ବେଙ୍ଗାଲୁରୁ: କନ୍ନଡର ପାୱାର ଆକ୍ଟର ପୁନିତ ରାଜକୁମାର ସମସ୍ତଙ୍କୁ ସ୍ତବ୍ଧ କରି ଚାଲିଯାଇନ୍ତି ଆରପାରିକୁ । ତେବେ ଏହି ଲୋକପ୍ରିୟ ଆକ୍ଟରଙ୍କ ଅଚାନକ ବିୟୋଗରେ ଭାଙ୍ଗିଯାଇଛି ସଭିଁଙ୍କ ଦିଲ୍ । ପୁନିତଙ୍କୁ ତେଲୁଗୁ ଆକ୍ଟର ଜୁନିଅର NTR, ସୁପରଷ୍ଟାର ନନ୍ଦମୁରି ବାଲକ୍ରିଷ୍ଣା ଓ ଡ୍ୟାନ୍ସିଂ ଷ୍ଟାର ପ୍ରଭୁଦେବା କର୍ଣ୍ଣାଟକର ବେଙ୍ଗାଲୁରୁରେ ପହଞ୍ଚି ଶନିବାର ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ହୃଦଘାତରେ ପ୍ରାଣ ହରାଇଛନ୍ତି ଏହି ପାୱାର ଷ୍ଟାର ।
ସୁପରଷ୍ଟାର ବାଲକ୍ରିଷ୍ଣା କହିଛନ୍ତି ଯେ ସେ ନିଜ ଭାଇଠୁ ଅଧିକ ଥିଲେ । ସେ ଜଣେ ବନ୍ଧୁ ଓ ଭାଇକୁ ହରାଇ ଅତ୍ୟନ୍ତ ଦୁଃଖିତ ବୋଲି କହିଛନ୍ତି । ପୁନିତ ଡାକୁଥିବା ସମସ୍ତ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥାନ୍ତି । ସେ ନିଜ ଚକ୍ଷୁ ଦାନ କରିଛନ୍ତି । ସେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଛନ୍ତି । ପୁନିତ ଦୁନିଆରୁ ଚାଲିଯାଇଥିଲେ ମଧ୍ୟ ସମସ୍ତଙ୍କ ମନ ଭିତରେ ରହିବେ ବୋଲି କହିଛନ୍ତି ବାଲକ୍ରିଷ୍ଣା । ବେଙ୍ଗାଲୁରୁରେ ପହଞ୍ଚି ସେ ପୁନିତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ସହିତ ପୁନିତଙ୍କ ବଡ଼ ଭାଇ ଶିବ ରାଜକୁମାରଙ୍କୁ ମଧ୍ୟ ଆଶ୍ବାସନା ଦେଇଛନ୍ତି ।
ସେପଟେ କୋରିଓଗ୍ରାଫର ତଥା ଲୋକପ୍ରିୟ ଡ୍ୟାନ୍ସିଂ ଆଇକନ ପୁନିତଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଖୁବଶୀଘ୍ର ଦୁନିଆ ଛାଡ଼ି ଚାଲିଗଲେ ବୋଲି କହିଛନ୍ତି ପ୍ରଭୁଦେବା । ସେ ଆହୁରି କହିଛନ୍ତି ଯେ," ପୁନିତ ଜଣେ ଉଚ୍ଚକୋଟୀର ବ୍ୟକ୍ତିତ୍ବର ଅଧିକାରୀ ଥିଲେ । ମୁଁ ତାଙ୍କ ସହିତ ନିକଟରେ ଏକ ଗୀତ ସୁଟିଂ କରିଥିଲି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ମୋ ବାପା କାନ୍ଦିବାକୁ ଲାଗିଲେ । ଏହି ଖବର ମିଛ ହେଉଥାଉ ବୋଲି ସେ ଆଶା କରୁଥିଲେ ।"
ତେଲୁଗୁ ସୁପରଷ୍ଟାର ଜୁନିଅର NTR ମଧ୍ୟ ବେଙ୍ଗାଲୁରୁରେ ପହଞ୍ଚି ପୁନିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ପୁନିତଙ୍କ ଭାଇ ଶିବରାଜଙ୍କୁ ଆଲିଙ୍ଗନ କରି ଆଶ୍ବାସନା ଦେଇଛନ୍ତି । ରବିବାର କାନ୍ତିରଭା ଷ୍ଟାଡ଼ିୟମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପୁନିତଙ୍କ ଶେଷକୃତ୍ୟ କରାଯିବ । ପୁନିତ ଲୋକପ୍ରିୟ କନ୍ନଡ ଆକ୍ଟର ଡକ୍ଟର ରାଜକୁମାରଙ୍କ ପୁଅ ଥିଲେ । ଅଭିନୟ ଜଗତରେ ତାଙ୍କର ବେଶ ନାଁ ଥିବା ବେଳେ ପାୱାର ଷ୍ଟାର ନାମରେ ବେଶ ପରିଚିତ ଥିଲେ ପୁନିତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ