ମୁମ୍ବାଇ: ଟିଭିର ରିୟାଲିଟି ଶୋ ‘ବିଗବସ’ର ବଢିଚାଲିଛି ସିଜନ । ଏଯାବତ 13ଟି ସିଜନ ଦେଖିସାରିଲେଣି ଦର୍ଶକ । ଗତ 13ଟି ସିଜନ ହୋଷ୍ଟ କରିଆସୁଛନ୍ତି ସୁପରଷ୍ଟାର ସଲମାନ ଖାନ । ଏହାର ପ୍ରଥମ ସିଜନ ହୋଷ୍ଟ କରିଥିଲେ ବି-ଟାଉନର ସର୍କିଟ ଅର୍ଶଦ ୱାରସୀ । ଏହାପରେ ସେ କେବେ ମଧ୍ୟ ବିଗବସ ଦେଖିନାହାଁନ୍ତି । ଏକଥା ଆମେ କହୁନାହୁଁ । ଏହାର ଖୁଲାସା ସେ ନିଜେ କରି ବର୍ତ୍ତମାନ ଚର୍ଚ୍ଚାରେ ।
ସେ ଏକ ସାକ୍ଷାତକାରରେ ‘ବିଗବସ’ ବିଷୟରେ ଆଲୋଚନା କରି କହିଥିଲେ, ‘ମୁଁ ଏହି ଶୋ ଦେଖୁନାହିଁ । ମୁଁ ଏହାର କୌଣସି ବି ଏପିସୋଡ ଦେଖିନାହିଁ । ବାସ୍ତବରେ କହିବାକୁ ଗଲେ ମତେ ବିଗବସ ଶୋ ଇଣ୍ଟରେଷ୍ଟିଂ ଲାଗେ ନାହିଁ । ଏହା ସେହିପରି ଶୋ ଯାହାକୁ ଥରେ ଆପଣ ଦେଖିବେ ଆଉ ସବୁବେଳେ ଦେଖିବାକୁ ଇଚ୍ଛା କରିବେ । ଯେଉଁ ଦିନ ମୁଁ ଏହାକୁ ଦେଖିବା ଆରମ୍ଭ କରିବି, ମୁଁ ତାହା ବିଷୟରେ ଜାଣିପାରିବି । ହେଲେ ମୁଁ ଅନ୍ୟର ଦୁଃଖ ଏବଂ ସେପରି ଜିନିଷ ଦେଖି ଉପଭୋଗ କରିପାରିବି ନାହିଁ ।’
ପ୍ରକାଶ ଥାଉକି ‘ବିଗବସ 14’ରୁ ଏଥର ଆଉଟ ହୋଇଯାଇଛନ୍ତି ପପୁଲାର ଗାୟକ ରାହୁଲ ବୈଦ୍ୟ । ଶୋରେ ‘ମିଡ ୱିକ’ ଫିନାଲେ ମଧ୍ୟ ହୋଇସାରିଛି । ଯେଉଁଥିରେ 6 ଚ୍ୟାଲେଞ୍ଜର ଏଣ୍ଟ୍ରି କରିଥିଲେ ।