ମୁମ୍ବାଇ: ଗୁରୁବାର ରିଲିଜ ହୋଇଯାଇଛି ଅନୁରାଗ ବାସୁଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଲୁଡୋ’ । ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଫିଲ୍ମର ମଜା ଉଠାଇଛନ୍ତି ଦର୍ଶକ । ଅଭିଷେକ ବଚ୍ଚନ, ରାଜକୁମାର ରାଓ, ଆଦିତ୍ୟ ରାୟ କପୁର, ଫାତିମା ସନା ସେଖ ଓ ସନୟା ମଲହୋତ୍ରାଙ୍କ ଭଳି କଳାକାରଙ୍କ ଦମଦାର ଅଭିନୟ ଫିଲ୍ମରେ ଦେଖିବାକୁ ମିଳିଛି । ଇତିମଧ୍ୟରେ ଲୋକପ୍ରିୟ ଅଭିନେତା ରାଜକୁମାର ଫିଲ୍ମ ନିର୍ଦ୍ଦେଶକଙ୍କୁ ନେଇ ମନ କଥା ଜଣାଇଛନ୍ତି । ସେ ଏମିତି ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ଯିଏ ନୂଆ ନୂଆ ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଭଲ ପାଆନ୍ତି ।
ଏହି ବିଷୟରେ ସେ ଆଲୋଚନା କରି କହିଛନ୍ତି, ‘ମୁଁ ସବୁବେଳେ ନୂଆ ନୂଆ ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଭଲ ପାଏ । ଯାହାଦ୍ବାରା ମତେ ଅନେକ ଜିନିଷ ଶିଖିବାକୁ ମିଳେ । ମୋ ପାଖରେ ତାଲିକା ନାହିଁ କିନ୍ତୁ ମୁଁ ଆଞ୍ଚଳିକ ସିନେମାରେ ଥିବା ସମସ୍ତ ନିର୍ଦ୍ଦେଶକଙ୍କ ସହିତ କାମ କରିବାକୁ ଚାହୁଁଛି । ମୁଁ ବହୁତ ଲୋଭୀ ଏବଂ ଯଦି ସେମାନେ ମୋ ସହ କାମ କରିବାକୁ ଚାହାଁନ୍ତି ତେବେ ସେମାନଙ୍କ ନିକଟରେ ପହଞ୍ଚିବାକୁ ମୁଁ ସବୁବେଳେ ଚେଷ୍ଟା କରେ । କାରଣ ଫିଲ୍ମ ଏକ ନିର୍ଦ୍ଦେଶକଙ୍କ ମାଧ୍ୟମ । ତୁମେ ଯେତେ ମହାନ ନିର୍ଦ୍ଦେଶକଙ୍କ ସହିତ କାମ କରିବ, ତୁମେ ଜଣେ ଅଭିନେତା ଭାବରେ ଆଗକୁ ବଢି ପାରିବ । ଏହା ଯାଦୁଭରା ଥିଲା, ଯେତେବେଳେ ମୁଁ ଅନୁରାଗ ବାସୁଙ୍କ ଦୁନିଆରେ ଥିଲି ଯେଉଁଠାରେ ମୁଁ ସବୁକିଛି ସୁନ୍ଦର ବୋଲି ଅନୁଭବ କରିଥିଲି । ତାହା ହେଉଛି ତାଙ୍କର ଗୁଣ | ଯେତେବେଳେ ତୁମେ ତାଙ୍କ ଚାରିପାଖରେ ଥାଅ, ସେ ତୁମକୁ ଅନୁଭବ କରାଇଥାନ୍ତି ଯେ ଜୀବନ ବହୁତ ସୁନ୍ଦର ବୋଲି । ତୁମେ ଜୀବନ ବିଷୟରେ ବହୁତ ଖୁସି ଅନୁଭବ କରିପାରିବ । ଜଣେ ବ୍ୟକ୍ତି ପରି, ତୁମେ ତାଙ୍କୁ ଦେଖି ବହୁତ ଖୁସି ଅନୁଭବ କରିବ |’
ପ୍ରକାଶ ଥାଉକି ହଂସଲ ମେହତାଙ୍କ ସହ ପାଖାପାଖି 6ଟି ଫିଲ୍ମରେ କାମ କରିଥିବା ବେଳେ ରାଜକୁମାର ଅଭିଷେକ କପୁରଙ୍କ ସହ ଫିଲ୍ମ ‘କାଇ ପୋ ଚେ’ ରେ ଅଭିନୟ କରିଥିଲେ । ସେହିପରି ଅଶ୍ବିନୀ ଆୟର, ବିକ୍ରମଦିତ୍ୟ ମୋଟୱାନେ, ଅମର କୌଶିକ ଓ ଅନୁରାଗ ବାସୁଙ୍କ ଭଳି ନିର୍ଦ୍ଦେଶନାରେ କାମ କରିସାରିଲେଣି ସେ । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ ।