ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ ଟେଷ୍ଟରୁ(boxing day test) ଆରମ୍ଭ ହେବ 3 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ତେବେ ପ୍ରଥମ ଟେଷ୍ଟ ବିନା ଦର୍ଶକରେ ଖେଳାଯିବାର ସମ୍ଭାବନା ଥିବା ସୂଚନା ରହିଛି । ଦକ୍ଷିଣ ଆଫ୍ରିକାରେ କୋରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଲଗାତାର ବୃଦ୍ଧି ପାଉଥବା ମାମଲା ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି ।
ସେଞ୍ଚୁରିଆନରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରେ ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯାଇନାହିଁ । ବିରାଟ କୋହଲିଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ପହଞ୍ଚିଥିବା ଭାରତୀୟ ଟିମ ପ୍ରଥମ ଟେଷ୍ଟ ପୂର୍ବରୁ ଅଭ୍ୟାସ ଆରମ୍ଭ କରିସାରିଛି । ଟିମ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ମୁମ୍ବାଇରେ କ୍ବାରେଣ୍ଟିନରେ ରହିଥିଲା ।
ଏହାମଧ୍ୟ ପଢନ୍ତୁ: Ashes: ବଟଲର୍ଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ହାରିଲା ଇଂଲଣ୍ଡ, 2-0ରେ ଆଗୁଆ ଅଷ୍ଟ୍ରେଲିଆ
ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ସେଞ୍ଚୁରିଆନ ପାର୍କ ଷ୍ଟାଡିୟମ ଏଯାବତ ଟିକେଟ ବିକ୍ରି ଆରମ୍ଭ କରିନାହିଁ । କାରଣ ଦକ୍ଷିଣ ଆଫ୍ରିକା ପ୍ରଶାସନ ଏଥିପାଇଁ ଅନୁମତି ପ୍ରଦାନ କରିନାହିଁ ।
ଭାରତୀୟ ଟିମ ଅଷ୍ଟମ ଥର ଦକ୍ଷିଣ ଆଫ୍ରିକା ଗସ୍ତ କରିଛି । ବିଶ୍ବରେ ଏହି ଏକ ଦେଶ ରହିଛି, ଯେଉଁଠାରେ ଭାରତୀୟ ଟିମ ନିଜର ପ୍ରଥମ ଟେଷ୍ଟ ସିରିଜ ବିଜୟ ଅପେକ୍ଷାରେ ରହିଛି । ବିରାଟ କୋହଲିଙ୍କ ନେତୃତ୍ବରେ ଦ୍ବିତୀୟ ଥର ଦକ୍ଷିଣ ଆଫ୍ରିକା ପହଞ୍ଚିଛି ଟିମ ଇଣ୍ଡିଆ। ଫଳରେ ଚଳିତ ଥର ଇତିହାସ ରଚିବା ଲକ୍ଷ୍ୟରେ ରହିଛନ୍ତି କୋହଲି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ