ମୁମ୍ବାଇ: ନୂଆଦିଲ୍ଲୀର ଜବାହରଲାଲ ନେହେରୁ (ଜେଏନୟୁ) ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିରୋଧ କାହାଣୀକୁ ନେଇ ଆଧାରିତ ହୋଇଥିବା ମାଲାୟଲମ ଫିଲ୍ମ ‘ବର୍ତ୍ତମାନମ୍’ ସମସ୍ୟା ଘେରରେ । କାରଣ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)ର କେରଳ ଆଞ୍ଚଳିକ ଅଫିସ ଏହି ଫିଲ୍ମକୁ ସାର୍ଟିଫିକେଟ୍ ଦେବାକୁ ମନା କରିଦେଇଛି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ସିଦ୍ଧାର୍ଥ ଶିବା । ସେହିପରି ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ପାର୍ବତୀ ଥିରୁଭୋତ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
ଆଉ ଫିଲ୍ମର କାହାଣୀ କେରଳର ଜଣେ ମହିଳାଙ୍କର । ଯିଏ କିଛି କାର୍ଯ୍ୟ ପାଇଁ ନିଜ ରାଜ୍ୟରୁ ଜେଏନୟୁ ପରିସରକୁ ଯାଉଛନ୍ତି । ଫିଲ୍ମର ନିର୍ମାତା ତଥା ସ୍କ୍ରିପ୍ଟ ଲେଖକ ତଥା କଂଗ୍ରେସ ନେତା ଆର୍ଯ୍ୟଦାନ ଶୌକଥଙ୍କ ଅନୁଯାୟୀ, ସିବିଏଫସି ଅଧିକାରୀମାନେ ଏହାକୁ ପ୍ରତ୍ୟାଖ୍ୟାନ କରିବାର କୌଣସି କାରଣ ଦର୍ଶାଇ ନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସିନେମା ସାର୍ଟିଫିକେଟ୍ ପାଇଁ ମୁମ୍ବାଇର ସେନ୍ସର ବୋର୍ଡ ସଂଶୋଧନ କମିଟି ନିକଟରେ ଦାଖଲ ହେବ ।
ସିବିଏଫସି ଅଧିକାରୀମାନେ ଆମକୁ ସୂଚନା ଦେଇଛନ୍ତି ଯେ ଫିଲ୍ମଟି ସଂଶୋଧନ କମିଟିରେ ଦାଖଲ କରିବାକୁ ହେବ । ହେଲେ ତାଙ୍କ ଫିଲ୍ମ ପ୍ରମାଣପତ୍ରରୁ କାହିଁକି ବଞ୍ଚିତ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଆର୍ଯ୍ୟଦାନ ।