ମୁମ୍ବାଇ: ସଲମାନ ଖାନଙ୍କ ଛୋଟ ପରଦାର ବିବାଦୀୟ ରିୟାଲିଟି ଶୋ ବିଗ ବସ ସିଜନ 13କୁ ବନ୍ଦ କରିବା ପାଇଁ ଚର୍ଚ୍ଚା କିଛି ଦିନ ହେବ ଜୋର ଧରିଛି । ଏହାର ଦାବିରେ ବିଜେପି ବିଧାୟକ କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ଚିଠି ଲେଖିଛନ୍ତି । ଏହି ଶୋ ଉପରେ ତୁରନ୍ତ ରୋକ ଲାଗାଇବା ପାଇଁ ଚିଠିରେ ଦାବି କରାଯାଇଛି ।
ଉତ୍ତର ପ୍ରଦେଶର ଗାଜିୟାବାଦ ଜନପଦ ଲୋନୀ ବିଧାନସଭା ସିଟରୁ ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର ଚିଠିରେ ଲେଖିଛନ୍ତି, ‘ବିଗବସ-13’ର ପ୍ରସାରଣ ପ୍ରାଇମ ଟାଇମ ସ୍ଲଟରେ କରାଯାଉଛି । ଯାହାର କଣ୍ଟେଟରେ ଅଶ୍ଳୀଳତା ଖୁଲମଖୁଲା ପ୍ରଦର୍ଶିତ ହେଉଛି। ଏହି ଶୋକୁ ପୁରା ପରିବାର ସହ ଦେଖିବା କଷ୍ଟଦାୟକ । ଏହାସହ ବିଗ ବସ ଯେଉଁ ଟିଭି ମାଧ୍ୟମରେ ଦେଶର ବଡ ବର୍ଗ ପାଖରେ ସିଧା ପହଞ୍ଚୁଛି । ତାଙ୍କ ସେନ୍ସର ବ୍ୟବସ୍ଥା ଫିଲ୍ମ ଭଳି କଡା ରୂପେ କରାଯାଉ । ଯାହାଦ୍ବାରା ଏପରି ଅଶ୍ଳୀଳତା ପ୍ରଦର୍ଶନ କରି ସମାଜ ଏବଂ ସଂସ୍କୃତିକୁ ଖରାପ କରୁଥିବା କାର୍ଯ୍ୟକ୍ରମ ଉପରେ ରୋକ ଲଗା ଯାଇପାରିବ ।’
ନନ୍ଦଙ୍କ ପୂର୍ବରୁ ବିଜେପି ନେତା ସତ୍ୟଦେବ ପଚୌରୀ ମଧ୍ୟ ବିଗ ବସ କଣ୍ଟେଟ ଉପରେ କଡା ନିନ୍ଦା କରି ଏକ ଟ୍ବିଟ କରିଥିଲେ । ପ୍ରକାଶ ଥାଉକି ଗତ ତିନି ଚାରି ଦିନ ହେବ ସୋସିଆଲ ମିଡିଆରେ ବିଗ ବସ ବନ୍ଦ କରିବା ଦାବି ସାମ୍ନାକୁ ଆସିଥିଲା । ଯାହା ବର୍ତ୍ତମାନ ଏବେ ବଡ ପ୍ରସଙ୍ଗ ସାଜିଛି ।
ଶୋକୁ ବନ୍ଦ କରିବା ଦାବିର କାରଣ ହେଲା କି ଏଥର ଶୋର ନୂଆ ସେଟଅପ । ଯାହାଦ୍ବାରା ସଲମାନ ଖାନ ବିଗ ବସ ହାଉସରେ ଏଣ୍ଟ୍ରି କରିବା ପୂର୍ବରୁ ପ୍ରତିଯୋଗୀଙ୍କୁ ଜଣାଇଦେଇଥିଲେ ଯେ ତାଙ୍କ ବେଡ ଫ୍ରେଣ୍ଡ ଫରଏଭର କିଏ ହେବ । ଏହି ବିଏଫଏଫ ନିୟମ ପାଇଁ ଗୋଟିଏ ବେଡରେ ପୁଅ, ଝିଅ ମିଶିକି ଶୋଇବାକୁ ପଡୁଛି । ଯାହାକୁ ଆଧାର କରି ଶୋ ବନ୍ଦ କରାଯିବାର ଦାବି ହେଉଛି ।
ଖାଲି ବିଜେପି ନେତା ନୁହେଁ ବରଂ କର୍ଣ୍ଣୀ ସେନା ମଧ୍ୟ ପ୍ରକାଶଙ୍କୁ ଚିଠି ଲେଖି ଶୋ ବନ୍ଦ କରିବାର ଦାବି କରିଛି । ଚିଠିରେ ହିନ୍ଦୁ ସଂସ୍କୃତିର ଅପମାନ ବିଗ ବସ ଶୋ ନ୍ୟାସନାଲ ଟିଭିରେ କରୁଛି । ଶୋ ଲଭ ଜିହାଦକୁ ପ୍ରମୋଟ କରିବା ସହ ଯୁବପିଢିକୁ ଖରାପ କରୁଛି । ଅଶ୍ଳୀଳ ସିନ ମଧ୍ୟ ଖୁବ୍ ଦେଖିବାକୁ ମିଳୁଛି ବୋଲି ଲେଖାଯାଇଛି ।
ଏହାସହ କର୍ଣ୍ଣୀ ସେନା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ଚିଠି ଲେଖିଛି । ରାଷ୍ଟ୍ରୀୟ ଟେଲିଭିଜନରେ ଲଭ ଜିହାଦ ବଢାଇବା ଏବଂ ହିନ୍ଦୁ ସଂସ୍କୃତିକୁ ଅପମାନ କରିବା ପାଇଁ ସଲମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ ଚିଠିରେ ଦାବି କରାଛି କର୍ଣ୍ଣୀ ସେନା।