ଚଣ୍ଡିଗଡ: ଦେଶରେ କୋରୋନା ମହାମାରୀର ସଂକ୍ରମଣକୁ ରୋକିବାକୁ ସରକାର କଡା ପଦକ୍ଷେପ ନେଉଛନ୍ତି । ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେବା ସହ ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ତେବେ କିଛି ଲୋକ ଏବେ ମଧ୍ୟ ଏହାକୁ ହାଲୁକା ଭାବେ ନେବା ସହ ସରକାରଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି । ଏପରି ସମୟରେ ଲୋକପ୍ରିୟ କମେଡିଆନ କପିଳ ଶର୍ମା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ।
କିଛି କୁକୁଡାଙ୍କ ଖାଦ୍ୟ ସଂଗ୍ରହ ସମୟର ଭିଡିଓ ସେୟାର କରି ସେ ଏମାନଙ୍କଠାରୁ ଶିଖିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଭିଡିଓରେ ଦେଖାଯାଉଛି ଯେ କିଛି କୁକୁଡା ନିଜ ନିଜ ଖାଦ୍ୟ ଅନ୍ବେଷଣରେ ବାହାରେ ବୁଲୁଛନ୍ତି । ଏହି ସମୟରେ ହଠାତ ଏକ ହର୍ଣ୍ଣ ଶୁଣି ସମସ୍ତେ ନିଜ ଘରକୁ ଦୌଡି ପଳାଉଛନ୍ତି । କପିଳ ଏହା ସେୟାର କରି ଲେଖିଛନ୍ତି ଯେ କାହା କଥା ନ ଶୁଣ ପଛେ ଏହି ଜୀବଙ୍କଠାରୁ ଅତିକମରେ କିଛି ଶିଖିନିଅ ।
ଘରେ ରହିବା ସହ ସରକାରଙ୍କ ନିର୍ଦ୍ଦେଶକୁ ମାନିବା ଲାଗି କପିଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସରକାର ଲୋକଙ୍କ ଭଲ ପାଇଁ ଚିନ୍ତା କରୁଥିବାବେଳେ ଏହାକୁ ଆମେ ପାଳନ କରିବା ଉଚିତ । ଏକାଠି ହୋଇ କୋରୋନା ବିରୋଧରେ ଲଢେଇ କରିବାକୁ ସେ ଆହ୍ବାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ଲକଡାଉନ ଘୋଷଣା ପରେ କପିଳ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି । ଘରେ ରହିବା ସହ ଘନିଷ୍ଠ ବନ୍ଧୁ ଓ ପରିବାର ସହ ସେ ସମୟ କାଟୁଛନ୍ତି । ନିଜ ଝିଅ ସହ ସମୟ କାଟିବା ସହ ସେ ଏହି ବିରତିର ମଜା ନେଉଛନ୍ତି । ସୁଟିଂ ଯୋଗୁଁ ଝିଅକୁ ମିସ କରୁଥିବାବେଳେ ଏବେ ସେ ବହୁତ ଖୁସି ଥିବା କପିଳ କହିଛନ୍ତି ।