମାନଜନକ ଆସେସ ସିରଜର 5ମ ତଥା ଅନ୍ତିମ ମ୍ୟାଚକୁ 135ରନରେ ଜିତି ନେଇଛି ଘରୋଇ ଇଂଲଣ୍ଡ ଦଳ । ଫଳରେ ଏହି 5 ମ୍ୟାଚ ବିଶିଷ୍ଟ ସିରିଜ 2-2ରେ ବରାବର ହୋଇଛି । ଏହାସହ ଅଷ୍ଟ୍ରେଲିଆ ପାଖରେ ରହିଛି ଆସେସ ଟ୍ରଫି । କାରଣ ଆସେସ ନିୟମ ଅନୁଯାୟୀ ସିରିଜ ଡ୍ର ହେଲେ ଡିଫେଣ୍ଡିଂ ଚାମ୍ପିଆନ ପାଖରେ ରହିଥାଏ ଟ୍ରଫି । ଏନେଇ ଶେଷ ଥର ନିଜ ମାଟିରେ କଙ୍ଗାରୁ ଦଳ ଜିତିଥିଲା ଆସେସ ସିରିଜ ।
ତେବେ 1972 ପରେ ପ୍ରଥମ ଥର ପାଇଁ ଡ୍ର ରହିଲା ଆସେସ ସିରିଜ । ଅନ୍ୟପଟେ ସିରିଜ ଡ୍ର ହୋଇଥିଲେ ମଧ୍ୟ ଅତିଥି ଅଷ୍ଟ୍ରେଲିଆ ପୋଛିଛି 19 ବର୍ଷର କଳଙ୍କ । 2001 ପରେ ଇଂଲଣ୍ଡ ମାଟିରେ କେବେ ଅଷ୍ଟ୍ରେଲିଆ ଆସେସ ଟ୍ରଫି ଜିତି ପାରି ନଥିଲା । ମାତ୍ର ସିରିଜ ଡ୍ର କରି କପ ନିଜ ପାଖରେ ରଖି ଏହି ଧାରାକୁ ବଦଳାଇଛି ଟିମ୍ ପେନଙ୍କ ଟିମ୍ । ଅନ୍ୟପଟେ ବିଶ୍ବକପ ବିଜୟୀ ଇଂଲଣ୍ଡର ଏହା ମଧ୍ୟ ଏକ ବୃହତ ବିଜୟ ହୋଇଛି ।
ଶେଷ ମ୍ୟାଚରେ ଚମତ୍କାର ବୋଲିଂ ପାଇଁ ଜୋଫ୍ରା ଆର୍ଚ୍ଚର ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି । ସେହିପରି ସିରିଜରେ ସର୍ବାଧିକ ରନ କରିଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭେନ ସ୍ମିଥଙ୍କୁ ମ୍ୟାନ ଅଫ ଦ ସିରିଜ ଭାବେ ବିବେଚିତ କରାଯାଇଛି । ତାଙ୍କ ସହ ଇଂଲଣ୍ଡ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ବେନ ଷ୍ଟୋକ୍ସଙ୍କୁ ମଧ୍ୟ ମ୍ୟାନ ଅଫ ଦ ସିରିଜ ଦିଆଯାଇଛି ।