ମୁମ୍ବାଇ: ଭାରତୀୟ କାହାଣୀ ଉପରେ ଆଧାରିତ ୱେବ ଫିଲ୍ମ ଏକ୍ସଟ୍ରାକ୍ସନ ସିକ୍ବେଲ ନିର୍ମାଣ ନେଇ କନଫର୍ମ ହୋଇଛି । ପ୍ରଯୋଜକ ରୁସୋ ବ୍ରଦର୍ସ ଏହା ଉପରେ ସୂଚନା ଦେଇଛନ୍ତି । ଏହାର ସ୍କ୍ରିପ୍ଟିଂ କାମ ଚାଲିଥିବା ଜଣାପଡିଛି ।
ନେଟଫ୍ଲିକ୍ସରେ ରିଲିଜ ଏହି ଆକ୍ସନ ଥ୍ରିଲର ହିଟ ସାବ୍ୟସ୍ତ ହୋଇଛି । ଏହାକୁ ପ୍ରାୟ 90 ମିଲିୟନ ଲୋକ ଦେଖିସାରିଲେଣି । ଏପ୍ରିଲ 24ରେ ନେଟଫ୍ଲିକ୍ସରେ ଏହା ରିଲିଜ ହୋଇଥିଲା । ଦମଦାର କାହାଣୀ ଓ ଆକ୍ସନ ଯୋଗୁଁ ଏହାକୁ ଦର୍ଶକ ପସନ୍ଦ କରିଛନ୍ତି । ଫଳରେ ଏହାର ଦ୍ବିତୀୟ ଭାଗ ନିର୍ମାଣ ପାଇଁ ମେକର୍ସ ଅଣ୍ଟା ଭିଡିଛନ୍ତି । ପ୍ରଥମ ଭାଗର ହିରୋ ଏଥିରେ ରିପିଟ ହୋଇପାରନ୍ତି ବୋଲି ଜଣାପଡିଛି ।
ପ୍ରଥମ ପାର୍ଟର ଲିଡ ରୋଲରେ ହଲିଉଡ ଷ୍ଟାର କ୍ରିସ ହେମ୍ସୱର୍ଥ ଆକ୍ଟିଂ କରିଛନ୍ତି । ଜଣେ ଅଷ୍ଟ୍ରେଲିଆନ ଯାସୁସ କିଭଳି ଏକ ଭାରତୀୟ ଡ୍ରଗ୍ସ ଡିଲରର ପୁଅକୁ ରକ୍ଷା କରୁଛି ସେହି କାହାଣୀ ଉପରେ ଏହା ଆଧାରିତ । କ୍ରିସ ମଧ୍ୟ ନିକଟରେ କହିଥିଲେ ଯେ ଏହାର ଦ୍ବିତୀୟ ଭାଗରେ ଆକ୍ଟିଂ କରିବାକୁ ସେ ଏକ୍ସସାଇଟେଡ ଅଛନ୍ତି ।
କ୍ରିସଙ୍କ ବ୍ୟତୀତ ଏଥିରେ ଭାରତୀୟ ଆକ୍ଟର ରଣଦୀପ ହୁଦା, ପଙ୍କଜ ତ୍ରିପାଠୀ, ରୁଦ୍ରାକ୍ଷ ଜୟସ୍ବାଲ ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମର ଡିରେକ୍ଟର ସାମ ହାରଗ୍ରେଭ ଦେଇଥିବାବେଳେ ଆଭେଞ୍ଜର ଏଣ୍ଡଗେମ ନିର୍ଦ୍ଦେଶକ ରୁସୋ ବ୍ରଦର୍ସ ଏହାର ପ୍ରଯୋଜନା କରିଥିଲେ ।