ନୂଆଦିଲ୍ଲୀ: ଆଜି ହେଉଛି ବଲିଉଡ ଅଭିନେତ୍ରୀ ଶବାନା ଆଜମିଙ୍କ ଜନ୍ମଦିନ । ଶହେରୁ ଅଧିକ ବଲିଉଡ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଶବାନା ଆଜମି ଆଜି 71 ବର୍ଷରେ ପାଦ ଥାପିଛନ୍ତି । ଶବାନା ଆଜମି ୧୮ ସେପ୍ଟେମ୍ବର ୧୯୫୦ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ । ଶବାନା ଫିଲ୍ମ ମାସୁମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିଲେ ଶବାନା । ସେ ଫିଲ୍ମ ସହିତ ନିଜର ବୈବାହିକ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଆସିଛନ୍ତି । ସେ ନିଜଠାରୁ 10 ବର୍ଷ ବଡ ଗୀତିକାର ତଥା ଲେଖକ ଜାଭେଦ୍ ଅଖତରଙ୍କୁ ବିବାହ କରିଥିଲେ। ଯିଏ ପୂର୍ବରୁ ବିବାହିତ ଏବଂ ଦୁଇ ସନ୍ତାନର ପିତା ଅଟନ୍ତି ।
ଶବାନା ଆଜମି ପ୍ରସିଦ୍ଧ କବି କୈଫି ଆଜମିଙ୍କ ଝିଅ । ଏହି କଥା ସେହି ସମୟର, ଯେତେବେଳେ ଶବାନା ବଲିଉଡରେ ନିଜର ପ୍ରଥମ ପାଦ ପକାଇଥିଲେ ଏବଂ ଜାଭେଦ ଅଖତର ମଧ୍ୟ ସେହି ସମୟରେ ଏକ ବଡ ନାମ ଅର୍ଜନ କରିସାରିଥିଲେ । ଜାଭେଦ ଅଖତର ପ୍ରାୟତଃ କୈଫି ଆଜମିଙ୍କ ଘରକୁ ଯିବା ଆସିବା କରୁଥିଲେ। ଏହି ସମୟ ମଧ୍ୟରେ ଶବାନା ତାଙ୍କୁ ଭେଟିଥିଲେ, ଏବଂ ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଯେତେବେଳେ କୈଫି ଆଜମୀ, ଶବାନା ଏବଂ ଜାଭେଦଙ୍କ ସମ୍ପର୍କ ବିଷୟରେ ଜାଣିଲେ, ସେତେବେଳେ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଏପଟେ, ଶବାନାଙ୍କୁ ନେଇ ଜାଭେଦ ଏବଂ ତାଙ୍କ ପତ୍ନୀ ହନିଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇସାରିଥିଲା । ଶେଷରେ ଝଗଡ଼ାରେ ବିବ୍ରତ ହୋଇ ଦିନେ ହନି ଜାଭେଦଙ୍କୁ ଶବାନାଙ୍କ ପାଖକୁ ଯିବାକୁ ଅନୁମତି ଦେଇଦେଲେ | କିନ୍ତୁ କୈଫି ଆଜମୀ ଏହି ସମ୍ପର୍କକୁ ନେଇ ଖୁସି ନଥିଲେ। କାରଣ ଜାଭେଦ ଅଖତର ପୂର୍ବରୁ ବିବାହିତ ଏବଂ ଶବାନା, ଆଜମୀ ଜାଭେଦ ଏବଂ ତାଙ୍କ ପତ୍ନୀ ହନି ଇରାନୀଙ୍କ ମଧ୍ୟରେ ଆସିଥିଲେ ବୋଲି ସେ ଆପତ୍ତି କରିଥିଲେ। କିନ୍ତୁ ଶବାନା ତାଙ୍କୁ ଆଶ୍ବାସନା ଦେଇଥିଲେ ଯେ, ସେପରି କିଛି ନାହିଁ । ହନିଙ୍କ ସହ ଜାଭେଦଙ୍କ ସମ୍ପର୍କ ତାଙ୍କ କାରଣରୁ ଭାଙ୍ଗୁନାହିଁ। ଶେଷରେ କୈଫି ସେମାନଙ୍କ ସମ୍ପର୍କକୁ ଅନୁମତି ଦେଇଥିଲେ ।
ଶ୍ରେଷ୍ଠ ଅଭିନୟ ପାଇଁ ଶବାନା ୫ ଥର ନ୍ୟାସନାଲ ଆୱାର୍ଡ ପାଇଛନ୍ତି। ତାଙ୍କୁ 'ଅଙ୍କୁର', 'ଅର୍ଥ', 'ଖଣ୍ଡହର', 'ପାର' ଏବଂ ଚଳଚ୍ଚିତ୍ର 'ଗଡମଦର' ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହାସହିତ ଭାରତ ସରକାର ତାଙ୍କୁ ୧୯୮୮ରେ ‘ପଦ୍ମଶ୍ରୀ’ ଏବଂ ୨୦୧୨ରେ ‘ପଦ୍ମ ଭୂଷଣ’ ସମ୍ମାନ ପ୍ରଦାନ କରିଥିଲେ ।