ମୁମ୍ବାଇ: ଲକଡାଉନରେ ଯେଉଁ ଗୋଟିଏ ଜିନିଷର ଚର୍ଚ୍ଚା ହେଉଛି ତାହା ହେଉଛି ‘ରାମାୟଣ’ । ରାମାନନ୍ଦ ସାଗରଙ୍କ ଏହି ପୌରାଣିକ ଧାରାବାହିକ ଟିଆରପିରେ ସବୁ ସିରିଏଲର ରେକର୍ଡ ଭାଙ୍ଗିଦେଇଛି । ପପୁଲାରିଟି ଏପରି ହୋଇଛି ଯେ ଦୂରଦର୍ଶନ ପରେ ଏବେ ଷ୍ଟାର ପ୍ଲସରେ ଏହି ଚ୍ୟାନେଲ ରିପିଟ ଟେଲିକାଷ୍ଟ ହେଉଛି । ଶୋର ପ୍ରତି କଳାକାରଙ୍କ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟରେ ଅଧିକ ଫ୍ୟାନ୍ସ ଫଲୋୟିଙ୍ଗ ବଢିଥିବା ଜଣାପଡିଛି ।
ତେବେ ଶୋ ଓ ଏହାର କଳାକାରଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ ଏବେ ସାମନାକୁ ଆସିଛି । ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହରି ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ପ୍ରଥମେ ରାମାୟଣକୁ ନେଇ ସେ ଖୁସି ନଥିଲେ । ଏକଥା କେହି ବିଶ୍ବାସ କରିବେନି ଯେ ଲକ୍ଷ୍ମଣ ପ୍ରଥମେ ଏହି ରାମାୟଣରେ ଖୁସି ନଥିଲେ । କାରଣ ସେ ଏତେ ଚତ୍ମକାର ଅଭିନୟ କରିଥିଲେ ଯେ ଏକଥା କେହି ମାନିବେନି । ହେଲେ ଏହାର କିଛି ଖାସ କାରଣ ନଥିଲା । ସେ ଫିଲ୍ମ ଲାଇନରେ ଅଭିନୟ କରିବାକୁ ଚାହୁଁଥିଲେ । କିନ୍ତୁ ଏହି ପ୍ରୋଜେକ୍ଟ ପାଇଁ ତାଙ୍କୁ ବହୁତ ଫିଲ୍ମ ଅଫର ଛାଡିବାକୁ ପଡିଥିଲା । ଫଳରେ ସେ ପ୍ରଥମ କିଛି ଏପିସୋଡରେ ଖୁସି ନଥିଲେ ।
ତେବେ ଷଷ୍ଠ-ସପ୍ତମ ଏପିସୋଡରୁ ରାମାୟଣକୁ ଚତ୍ମକାର ରେସପନ୍ସ ମିଳିଥିଲା । ଲୋକ ଏହାପାଇଁ ପାଗଳ ହୋଇଥିଲେ । କଳାକାରମାନେ ଯୁଆଡେ ଯାଉଥିଲେ ସେମାନଙ୍କ ପଛରେ ଲାଗୁଥିଲା ଭିଡ । ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲା ଶୋ । କଳାକାରଙ୍କୁ ପ୍ରକୃତ ଭଗବାନ ଭଳି ସମସ୍ତେ ପୂଜିଥିଲେ । ଏହାସହ ଲକ୍ଷ୍ମଣ ମଧ୍ୟ ଚତ୍ମକାର ଆକ୍ଟିଂ କରିବା ସହ ଏଥିରେ ନିଜକୁ ହଜାଇ ଦେଇଥିଲେ । ସୁନୀଲ କହିଛନ୍ତି ଯେ ଆଜି ସେ ରାମାୟଣ ଯୋଗୁଁ ଅନେକ ଗର୍ବିତ । ଲୋକଙ୍କ ଭଲ ପାଇବା ତାଙ୍କୁ ବହୁତ ଆନନ୍ଦ ଦେଇଛି । ଏଥିପାଇଁ ସେ ଅନେକ ଫିଲ୍ମ ହାତଛଡା କରିଥିଲେ ମଧ୍ୟ ଦୁଃଖ ନାହିଁ ବୋଲି କହିଛନ୍ତି ।
ସୁନୀଲ କହିଛନ୍ତି ଯେ ରାମାୟଣର କୌଣସି ଏକ୍ସପାୟରି ଡେଟ୍ ନାହିଁ । ଯେବେବି ଏହା ରିପିଟ ଟେଲିକାଷ୍ଟ ହେବ ସବୁବେଳେ ଦର୍ଶକଙ୍କ ଭଲ ପାଇବା ଜାରି ରହିବ । ଦର୍ଶକ ଓ ପ୍ୟାନ୍ସଙ୍କୁ ସେ ଅନେକ ଧନ୍ୟବାଦ ଦେଇଛନ୍ତି । ଏହାସହ ସେ କହିଛନ୍ତି ରାମାୟଣ ପରେ ତାଙ୍କୁ ଅନେକ ପୌରାଣିକ ଚରିତ୍ର ମଧ୍ୟ ଅଫର ହୋଇଥିଲା । ହେଲେ ସେ ଅନେକ ଅଫର ଛାଡିଥିଲେ କାରଣ ଏଥିପାଇଁ ସେ ନିଜକୁ ଫିଟ୍ ଭାବନ୍ତି ନାହିଁ । ଲକ୍ଷ୍ମଣ ଚରିତ୍ରରେ ତାଙ୍କ ଅଭିନୟ ବହୁତ ଲୋକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଥିଲା । ଏହାପରେ ସେ ଅନେକ ଆକ୍ସନ, ରୋମାଣ୍ଟିକ ଫିଲ୍ମ ମଧ୍ୟ କରିଛନ୍ତି ବୋଲି କହିଛନ୍ତି । ତେବେ ଫିଲ୍ମରେ ସଫଳତା ହିଁ କହେ ଜଣେ ଅଭିନେତା କେତେ ଲୋକପ୍ରିୟ । ସେ ଭଲ କି ଖରାପ ଏକଥା ଲୋକେ ପଛରେ ବିଚାର କରନ୍ତି ବୋଲି ସୁନୀଲ କହିଛନ୍ତି ।