ବାସ୍ତବରେ, ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ରୁପେଲି ପରଦା ଏକ ସ୍ବପ୍ନମୟ ଜଗତ ରୂପରେ ରହିଆସିଛି । କଳାକାରମାନଙ୍କ ଦ୍ବାରା ଅଭିନୀତ ଚରିତ୍ରମାନେ ଲୋକଙ୍କୁ ଅଭିଭୂତ ଏବଂ ମନ୍ତ୍ରମୁଗ୍ଧ କରିଆସିଛନ୍ତି । ଏବଂ ସେମାନଙ୍କ ଦ୍ବାରା ଅଭିନୀତ ଚରିତ୍ରମାନେ ହିଁ ଅନେକ କଳାକାରଙ୍କୁ ଅମରତ୍ବ ପ୍ରଦାନ କରିଛନ୍ତି ।
ସମୟକ୍ରମେ, ବଡ଼ ପରଦା ଛୋଟ ପରଦାର ବାକ୍ସ ଭିତରେ ସ୍ଥାନିତ ହୋଇଥିଲା ଏବଂ ଏହା ଫଳରେ କଳାକାରମାନେ ପୂର୍ବ ନିର୍ଦ୍ଧାରିତ ସମୟରେ ଲୋକଙ୍କ ଘରେ ପ୍ରବେଶ କରିଥିଲେ । ପ୍ରଥମେ ସୁଇଚ୍ ଘୂରାଇ ଏବଂ ପରେ ରିମୋଟ କଣ୍ଟ୍ରୋଲର ବଟନକୁ ଧୀର ଭାବରେ ଚିପିବା ଫଳରେ ହିଁ ଲକ୍ଷ ଲକ୍ଷ ଲୋକଙ୍କ ଅପରାହ୍ନର ଚା’ କପ୍କୁ ମଜାଦାର କରିହେଲା କିମ୍ବା ରାତ୍ରୀଭୋଜନରୁ ଭିନ୍ନ ମସଲାର ସ୍ବାଦ ବାରି ହେଲା ।
ଏବେ ମନୋରଞ୍ଜନର ବିବର୍ତ୍ତନ ଧାରାରେ ଓଭର-ଦି-ଟପ୍ (ଓଟିଟି) ବା ଇଣ୍ଟରନେଟ୍ ଜରିଆରେ ମନୋରଞ୍ଜନ ସାମିଲ ହୋଇଛି ଏବଂ ପୂର୍ବର ସମସ୍ତ ବର୍ଗୀକରଣ ନିରର୍ଥକ ହୋଇପଡ଼ିଛି । ହୁଏତ ଅତି ଶୀଘ୍ର ବଡ଼ ପରଦାର ଅନୁଭୂତି ବି ପୁରୁଣା ଦିନର ସ୍ମୃତି ହୋଇ ରହିଯିବ । ପୂର୍ବରୁ ବର୍ଷ ବର୍ଷ ଧରି ସ୍ଥିରୀକୃତ ସମୟରେ ସିନେମା ବା ଟେଲିଭିଜନ ଦେଖିବାକୁ ପଡୁଥିବା ବେଳେ ଏବେ ‘ନିଜ ଇଚ୍ଛାନୁସାରେ ଦେଖିବା’ର ଧାରା ପ୍ରଚଳିତ ହୋଇଛି ଏବଂ ତଦନୁସାରେ, କଳାକାରମାନଙ୍କର ଶ୍ରେଣୀବିନ୍ୟାସ ଏବଂ ସେମାନଙ୍କ ଲୋକପ୍ରିୟତା ଜନିତ ପ୍ରସିଦ୍ଧି ମଧ୍ୟ କିଛିଟା ବେଖାପ ଢଙ୍ଗରେ ପରିବର୍ତ୍ତିତ ହୋଇଛି ।
କୌତୁହଳର କଥା ଯେ, ବିଗତ ବର୍ଷର ବହୁ ଅଭିନେତା ଓ ଅଭିନେତ୍ରୀ ଓଟିଟି ପ୍ଲାଟ୍ଫର୍ମ ଜରିଆରେ ସେମାନଙ୍କ ବୃତ୍ତିଗତ ଜୀବନର ପୁନରୁତ୍ଥାନକୁ ଅନୁଭବ କରିଛନ୍ତି । ଭାରତରେ ଏକଦା ମନୋରଞ୍ଜନ ଶିଳ୍ପର ପ୍ରତିଯୋଗିତାମୂଳକ ଦୁନିଆରେ ଅଲୋଡ଼ା ହୋଇପଡ଼ିଥିବା ଅନେକ କଳାକାର ଏବେ ଓଟିଟି ଜଗତ ଜରିଆରେ ପୁଣି ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।
ଏହି ନୂତନ ଜ୍ଞାନକୌଶଳର ସୁଯୋଗ ଉପଲବ୍ଧ କରି ସମ୍ଭବତଃ ତାଙ୍କ ଅଭିନୟ ଜୀବନର ଦ୍ବିତୀୟ ପର୍ଯ୍ୟାୟରେ ପୁଣି ଶୀର୍ଷକୁ ଉଠିଥିବା ଏହିଭଳି ଜଣେ ଅଭିନେତା ହେଲେ ସୈଫ ଅଲି ଖାନ୍ । ସୈଫ ଅଲି ଖାନଙ୍କ ସର୍ବଶେଷ ଅଭିନୀତ ‘ତାଣ୍ଡବ’ ଏବଂ ‘ସାକ୍ରେଡ୍ ଗେମ୍ସ’ ବିବାଦୀୟ ହୋଇପଡ଼ିଛି ସତ, ହେଲେ ଏହା ଫଳରେ ପରିବର୍ତ୍ତିତ ରୁଚିସଂପନ୍ନ ଭାରତୀୟ ଦର୍ଶକଙ୍କ ଆବିର୍ଭାବ ଘଟିଛି ବୋଲି ଏହାର ପ୍ରଯୋଜକ ସଂସ୍ଥାମାନେ କହିଆସୁଛନ୍ତି । 90 ଦଶକରେ ଶାଶୁ-ବୋହୂ କଥାବସ୍ତୁ ପ୍ରତି ଦର୍ଶକଙ୍କ ରୁଚି ରହିଥିଲା ଏବଂ 2000 ବେଳକୁ ଏହା ଧୀରେ ଧୀରେ ଶେଷ ହୋଇଯାଇଥିଲା। କିନ୍ତୁ, ଭାରତୀୟ ଦର୍ଶକମାନଙ୍କର ରୁଚି ବିକଶିତ ହୋଇଛି ଏବଂ ତା ସହିତ କାହାଣୀ କଥନର ଶୈଳୀ ମଧ୍ୟ ।
ଗ୍ରାମୀଣ ଦର୍ଶକମାନଙ୍କର ରୁଚି ପରିବର୍ତ୍ତନ ଅଭିମୁଖୀ ହୋଇଥିବା ବେଳେ ସହରୀ ଦର୍ଶକମାନେ ସହସ୍ରାବ୍ଦୀର, ଏବଂ ଏମିତି କି ସହସ୍ରାବ୍ଦୀ ପରବର୍ତ୍ତୀ ସମୟର, ନୂଆ ନୂଆ କାହାଣୀ ଚାହୁଁଛନ୍ତି । ସେମାନେ ଚାହାଁନ୍ତି ବାସ୍ତବଧର୍ମୀ କଥାବସ୍ତୁ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଏକ ନିଖୁଣ କାଳ୍ପନିକ କାହାଣୀ ଚାହାନ୍ତି ନାହିଁ, ସେମାନେ ଚାହାଁନ୍ତି ସେମାନଙ୍କ କାହାଣୀର ନାୟକ ଭୁଲ କରୁ, ପ୍ରାକୃତିକ ଏବଂ ମାନବୀୟ ଭାବରେ, ଏକ ବାସ୍ତବ ପୃଥିବୀର ବାସ୍ତବ ସମସ୍ୟାବଳୀ ସହିତ ସଂଘର୍ଷ କରୁ । ମନୋଜ ବାଜପେୟୀଙ୍କ ଅଭିନୀତ ‘ଫ୍ୟାମିଲି ମ୍ୟାନ୍’ରେ ଦେଶ ସୁରକ୍ଷାରେ ନିୟୋଜିତ ଏମିତି ଜଣେ ନିରସ ସିକ୍ରେଟ ଏଜେଣ୍ଟଙ୍କ କାହାଣୀ ରହିଛି, ଯିଏ କି ସେଇ ଏକା ସମୟରେ ଜଣେ ମଧ୍ୟମ ବର୍ଗର ଭାରତୀୟ ବ୍ୟକ୍ତିଙ୍କ ଆଗରେ ଥିବା ଅନେକ ଆହ୍ବାନ ସହ ବି ସଂଘର୍ଷ କରୁଛନ୍ତି ।
ସୁସ୍ମିତା ସେନ୍ ଏବଂ ଚନ୍ଦ୍ର ସିଂହଙ୍କ ‘ଆର୍ୟା’ ମଧ୍ୟ ଗୋଟିଏ ସାଧାରଣ ଭାରତୀୟ ପରିବାରକୁ କେନ୍ଦ୍ର କରି ଗଢ଼ା ହୋଇଛି । ଯେଉଁ ପରିବାର ଅପରାଧ ଦୁନିଆରେ ପ୍ରବେଶ କରିବାକୁ ଏତେ ଦୂର ଯାଏ ବାଧ୍ୟ ହୋଇଛି ଯେ, ସେହି ଦୁନିଆ ଯୋଗୁଁ ତିଷ୍ଠି ରହିଛି ଏବଂ ତା ଉପରେ ଆଧିପତ୍ୟ ବିସ୍ତାର କରିଛି । ବବି ଦେଓଲ ଅଭିନୀତ ‘ଆଶ୍ରମ’ରେ ମଧ୍ୟ ଏଭଳି ଏକ ଜଟିଳ କଥାବସ୍ତୁର ବର୍ଣ୍ଣନା ରହିଛି, ଯାହାକି କାଳ୍ପନିକ ସତ୍ୟ ସନ୍ଧାନକାରୀ ଭାରତୀୟ ଦର୍ଶକମାନଙ୍କ ପାଇଁ ହିଁ ଉଦ୍ଦିଷ୍ଟ ।
ନିରସ ବାସ୍ତବତାର ମଧ୍ୟ ଏକ ନିଜସ୍ବ ଆକର୍ଷଣ ରହିଛି ଏବଂ 500 କୋଟି ଟଙ୍କାର ବୃହତ୍ ବଜେଟ୍ ସିନେମାର କଳାକାରମାନେ ଏଥିରେ ଅଧିକ ଭଲ ଅଭିନୟର ଧାରା ପ୍ରଦର୍ଶନ କରୁଛନ୍ତି, ଅଧିକ ସମୟ ପାଇଁ ଚରିତ୍ରରେ ବୁଡ଼ି ରହିବା ସହିତ ୱେବ୍ ସିରିଜ୍ ଭଳି ଏକ ଲମ୍ବା ସଂସ୍କରଣରେ ଅଭିନୟ କରି ପରଦା ଉପରେ ଅଧିକ ସମୟ ପାଇଁ ଉପସ୍ଥିତି ଜାହିର କରିପାରୁଛନ୍ତି । ୱେବ୍ ସିରିଜ୍ ଗତାନୁଗତିକ ଧାରାରୁ ପୃଥକ୍ ଏବଂ ଏହା ଅଢ଼େଇ ଘଣ୍ଟାର ସିନେମା ନୁହେଁ କି ଟେଲିଭିଜନରେ ଆଧିପତ୍ୟ ବିସ୍ତାର କରିଆସିଥିବା ଅଧ ଘଣ୍ଟାର ‘ସୋପ୍ ଅପେରା’ ନୁହେଁ ।
ଓଟିଟି ପ୍ଲାଟ୍ଫର୍ମରେ ପ୍ରସାରିତ ଅଣ-ପାରମ୍ପରିକ ସ୍ବରରେ ଭରପୂର ବିଭିନ୍ନ ୱେବ୍ ସିରିଜ୍ରେ ଅନେକ କଳାକାରଙ୍କ ଅଭ୍ୟୁଦୟ ଘଟିଛି । ହେଲେ ଏହା ସରକାରଙ୍କ ନଜରରୁ ଦୂରେଇ ରହିପାରି ନାହିଁ । ଏହି ସବୁ ପ୍ଲାଟ୍ଫର୍ମକୁ ଏକ ନିୟାମକ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବାକୁ ସରକାର ଚେଷ୍ଟା କରୁଛନ୍ତି । ହେଲେ ଓଟିଟି ପ୍ଲାଟ୍ଫର୍ମ ଭଳି ଏ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାର ପରିଭାଷା ଓ ପରିସର ନିର୍ଣ୍ଣୟ କରାଯାଇନାହିଁ ।
ଦୂର ଦିଗ୍ବଳୟରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି ଏବଂ ବହୁ ଘାତ ପ୍ରତିଘାତ ସତ୍ତ୍ବେ ପଥଚ୍ୟୁତ ହୋଇ ନଥିବା ପରିତ୍ୟକ୍ତ ପ୍ରତିଭାମାନଙ୍କ ପାଇଁ ନିଜକୁ ପ୍ରକାଶ କରିବାର ଏକ ଅବସର ସୃଷ୍ଟି ହୋଇଛି । ସ୍ବଜନତୋଷଣ ନୀତି ଯୋଗୁଁ ଏହି ଶିଳ୍ପ ସମାଲୋଚନାର ଶରବ୍ୟ ହେବାକୁ ଯାଉଥିବା ବେଳେ ଭାରତର ମନୋରଞ୍ଜନ ଦିଗନ୍ତରେ ଆଶ୍ଚର୍ଯ୍ୟଜନକ ଭାବେ ଏପରି ଏକ ପରିପୂରକ ଜଗତର ଆବିର୍ଭାବ ଘଟିଛି ଯାହା, ଏପର୍ଯ୍ୟନ୍ତ ବିବଦମାନ ଲବି ବା କୁହାବୋଲା ଧାରାରୁ ଦୂରେଇ ରହିଥିବା ପରି ମନେ ହେଉଛି ।