ହାଇଦ୍ରାବାଦ: ୩ ଦଶନ୍ଧି ପରେ ଏବେ ସର୍ବସମ୍ମୁଖରେ ପ୍ରଦର୍ଶିତ ହୋଇଛି କାଶ୍ମୀର ପଣ୍ଡିତଙ୍କ ଦୁଃଖ ଓ ଦୁର୍ଦ୍ଦଶା । ଅନେକ ଦିନ ଧରି ଲୁଚି ରହିଥିବା ସତ୍ୟକୁ ଆଜି ପ୍ରତିଟି ଦେଶବାସୀ କରୁଛନ୍ତି ହୃଦୟଙ୍ଗମ । ଯେଉଁ କାଶ୍ମୀରରେ ହଜାର ବର୍ଷ ଧରି କାଶ୍ମୀର ପଣ୍ଡିତ ରହି ଆସୁଥିଲେ । ଯେଉଁ କାଶ୍ମୀର ଦିନେ କଶ୍ୟପ ଋଷିଙ୍କ ଭୂମି ରହିଥିଲା । ଯେଉଁଠି ନଦୀ, ପାହାଡ଼ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ମିଳନ ହୋଇ ପୃଥିବୀର ସ୍ବର୍ଗପୁରୀର ଆଖ୍ୟା ପାଇଛି ସେଠାରେ ହିଁ ୯୦ ଦଶକରେ ଜଳିଥିଲା ସାମୂହିକ ଚିତା । ଏହି ବର୍ବରତା କାଣ୍ଡକୁ ନା ଆଜି ଯାଏଁ କିଏ ଦେଖିଥିଲା ନା କିଏ ପ୍ରକୃତ ଘଟଣାକୁ ହୃଦୟଙ୍ଗମ କରିଥିଲେ । ଭିଟାମାଟି ଛାଡ଼ି ଏଣେତେଣେ ବୁଲୁଥିବା କାଶ୍ମୀର ପଣ୍ଡିତଙ୍କ ଦୁଃଖକୁ ନେଇ ଆସିଛି ଏକ ଫିଲ୍ମ । ଯାହାର ନାମ ହେଉଛି ଦି କାଶ୍ମୀର ଫାଇଲ୍ସ (The Kashmir Files) । ଯାହାକୁ ଖୋଦ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ପ୍ରଶଂସା କରିଥିବା ବେଳେ ଫିଲ୍ମ ଦେଖିବା ପାଇଁ କର୍ମଚାରୀ, ପୋଲିସଙ୍କୁ ଦିଆଯାଉଛି ସ୍ବତନ୍ତ୍ର ଛୁଟି ।
ଏହି ଫିଲ୍ମଟି ଅନେକ ବର୍ଷ ପରେ ପୁଣି ସେହି ହୃଦୟବିଦାରକ ଘଟଣାକୁ ତାଜା କରିଛି । ଆତଙ୍କବାଦୀ ଓ କୂଟନୀତିଜ୍ଞଙ୍କ ଅତ୍ୟାଚାରରେ ଅନିଷ୍ଠ ହୋଇ ପ୍ରାୟ ୨୦ ହଜାର କାଶ୍ମୀର ପଣ୍ଡିତ ନିଜ ଭିଟାମାଟି ଛାଡ଼ିଥିଲେ । ଏହି ଘଟଣାରେ କାଶ୍ମୀରରେ ୧୦୫ ସ୍କୁଲ କଲେଜ ସମେତ ୧୦୩ ମନ୍ଦିରକୁ ଧ୍ବଂସ କରାଯାଇଥିଲା । ଏକ ରିପୋର୍ଟ ଅନୁସାରେ ପ୍ରାୟ ୧୧୦୦ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଇଥିଲା । ୧୯୪୭ ମସିହା ପର୍ଯ୍ୟନ୍ତ କାଶ୍ମୀରରେ ହିନ୍ଦୁଙ୍କ ସଂଖ୍ୟା ୧୫% ରହିଥିବା ବେଳେ ୧୯୮୧ ପର୍ଯ୍ୟନ୍ତ ଏହା ୫% ରହିଥିଲା । ଏହାପରେ ୨୦୦୧ରେ ଏହା ୨.୭୭% କୁ ହ୍ରାସ ପାଇଥିଲା ।
କେବଳ ଶ୍ରୀନଗରରେ ୨୦୦୧ ସୁଦ୍ଧା ହିନ୍ଦୁଙ୍କ ସଂଖ୍ୟା ୪ ପ୍ରତିଶତ ରହିଥିବା ବେଳେ ଏହା ୨୦୧୧କୁ ୨.୬% ରେ ପହଞ୍ଚିଥିଲା । ଏବେ କାଶ୍ମୀରରେ ମାତ୍ର ୮୦୮ କାଶ୍ମୀର ପରିବାର ରହୁଛନ୍ତି । କିନ୍ତୁ ପୂର୍ବରୁ ପ୍ରାୟ ସାଢେ ୩ ହଜାର କାଶ୍ମୀର ପଣ୍ଡିତ ଉପତ୍ୟକାରେ ରହୁଥିଲେ । କାଶ୍ମୀର ପଣ୍ଡିତଙ୍କ ହତ୍ୟାର କଳା ଫର୍ଦ୍ଦ ୧୯୯୦ ଜାନୁଆରୀ ୧୯ ତାରିଖରେ ନା ଯେ କେବଳ ଆରମ୍ଭ ହୋଇଥିଲା । ଏଭଳି ଘଟଣା ଅତ୍ୟାଚାରର ଚରମ ସୀମାରେ ପହଞ୍ଚିଥିଲା ।
- ୧୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା କ୍ରୁରତା
ଏହି ନିଷ୍ଠୁରତା ଦଶ ବର୍ଷ ପୂର୍ବେ 1980 ମସିହାରେ ଆରମ୍ଭ ହୋଇଥିଲା । 80 ଦଶକର ଶେଷ ଭାଗରେ ପାକିସ୍ତାନରେ ଆତଙ୍କବାଦୀ ତାଲିମ ଆରମ୍ଭ ହୋଇଥିଲା । ଉପତ୍ୟକାରେ ପ୍ରଥମେ ବନ୍ଧୁକ ଉଠାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ସୈୟଦ ସଲାହୁଦ୍ଦିନ ଏବଂ ୟାସିନ ମଲିକ ମଧ୍ୟ ରହିଥିଲେ । ପ୍ରଥମ ଥର ପାଇଁ କାଶ୍ମୀରର ଲୋକମାନେ ଧର୍ମ ନାମରେ ବିଭକ୍ତ ହେବାକୁ ଲାଗିଲେ। ସ୍ଥାନୀୟ ଲୋକଙ୍କ ମନରେ ବିଷ ଭରିବା ଆରମ୍ଭ ହୋଇଥିଲା। 1987 ବିଧାନସଭା ନିର୍ବାଚନରେ ଠକେଇ ଅଭିଯୋଗ ଆସିଲା । ଏହା ପରେ ବହୁ ସଂଖ୍ୟକ ଯୁବକ ଅସ୍ତ୍ର ଉଠାଇଲେ ଏବଂ ୯୦ ଦଶକର ରକ୍ତାକ୍ତ ଖେଳ କାଶ୍ମୀରରେ ଆରମ୍ଭ ହୋଇଥିଲା ଯାହା ଆଜି ପର୍ଯ୍ୟନ୍ତ ଉପତ୍ୟକାକୁ ଲିଭିବାର ନାଁ ଧରୁନାହିଁ ।
ଏହି ଜିହାଦ (ଧର୍ମଯୁଦ୍ଧ) କାଶ୍ମୀର ପଣ୍ଡିତମାନଙ୍କୁ ଜୀବିତ ଅବସ୍ଥାରେ ନର୍କର ନିଆଁକୁ ଠେଲି ଦେଇଥିଲା । 1989 ମସିହାରେ କାଶ୍ମୀରରେ ଆତଙ୍କବାଦ ଯୁଗ ବିସ୍ତାର ହେବାକୁ ଲାଗିଲା । ହିଜବୁଲ ମୁଜାହିଦ୍ଦିନ ଏବଂ ଜେକେଏଲ୍ଏଫ୍ କାଶ୍ମୀରରେ ଜିହାଦ ଘୋଷଣା କରିଥିଲେ। ଏହା ପରେ ବୁଲେଟ ବର୍ଷା ମାଧ୍ୟମରେ ମୃତ୍ୟୁର ତାଣ୍ଡବ ଆରମ୍ଭ ହେଲା । ଉପତ୍ୟକାରେ କାଶ୍ମୀର ପଣ୍ଡିତମାନଙ୍କ ଖରାପ ଦିନର ପ୍ରଥମ ସଙ୍କେତ 14 ସେପ୍ଟେମ୍ବର 1989 ରେ ଆଗମନ ହୋଇଥିଲା । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ତଥା କାଶ୍ମୀର ପଣ୍ଡିତ ତିଲକ ଲାଲ ତପଲୁଙ୍କୁ ଜେ.କେ.ଏଲ.ଏଫ ହତ୍ୟା କରିଥିଲା । ଏହା ପରେ ଜଷ୍ଟିସ ନୀଳ କାନ୍ତ ଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଗଲା । ସେହି ସମୟର ଅଧିକାଂଶ ହିନ୍ଦୁ ନେତାଙ୍କୁ ହତ୍ୟା କରାଯାଇଥିଲା । ଆତଙ୍କବାଦୀମାନେ 300 ରୁ ଅଧିକ ହିନ୍ଦୁଙ୍କୁ ହତ୍ୟା କରିଥିଲେ ।
- ଜମାତ-ଏ-ଇସଲାମୀ
କାଶ୍ମୀର ପଣ୍ଡିତଙ୍କ ଉପରେ ଆରମ୍ଭ ହୋଇଥିବା ଏହି ଅତ୍ୟାଚାରରେ ସାମିଲ ଥିଲା ଜିହାଦି ସଂଗଠନ ଜମାତ-ଏ-ଇସଲାମୀ । ଏହି ସଂଗଠନ ୧୯୮୯ ମସିହାରେ ଇସଲାମିକ ଡ୍ରେସ କୋଡ଼ ଲାଗୁ କରିଥିଲା । ଏହା ପରେ ନାରା ଦିଆଗଲା ଯେ 'ହମ୍ ସବ୍ ଏକ୍, ତୁମ ଭାଗୋ ୟା ମରୋ' । ଏହାପରେ କାଶ୍ମୀର ପଣ୍ଡିତ ଉପତ୍ୟକା ଛାଡ଼ିବାକୁ ଲାଗିଲେ । କୋଟିପତି କାଶ୍ମୀର ପଣ୍ଡିତ ନିଜ ଭିଟାମାଟି ଛାଡ଼ି ଜୀବନ ବିକଳରେ ପଳାୟନ କଲେ । ଏଠାକାର ଉର୍ଦ୍ଦୁ ଖବରକାଗଜ ମଧ୍ୟ ପଣ୍ଡିତଙ୍କୁ ଚିନ୍ତାରେ ପକାଇଥିଲା । ହିଜବ-ଉଲ-ମୁଜାହିଦ୍ଦିନ ଲେଖିଥିଲେ ଯେ ସମସ୍ତ ହିନ୍ଦୁ 'ନିଜ ଜିନିଷପତ୍ର ବାନ୍ଧ ଆଉ କାଶ୍ମୀର ଛାଡ଼ି ଚାଲି ଯାଅ' ।
ଏହାପରେ କାଶ୍ମୀର ପଣ୍ଡିତଙ୍କ ଘର ଆଗରେ ନୋଟିସ ଲଗାଯାଉଥିଲା । ଏଥିରେ ଲେଖାଥିଲା ଯେ 'ମୁସଲିମ ଧର୍ମକୁ ଗ୍ରହଣ କର ନଚେତ କାଶ୍ମୀର ଛାଡ଼ି ଚାଲିଯାଅ' । ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ କାଶ୍ମୀର ମୁସଲମାନଙ୍କୁ ଟିଭିରେ ଭାରତରୁ ଅଲଗା ହେବାକୁ ଉତ୍ସାହିତ କରିଥିଲେ। କାଶ୍ମୀରର ପଣ୍ଡିତମାନେ ଗୋଟିଏ ରାତି ମଧ୍ୟରେ ସବୁକିଛି ଛାଡିବାକୁ ବାଧ୍ୟ ହୋଇଥିଲେ। କାଶ୍ମୀର ପଣ୍ଡିତଙ୍କ ପରିବାର ଆଜି ମଧ୍ୟ ସେହି କଳା ରାତି ଭୁଲିପାରିନାହାନ୍ତି । ବନ୍ଧୁକ ମୁନରେ ଧ୍ବଂସ ହୋଇଥିଲା କାଶ୍ମୀର ପଣ୍ଡିତଙ୍କ ବସ୍ତି ।
- ୭୦ ଅପରାଧୀଙ୍କୁ ଜେଲରୁ ହୋଇଥିଲେ ମୁକ୍ତ
ଆତଙ୍କବାଦୀମାନେ କ୍ରୁରତାର ସୀମା ଅତିକ୍ରମ କରିଥିବାରୁ କାଶ୍ମୀରି ପଣ୍ଡିତମାନେ ନିଜ ଘର ଛାଡି ଦୂର ଦେଶରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ। ସେହି ସମୟରେ ଯେତେବେଳେ କାଶ୍ମୀର ପଣ୍ଡିତମାନଙ୍କ ଉପରେ ଅତ୍ୟାଚାରର ଅନ୍ଧକାର ଅଧ୍ୟାୟ ଲେଖାଯାଉଥିଲା, ସେତେବେଳେ କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିଲେ ଫାରୁଖ ଅବଦୁଲ୍ଲା । ଜୁଲାଇରୁ ନଭେମ୍ବର ୧୯୮୯ ପର୍ଯ୍ୟନ୍ତ ପ୍ରାୟ ୭୦ ଅପରାଧୀଙ୍କୁ ଜେଲରୁ ମୁକ୍ତ କରାଗଲା ।
ତେବେ ଏହି ଅପରାଧୀମାନଙ୍କୁ କାହିଁକି ମୁକ୍ତ କରାଗଲା ? ଆପଣଙ୍କ ମନରେ ମଧ୍ୟ ଠିକ ଏହି ପ୍ରଶ୍ନ ଆସୁଥିବ । ଏହାର ଉତ୍ତର ଆଜି ପର୍ଯ୍ୟନ୍ତ କେହି ଦେଇ ନାହାଁନ୍ତି । କିନ୍ତୁ ଏହା ପରେ କାଶ୍ମୀରରେ ଘଟିଥିବା ବର୍ବରକାଣ୍ଡକୁ ସାରା ବିଶ୍ବ ଦେଖିଛି । ୧୯୯୩ ମସିହା ୧୪ ଅଗଷ୍ଟରେ, ଡୋଡାଠାରେ ଏକ ବସ୍ ଅଟକାଇ ୧୫ ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା । ୧୯୯୭ ମାର୍ଚ୍ଚ ୨୧ରେ ଜମ୍ମୁର ସଂଗ୍ରାମପୁରରେ 7 ଜଣ କାଶ୍ମୀର ପଣ୍ଡିତଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା । ୧୯୯୮ ଜାନୁୟାରୀ ୨୫ ରେ, ସଶସ୍ତ୍ର ଆତଙ୍କବାଦୀମାନେ ୪ କାଶ୍ମୀର ପରିବାରର ୨୩ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ।
୧୯୯୮ ଏପ୍ରିଲ ୧୭ରେ, ୧୧ଜଣ ଶିଶୁଙ୍କ ସମେତ ଉଧମପୁରରେ ୨୭ ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା । କାଶ୍ମୀରକୁ ପୃଥିବୀର ଭୂସ୍ବର୍ଗ କୁହାଯାଏ । କିନ୍ତୁ ଏହି ସ୍ବର୍ଗପୁରୀରେ କାଶ୍ମୀର ପଣ୍ଡିତଙ୍କ ଅନ୍ଧକାର ଜୀବନର ଅଧ୍ୟାୟ ଲେଖାଯାଇଥିଲା । ନିଜ ଦେଶରେ ନିଜ ପୈତୃକ ସମ୍ପତ୍ତି ତ୍ୟାଗ କରି ପ୍ରାଣ ବିକଳରେ ପଳାୟନ କରିଥିଲେ କାଶ୍ମୀରି ପଣ୍ଡିତ । ଆଜି ଉପତ୍ୟକାରେ କାଶ୍ମୀର ପଣ୍ଡିତଙ୍କ ଜନସଂଖ୍ୟା ମାତ୍ର ୦.୧% କୁ ହ୍ରାସ ପାଇଛି । କାଶ୍ମୀରି ପଣ୍ଡିତମାନେ ଜମ୍ମୁ ତଥା ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଶରଣାର୍ଥୀ ଶିବିରରେ ରହିବାକୁ ବାଧ୍ୟ ହୋଇଥିଲେ ।
- ଦାଣ୍ଡର ଭିକାରି ହୋଇଗଲେ କୋଟିପତି କାଶ୍ମୀର ପଣ୍ଡିତ
ଜମ୍ମୁର ୧୧ଟି ରିଲିଫ୍ କ୍ୟାମ୍ପରେ କାଶ୍ମୀର ପଣ୍ଡିତଙ୍କ ଜନସଂଖ୍ୟା ପ୍ରାୟ ୧.୮ ଲକ୍ଷ ଥିଲା । ସେମାନଙ୍କର ଯନ୍ତ୍ରଣା ଶୁଣିବାକୁ କେହି ନଥିଲେ । ଅଲ କାଶ୍ମୀର ପଣ୍ଡିତ ସମନ୍ବୟ କମିଟି ଅନୁଯାୟୀ ୬୨ ହଜାର ବିସ୍ଥାପିତ ପରିବାର କାଶ୍ମୀର ଉପତ୍ୟକା ବାହାରେ ରହୁଛନ୍ତି । ଏଥିମଧ୍ୟରୁ ୪୦ ହଜାର ପରିବାର ଜାମ୍ମୁରେ, ୨୦ ହଜାର ପରିବାର ଦିଲ୍ଲୀରେ ଥିବାବେଳେ ଅବଶିଷ୍ଟ ୨ ହଜାର ପରିବାର ଦେଶର ଅନ୍ୟ ସହରରେ ରହିବାକୁ ବାଧ୍ୟ ହୋଇଛନ୍ତି । ହତ୍ୟାକାଣ୍ଡ ପରେ କାଶ୍ମୀର ପଣ୍ଡିତଙ୍କ ଜନସଂଖ୍ୟା ହ୍ରାସ ପାଇଛି । ଏକ ରିପୋର୍ଟ ଅନୁଯାୟୀ ୧୯୯୦ ରୁ ୨୦୧୪ ମଧ୍ୟରେ ୬୨ ହଜାର କାଶ୍ମୀର ପରିବାରରେ କେବଳ ୧୦ ହଜାର ଶିଶୁ ଜନ୍ମ ହୋଇଥିଲେ ।
ଏହି ସମୟ ମଧ୍ୟରେ କାଶ୍ମୀରରୁ ୨୩ ହଜାର ୭୦୮ କାଶ୍ମୀର ପଣ୍ଡିତଙ୍କର ମୃତ୍ୟୁ ହୋଇଥିଲା । ଏହା ବିରଳ ଥିଲା ଯେଉଁଠି ଜନ୍ମ ତୁଳନାରେ ମୃତ୍ୟୁର ହାର ଅଧିକ ରହିଥିଲା । ସ୍ବର୍ଗପୁରୀ କାଶ୍ମୀରକୁ ଅଲବିଦା କହି ଅପରିଷ୍କାର ବସ୍ତିକୁ ଆଦରି ନେଇଥିଲେ ଏହି ବିତାଡିତ କାଶ୍ମୀର ପଣ୍ଡିତ । ସରକାର କେବଳ ପ୍ରତିଶ୍ରୁତି ଦେଇଥିଲେ, ହେଲେ ସେମାନଙ୍କ ଲୁହ ପୋଛିବାକୁ କେହି ନଥିଲେ । ୨୦୧୪ ଜୁଲାଇ ୧୦ରେ କାଶ୍ମୀର ପଣ୍ଡିତଙ୍କ ପୁନର୍ବାସ ପାଇଁ ୫୦୦ କୋଟି ଆବଣ୍ଟନ କରାଯାଇଥିଲା । ୨୦୧୪ ସେପ୍ଟେମ୍ବର ୫ ତାରିଖରେ ରାଜନାଥ ସିଂ ତତ୍କାଳୀନ ସିଏମ ଅମର ଅବଦୁଲ୍ଲାଙ୍କୁ କାଶ୍ମୀର ପଣ୍ଡିତଙ୍କ ଥଇଥାନ ପାଇଁ ଜମି ମାଗିଥିଲେ।
ବିଚ୍ଛିନ୍ନତାବାଦୀମାନେ କେନ୍ଦ୍ର ସରକାରଙ୍କ ଯୋଜନାକୁ ବିରୋଧ କରିଥିଲେ । ୨୦୧୫ ଏପ୍ରିଲ ୭ ତାରିଖରେ କାଶ୍ମୀର ପଣ୍ଡିତମାନଙ୍କ ଟାଉନସିପ୍ ପାଇଁ କେନ୍ଦ୍ର ଜମି ମାଗିଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଫ୍ତି ମହମ୍ମଦ ସଇଦ ଜମି ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ୨୦୧୫ ମସିହା ଏପ୍ରିଲ ୮ ତାରିଖରେ କିନ୍ତୁ ଏହା ଉପରେ ୟୁ-ଟର୍ଣ୍ଣ ମାରିଥିଲେ ମୁଫ୍ତି । ୨୦୧୭ ମସିହା ଜାନୁଆରୀ ୧୯ ତାରିଖରେ ଜମ୍ମୁକାଶ୍ମୀର ବିଧାନସଭାରେ କାଶ୍ମୀର ପଣ୍ଡିତଙ୍କୁ ଫେରାଇ ଆଣିବାକୁ ପ୍ରସ୍ତାବ ପାରିତ ହେଲା । ୨୦୧୭ ଜାନୁଆରୀ ୨୪ରେ ଜମ୍ମୁକାଶ୍ମୀର ସରକାର ପୁନର୍ବାସ ପାଇଁ ୮ଟି ସ୍ଥାନରେ ୧୦୦ ଏକର ଜମି ଚିହ୍ନଟ କଲେ ।
କିନ୍ତୁ ଏଯାଏଁ କାଶ୍ମୀର ପଣ୍ଡିତମାନେ ସେମାନଙ୍କ ଘର ବସାଇ ପାରିନାହାନ୍ତି । ସେମାନେ ଭୋଗିଥିବା କ୍ରୁରତା ଉପଶମ ତ ହେବା ପରିବର୍ତ୍ତେ ଏହାକୁ ରାଜନୈତିକ ପ୍ରସଙ୍ଗ କରି ବାରମ୍ବାର କାଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣାରେ ଜାତନା ଦିଆଯାଉଛି । ଏବେ ଫିଲ୍ମଟି ରିଲିଜ ହେବା ପରେ କାଶ୍ମୀର ପଣ୍ଡିତଙ୍କ ଦୁର୍ଦ୍ଦିନ ହୋଇଛି ତାଜା । ଫିଲ୍ମକୁ ବିରୋଧ କରିବା ବା ସମର୍ଥନ କରିବା ପ୍ରତ୍ୟେକଟି ନାଗରିକର କର୍ତ୍ତବ୍ୟ । ହେଲେ ଏହାର ସତ୍ୟତା ପ୍ରତିଟି ଦେଶବାସୀ ନିକଟରେ ପହଞ୍ଚିବା ଜରୁରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ