କଲମ୍ବୋ: ଏସିଆ କପ ସୁପର 4 ରାଉଣ୍ଡର ଏକ ମ୍ୟାଚରେ ଗତକାଲି (ରବିବାର) ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିତୀୟ ଲଢେଇ ଥିଲା । ଗ୍ରୁପ ପର୍ଯ୍ୟାୟର ମୁକାବିଲା ବର୍ଷା ଯୋଗୁଁ ବାତିଲ ଥିବାରୁ ଦ୍ବିତୀୟ ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦ୍ବିଗୁଣିତ ରହିଥିଲା । ହେଲେ ସେଥିରେ ବି ପାଣି ପଶି ଯାଇଥିବା । 24 ଓଭର ଖେଳ ହୋଇଥିବା ବେଳେ ଅଚାନକ ବର୍ଷା ହୋଇଥିଲା ଛାଡିବାର ନାମ ନେଇନଥିଲା । ଫଳରେ ମ୍ୟାଚକୁ ଅତିରିକ୍ତ ଦିନରେ ଖେଳାଯିବାକୁ ସ୍ଥିର ହୋଇଥିଲା । ଆଜି ରିଜର୍ଭ ଡେରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅବଶିଷ୍ଟ ଖେଳ ହେବ । ଅପରାହ୍ନ 2ଟାରୁ ମ୍ୟାଚ ଆରମ୍ଭ ହେବ । 24.1 ଓଭରରୁ ଆରମ୍ଭ ହେବ ମୁକାବିଲା । ଆଜି ମଧ୍ୟ କଲମ୍ବୋରେ ବର୍ଷା ହେବାର ସମ୍ଭାବନା ରହିଛି ।
ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ ପାଳି ଆରମ୍ଭ କରିଥିଲେ । ଉଭୟଙ୍କ ବ୍ୟାଟ ଗର୍ଜନ କରିଥିଲା । ଗିଲ 37 ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ରୋହିତ ଦର୍ଶନୀୟ ସଟ ଖେଳି 42 ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । 17ତମ ଓଭରରେ ସ୍ପିନର ଶଦାବ ଖାନ ଏହି ଯୋଡି ଭାଙ୍ଗି ଥିଲେ । ଦଳୀୟ ସ୍କୋର 121ରେ ରୋହିତ ଶର୍ମା ବ୍ୟକ୍ତିଗତ 49 ବଲରେ 56 ରନ କରି ଆଉଟ ହୋଇଥିଲେ । ଏହାପରେ ବ୍ୟାଟିଂ ପାଇଁ ଆସିଥିଲେ କେଏଲ ରାହୁଲ । ରୋହିତଙ୍କ ପରେ ପରେ ଦଳୀୟ ସ୍କୋର 123ରେ ଶୁଭମନ ଗିଲ 52 ବଲରେ 58 ରନ କରି ଆଉଟ ହୋଇଥିଲେ । 24.1 ଓଭରର ଖେଳ ସମୟରେ ବର୍ଷା ହୋଇଥିଲା । ଏହା ପରେ ଆଉ ଖେଳ ହୋଇପାରିନଥିଲା । ଭାରତ 2ଟି ୱିକେଟ ହରାଇ 147 ରନ କରିଛି । ଆଜିଠୁ ବଳକା ଖେଳ ହେବ । ବିରାଟ କୋହଲି ଓ କେଏଲ ରାହୁଲ ଅପରାଜିତ ରହିଛନ୍ତି । ଉଭୟ ଯଥାକ୍ରମେ 8 ଓ 17 ରନ କରିଛନ୍ତି । କେଏଲ ରାହୁଲ ତାଙ୍କର 2000 ଦିନିକିଆ ରନ ପୂରଣ କରିଛନ୍ତି ।
ଏହା ବି ପଢନ୍ତୁ...Asia Cup 2023 Ind vs Pak: ପାକିସ୍ତାନ ବିପକ୍ଷରେ ଭାରତୀୟ ଓପନରଙ୍କ ସ୍ପେଶାଲ ଫିପ୍ଟି
ଏହା ବି ପଢନ୍ତୁ...Asia Cup 2023: ହିଟ୍ମ୍ୟାନ୍ଙ୍କ ତ୍ରିଶତକ ରେକର୍ଡ, ସଚିନ-ସେହୱାଗଙ୍କ କ୍ଲବ୍ରେ ରୋହିତ
ଆୟର ଆହତ: ଟିମ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟର ଶ୍ରେୟାସ ଆୟର ପୁଣି ଆହତ ହୋଇଛନ୍ତି । ସୁପର 4 ରାଉଣ୍ଡର ପାକିସ୍ତାନ ବିପକ୍ଷ ଦ୍ବିତୀୟ ମୁକାବିଲା ନେଇ ଅଭ୍ୟାସ କରୁଥିବା ବେଳେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳି ନଥିଲା । ତାଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କୁ ସୁଯୋଗ ମିଳିଥିଲା । ପାକିସ୍ତାନ ବିପକ୍ଷରେ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ସେ 14 ରନ କରିଥିଲେ ।
ପ୍ରକାଶ ଥାଉ କି, ଏସିଆ କପରେ ଭାରତ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମଧ୍ୟ ବର୍ଷା ବାଧକ ସାଜିଥିଲା । ଫଳରେ ମ୍ୟାଚ ବାତିଲ ହେବା ସହ ଦୁଇଦଳ ପଏଣ୍ଟ ଭାଗ କରିଥିଲେ । ସମାନ ଭାବେ ଦ୍ବିତୀୟ ମ୍ୟାଚରେ ମଧ୍ୟ ବର୍ଷା ଭିଲିୟାନ ହୋଇଥିଲା । ତେଣୁ ମ୍ୟାଚକୁ ଅତିରିକ୍ତ ଦିନକୁ ଘୁଞ୍ଚା ଯାଇଛି । ଆଜି ପୁଣି ଆଧରୁ ଖେଳ ଆରମ୍ଭ ହେବ । ଆଜି ଅତିରିକ୍ତ ଦିନରେ ଯଦି ବର୍ଷା ହୁଏ ତେବେ ମ୍ୟାଚ ବାତିଲ କରାଯାଇପାରେ ।