ମୁମ୍ବାଇ: ୱାର୍ଲ୍ଡ କ୍ୟାନ୍ସର ଡେରେ ନିଜ କ୍ୟାନ୍ସର ବିଷୟରେ ଆଲୋଚନା କରି ଏବେ ଚର୍ଚ୍ଚାରେ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ପିତା ତଥା ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା ରାକେଶ ରୋଶନ । ଆଜି ପୁରା ବିଶ୍ବବାସୀ କର୍କଟ ଦିବସ ପାଳନ କରୁଛନ୍ତି । ଏହି ଅବସରରେ ନିଜ କ୍ୟାନ୍ସର ବିଷୟରେ ପ୍ରଶଂସକଙ୍କୁ ଜଣାଇଛନ୍ତି ରାକେଶ ।
ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ‘ମୁଁ ଟେଷ୍ଟ ପୂର୍ବରୁ ଜାଣିସାରିଥିଲେ ମତେ କ୍ୟାନ୍ସର ହୋଇଛି । ହେଲେ ଏହି ରୋଗ ମତେ କେବେ ଅଧିକ ଯନ୍ତ୍ରଣା ଦେଇନଥିଲା । କିନ୍ତୁ ଟେଷ୍ଟ ପୂର୍ବରୁ ମୋ ମନରେ କ୍ୟାନ୍ସର ହେବା କଥା ବାରମ୍ବାର ଆସୁଥିଲା । ମୁଁ ଡାକ୍ତରଙ୍କୁ ମଧ୍ୟ ମୋ ଅନୁଭବ ବିଷୟରେ କହିଥିଲି । ଏହା ମୋତେ ମାନସିକ ସ୍ତରରେ ବିଚଳିତ କରିନଥିଲା । ମୁଁ ଏହାକୁ ସାହସର ସହିତ ଗ୍ରହଣ କରିଥିଲି । କର୍କଟ ରୋଗରେ ଆକ୍ରାନ୍ତ ଥିଲି। ହେଲେ ମୋର ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେଇ କ୍ୟାନ୍ସରଙ୍କୁ ମାତ୍ ଦେବାରେ ମୁଁ ସଫଳ ହୋଇଛି ।’
ପ୍ରକାଶ ଥାଉକି ରାକେଶ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଆଉ ଜିମରେ ୱାର୍କଆଉଟ କରି ନିଜକୁ ଫିଟ୍ ରଖିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଅନେଥର ତାଙ୍କ ୱାର୍କଆଉଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଲାଣି ।