ମୁମ୍ବାଇ: ଛୋଟ ପରଦାରେ ରିୟାଲିଟି ଶୋ ‘ବିଗବସ 14’ରେ ଦମଦାର ପ୍ରତିଯୋଗୀ ରୂପେ ନଜର ଆସିଥିବା ଏଜାଜ ଖାନ ଓ ପବିତ୍ରା ପୁନିଆଙ୍କ ଲଭ ଷ୍ଟୋରିକୁ ନେଇ ସବୁ ମହଲରେ ଚର୍ଚ୍ଚା । ଏହି ଯୋଡିଙ୍କ ମଧ୍ୟରେ ପ୍ରଥମେ ଖୁବ୍ ବିବାଦ ଦେଖିବାକୁ ମିଳିଥିଲା । ହେଲେ ଧିରେ ଧିରେ ଦୁଇଜଣଙ୍କ ଝଗଡା ପ୍ରେମରେ ପରିବର୍ତ୍ତନ ହୋଇଛି । ଆଉ ପବିତ୍ରାଙ୍କ ସହ ବିବାହକୁ ନେଇ ଏବେ ମୁହଁ ଖୋଲିଛନ୍ତି ଏଜାଜ ।
ଯଦି ସବୁ କିଛି ଠିକ୍ ରହିଲା ତାହାଲେ ଏବର୍ଷ ପବିତ୍ରାଙ୍କୁ ବିବାହ କରିବେ ଏଜାଜ ବୋଲି ଏକ ସାକ୍ଷାତକାରରେ ଯୋଗ ଦେଇ ସମସ୍ତଙ୍କୁ ଜଣାଇଛନ୍ତି । ଆଉ କହିଛନ୍ତି, ‘ଏବେ ବହୁତ ପରିଶ୍ରମ କରିବାକୁ ପଡିବ ପବିତ୍ରାଙ୍କୁ ବିବାହ କରିବା ପାଇଁ । ହେଲେ ସଠିକ୍ ସମୟ ଆସିଲେ ସବୁ ଠିକ୍ ହୋଇଯିବ । ଆଉ ଆମେ ଦୁହେଁ ବିବାହ କରିବୁ । ମୁଁ ଯୋଜନା କରୁଛି ଏବର୍ଷ ହିଁ ବିବାହ କରିବାକୁ । ଦେଖା ଯାଉ କଣ ହେବ । କିନ୍ତୁ ବିବାହ ପାଇଁ ପରିବାର ଲୋକଙ୍କୁ ପ୍ରଥମେ ବୁଝାଇବାକୁ ପଡିବ ।’
ଖାଲି ଏତିକି ନୁହେଁ ବିଗବସ ହାଉସରେ ଗଢି ଉଠିଥିବା ଏହି ପ୍ରେମ ବିଷୟରେ ସେ କହିଛନ୍ତି ଯେ ପ୍ରଥମେ ସେ ଏହାକୁ ନେଇ କନଫ୍ୟୁଜ ଥିଲେ । କାରଣ ‘ବିଗବସ’ ହାଉସରେ ଯାହା ବି ହେଉଛି ତାହା କେବଳ ଗେମ ପାଇଁ ହେଉଛି ବୋଲି ତାଙ୍କୁ ଲାଗୁଥିଲା । ହେଲେ ପରେ ସେ ଜାଣିପାରିଥିଲେ ଦୁଇଜଣଙ୍କ ମଧ୍ୟରେ ପରସ୍ପର ପାଇଁ ଯେଉଁ ଅନୁଭବ ଅଛି ତାହା ବାସ୍ତବ ।