ମୁମ୍ବାଇ: ଦିଲୀପ କୁମାର । ବଲିଉଡ ପାଇଁ ଏ ନାମ ହିଁ ଯଥେଷ୍ଟ । ଦୀର୍ଘ 6 ଦଶନ୍ଧି ଧରି ଲୋକଙ୍କ ହୃଦୟରେ ରାଜ୍ କରୁଥିବା ଦିଲୀପ କୁମାର ଆଉ ଆମ ଗହଣରେ ନାହାନ୍ତି । ସମସ୍ତଙ୍କୁ ଶୋକ ସାଗରେ ବୁଡାଇ ବୁଧବାର ସକାଳେ ଦୁନିଆକୁ ଅଲବିଦା କହିଛନ୍ତି ବଲିଉଡର କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାର । ତାଙ୍କ ବିୟୋଗ ବଲିଉଡରେ ଗୋଟିଏ ଯୁଗର ଅବସାନ ହେଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଟ୍ରାଜେଡି କିଙ୍ଗ ଭାବେ ପରିଚିତ ଦିଲୀପଙ୍କ ବିୟୋଗ ସିନେ ଜଗତ ପାଇଁ ଅପୂରଣୀୟ କ୍ଷତି । ପ୍ରେମ ହେଉ ବା ଫିଲ୍ମ ସବୁବେଳେ ଚର୍ଚ୍ଚାରେ ରହୁଥିଲେ ଦିଲୀପ । ଆସନ୍ତୁ ଜାଣିବା ଦିଲୀପଙ୍କ ବିଷୟରେ ସଂକ୍ଷେପରେ...
ଫିଲ୍ମ କ୍ୟାରିୟର...
ବଲିଉଡର ବେତାଜ ବାଦଶାହା ଦିଲୀପଙ୍କ ଫିଲ୍ମ କ୍ୟାରିୟର କଥା ଯଦି ଦେଖିବା ସେ 1944 ମସିହାରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ବମ୍ବେରେ ଶିକ୍ଷା ସାରିବା ପରେ ପ୍ରଖ୍ୟାତ ଦେବିକା ରାଣୀଙ୍କ ସହ ତାଙ୍କର ସାକ୍ଷାତ ହୁଏ । ଏଠୁ ହିଁ ତାଙ୍କୁ ପ୍ରଥମ ଫିଲ୍ମ ପାଇଁ ଅଫର ମିଳେ । ବଲିଉଡର ଚାରମିଙ୍ଗ୍ ହ୍ୟାଣ୍ଡସମ୍ ଆକ୍ଟର ଦିଲୀପଙ୍କୁ 1944ରେ ପରଦାରେ ଦେଖିବାକୁ ମିଳିଥିଲା । ଜ୍ବାର ଭଟ୍ଟା ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ବାସ୍ ତା ପରେ ସେ ଆଉ ପଛକୁ ଫେରି ନାହାନ୍ତି । ଦୀର୍ଘ 6 ଦଶନ୍ଧି ଧରି ସେ ବଲିଉଡରେ ତାଙ୍କର କମାଲ ଦେଖାଇ ଆସୁଥିଲେ । 60ରୁ ଊର୍ଦ୍ଧ୍ବ ସିନେମାରେ ଅଭିନୟ କରିଛନ୍ତି ସେ । ସେଥିରେ 2ଟି ବେଙ୍ଗଲୀ ଫିଲ୍ମ ମଧ୍ୟ ରହିଛି ।
ପୁରସ୍କାର...
କଠୋର ପରିଶ୍ରମ, ଦୃଢ ସଂକଳ୍ପ ତାଙ୍କୁ ଅନେକ ସଫଳତା ଆଣି ଦେଇଥିଲା । ନିଜ ଫିଲ୍ମ କ୍ୟାରିୟରରେ ବହୁ ଆୱାର୍ଡ ଜିତିଛନ୍ତି ଟ୍ରାଜେଡି କିଙ୍ଗ । 1995ରେ ଦାଦା ସାହେବ ଫାଲକେ ଆୱାର୍ଡ ସହ 8ଟି ଫିଲ୍ମ ଫେୟାର ଆୱାର୍ଡ ମିଳିଛି ତାଙ୍କୁ । ସେହିପରି 1991ରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାର, 1993ରେ ରାଜ କପୁର ଲାଇଫ ଟାଇମ ଆର୍ଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି ଦିଲୀପଙ୍କୁ । ବିବାଦୀୟ ନିଶାନ-ଇ-ଇମତାଜ ପାଇଁ ପାକିସ୍ତାନର ସର୍ବୋଚ୍ଚ ସିଭିଲିଆନ ଆୱାର୍ଡ 1997ରେ ତାଙ୍କୁ ମିଳିଛି ।
ନିଜ ନିଷ୍ପତ୍ତିକୁ ନେଇ କେବେ ବି ପଶ୍ଚାତାପ କରୁନଥିଲେ ଦିଲୀପ । କିନ୍ତୁ ଯେଉଁ ଫିଲ୍ମକୁ ସେ ପାଦରେ ଆଡେଇ ଦେଇଥିଲେ । ପରେ ସେହି ଫିଲ୍ମ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା । ‘ମଦର ଇଣ୍ଡିଆ’ ‘ସଙ୍ଗମ’ ଓ ‘ପ୍ୟାସ’ ଏହି ଫିଲ୍ମ ଗୁଡିକରେ ଅଭିନୟ ପାଇଁ ମନା କରିଦେଇଥିଲେ ସେ । କିନ୍ତୁ ପରେ ଏହି ମୁଭି ଗୁଡିକ ଜବରଦସ୍ତ ହିଟ୍ ହେବା ପରେ ଏଥିପାଇଁ ସେ ପଶ୍ଚାତାପ କରି ନଥିଲେ ।
ମୁଗଲ-ଏ ଆଜମ୍, ଗଙ୍ଗା ଯମୁନା, ମଶାଲ, ଦେବଦାସ, ରାମ୍ ଔର ଶ୍ୟାମ୍, କର୍ମା, ସୌଦାଗର ଭଳି ଫିଲ୍ମରେ ତାଙ୍କ ଅଭିନୟର ଯାଦୁଗରୀ ଦେଖିବାକୁ ମିଳିଥିଲା । ଲିଡର, ମଧୁମତୀ, ବିଧାତା ଦିଲୀପ କୁମାରଙ୍କ ଅନ୍ୟତମ ଶ୍ରେଷ୍ଠ ଫିଲ୍ମ।
କମେଡି ଫିଲ୍ମରେ ମଧ୍ୟ ତାଙ୍କର ଜଲୱା ଦେଖିବାକୁ ମିଳିଥିଲା । କୋହିନୂର, ଲିଡର,ଗୋପି, ଆଜାଦ, ରାମ ଔର ଶ୍ୟାମରେ ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ପାଇଥିଲେ ଦର୍ଶକ । କୁହାଯାଏ, ବିଟ୍ରିଶର ଜଣେ ମନୋବିଜ୍ଞାନୀ ତାଙ୍କୁ କମେଡି ଫିଲ୍ମ କରିବାକୁ ପରାମର୍ଶ ଦେଇଥିଲେ । ଦିଲୀପ ଜଣେ ଏପରି ଅଭିନେତା ଥିଲେ ଯିଏ ଅଭିନୟ ବେଳେ ସେହି ଚରିତ୍ରରେ ମଜ୍ଜି ଯାଉଥିଲେ । ତାଙ୍କର ଶେଷ ଅଭିନୀତ ଫିଲ୍ମ ଥିଲା 1998ର କିଲା ।
ନାରୀଙ୍କ ହୃଦୟରେ କରୁଥିଲେ ରାଜ୍...
କେବଳ ଅଭିନୟ ନୁହେଁ ପ୍ରେମ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଟ୍ରାଜେଡି କିଙ୍ଗ୍ । ହ୍ୟାଣ୍ଡସମ୍ ଆକ୍ଟରଙ୍କ ପାଇଁ ଝିଅଙ୍କ ହୃଦୟରେ କରୁଥିଲେ ରାଜ୍ । ଅନେକ ଯୁବତୀଙ୍କ ହୃଦୟରେ ସେ ବସା ବାନ୍ଧିଥିଲେ । ପରଦାରେ 11 ଜଣ ଅଭିନେତ୍ରୀ ସହ ତାଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରୁଥିଲେ । କୁହାଯାଏ 3 ଜଣ କୋ-ଷ୍ଟାରଙ୍କ ସହ ପ୍ରେମ ସମ୍ପର୍କ ଥିଲା । କାମିନୀ କୌଶଲ ତାଙ୍କର ପ୍ରଥମ ପ୍ରେମ ଥିଲା । କିନ୍ତୁ ସେ ବିବାହିତ ଥିଲେ । ପରେ ପରେ ସୁନ୍ଦରୀ ମଧୁବାଲାଙ୍କ ପ୍ରେମରେ ପଡି ଯାଆନ୍ତି ଦିଲୀପ । ଥରେ ସେ କହିଥିଲେ... ‘ ଜବ ତକ୍ ମେଁ ଜିନ୍ଦା ହୁଁ ତବ୍ ତକ୍ ମଧୁବାଲା ସେ ପ୍ୟାର କରୁଙ୍ଗା । ’ କିନ୍ତୁ ଏ ପ୍ରେମରେ ବି ପୂର୍ଣ୍ଣଚ୍ଛେଦ ପଡି ଯାଇଥିଲା । ଏହା ବି କୁହାଯାଏ କି ମଧୁବାଲା ଓ ଦିଲୀପ ଲୁଚିକି ନିବର୍ନ୍ଧ କରିଥିଲେ । ପରେ ତାଙ୍କ ସହ ସବୁ ସମ୍ପର୍କ କାଟି ଦେଇଥିଲେ ମଧୁବାଲା । କାମିନୀ ଓ ମଧୁବାଲା ପରେ ଦିଲୀପଙ୍କ ଲାଇଫରେ ଏଣ୍ଟ୍ରି ମାରିଥିଲେ ବୈଜନ୍ତିମାଲା । ତାଙ୍କ ସହ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ ଦିଲୀପ ।
ଦିଲୀପ ଓ ସାୟରା ବାନୁଙ୍କ ପ୍ରେମ ସମ୍ପର୍କ:
କୁହନ୍ତି ଯୋଡି ଉପରୁ ବନେଇଥାନ୍ତି ଭଗବାନ । 3 ଜଣଙ୍କ ସହ ପ୍ରେମ ସମ୍ପର୍କ ପରେ ଶେଷରେ ତାଙ୍କ ଜୀବନରେ ଆସିଥିଲେ ସାଇରା ବାନୁ । ଉଭୟଙ୍କ ପ୍ରେମ କାହାଣୀ ସମସ୍ତଙ୍କୁ ଉଣା ଅଧିକ ଜଣା । ହାଣ୍ଡସମ ଦିଲୀପଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ ସାଇରା । କିନ୍ତୁ ଉଭୟଙ୍କ ମଝିରେ ବାଧା ବୟସ ସାଜିଥିଲା । ହେଲେ ଏସବୁକୁ ଖାତିର କରୁନଥିଲେ ସାଇରା ବାନୁ । ପ୍ରେମମୟ ଜୀବନରେ ସେ କେବଳ ଦିଲୀପଙ୍କୁ ହିଁ ଚାହୁଁଥିଲେ । ଶେଷରେ 1966 ମସିହାରେ ସାଇରାଙ୍କୁ ଜୀବନ ସାଥି କରିଥିଲେ ଦିଲୀପ । ସାଇରା ଦିଲୀପଙ୍କ ଠାରୁ 22 ବର୍ଷ ସାନ । ଦିଲୀପ 44 ବର୍ଷରେ ସାଇରାଙ୍କୁ ବିବାହ କରିଥିଲେ । ସେତେବେଳେ ସାଇରାଙ୍କୁ 22 ବର୍ଷ ହୋଇଥିଲା ।
ଜୀବନର ଉଠାଣି-ଗଡାଣିରେ କେବେ ବି ଦିଲୀପଙ୍କ ସାଥ ଛାଡି ନଥିଲେ ସାଇରା । ସବୁବେଳେ ତାଙ୍କ ପାଖେ ପାଖେ ରହି ଆସିଛନ୍ତି । ଯେତେବେଳେ ଦିଲୀପଙ୍କ ପାଇଁ ସାଇରା ଦିୱାନି ଥିଲେ ସେ ସମୟରେ ଦିଲୀପ ହାଇଦ୍ରାବାଦୀ ବିଉଟି ଅସମା ରେହମାନଙ୍କ ସହ ସମ୍ପର୍କରେ ଥିଲେ । ସବୁ ପରେ ବି ଦିଲୀପଙ୍କ ସାଥ୍ କେବେ ଛାଡି ନଥିଲେ ସାଇରା । ଦିଲୀପଙ୍କୁ ସେ ‘କୋହିନୂର’ ବୋଲି କୁହନ୍ତି । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଦିଲୀପଙ୍କ ସହ ଥିଲେ ପତ୍ନୀ ।
ଆଜି ଏହି ବର୍ଷିୟାନ ଅଭିନେତା 98 ବର୍ଷ ବୟସରେ ଆଖି ବୁଜିଛନ୍ତି । ତାଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇପଡିଛି ବଲିଉଡ । ଦିଲୀପଙ୍କ ମୃତ୍ୟୁକୁ ବିଶ୍ବାସ କରିପାରୁନି ବଲିଉଡ । ତେବେ 5ଟା ବେଳେ ମୁମ୍ବାଇର ସାନ୍ତାକ୍ରୁଜରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ