ମୁମ୍ବାଇ: ଅଭିନେତା ପ୍ରତୀକ ଗାନ୍ଧୀଙ୍କ ମ୍ୟୁଜିକାଲ ଡ୍ରାମା ଫିଲ୍ମ 'ରାବନ ଲୀଲା'ର ଟାଇଟେଲକୁ ପରିବର୍ତ୍ତନ କରାଯାଇଛି । ଏହି ଫିଲ୍ମର ନୂଆ ନାମ ରଖାଯାଇଛି 'ଭବାଇ' । ଏ ସମ୍ପର୍କରେ ମଙ୍ଗଳବାର ମେକର୍ସ ଘୋଷଣା କରିଛନ୍ତି । ତେବେ ଦର୍ଶକମାନେ ଏହି ଟାଇଟେଲରେ କିଛିଟା ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲେ । ଏଥିଲାଗି ମେକର୍ସ ଏହାର ନାମକୁ ପରିବର୍ତ୍ତନ କରିଛନ୍ତି ବୋଲି ଜଣାପଡ଼ିଛି ।
ଏହି ମ୍ୟୁଜିକାଲ ଡ୍ରାମା ଫିଲ୍ମ 'ଭବାଇ' ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବ ବୋଲି ନିର୍ଦ୍ଦେଶକ ହାର୍ଦ୍ଦିକ ଗଜ୍ଜର କହିଛନ୍ତି । ଦର୍ଶକ ଓ ଷ୍ଟେକ ହୋଲ୍ଡରଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଏହି ଫିଲ୍ମର ନାମକୁ ପରିବର୍ତ୍ତନ କରାଯାଇଛି ବୋଲି କହିଛନ୍ତି ହାର୍ଦ୍ଦିକ । ବର୍ତ୍ତମାନ ସମୟରେ ଦର୍ଶକଙ୍କୁ ଏକ ଭଲ ଫିଲ୍ମ ଭେଟିବା ପାଇଁ ମେକର୍ସ ଯଥା ସମ୍ଭବ ପ୍ରୟାସ କରିଛନ୍ତି । ସେପଟେ 'ସ୍କାମ ୧୯୯୨- ଦି ହର୍ସଦ ମେହତା ଷ୍ଟୋରୀ' ଷ୍ଟାର ପ୍ରତୀକଙ୍କୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ । ଏଥିଲାଗି ଫିଲ୍ମଟି ନିଶ୍ଚୟ ସଫଳ ହେବ । ଏହି ଫିଲ୍ମଟି ପୁରା ଟିମର ହୃଦୟର ଅତି ନିକଟତର । ଏଣୁ ଦୃଢ ବିଶ୍ବାସ ଫିଲ୍ମକୁ ଦର୍ଶକ ନିଶ୍ଚିତ ପସନ୍ଦ କରିବେ ବୋଲି କହିଛନ୍ତି ହାର୍ଦ୍ଦିକ ।
ଏହି ଫିଲ୍ମରେ ପ୍ରତୀକଙ୍କ ସହିତ କୋ-ଷ୍ଟାର ଭାବେ ଏନ୍ଦ୍ରିତା ରାୟ, ରାଜେନ୍ଦ୍ର ଗୁପ୍ତା, ରାଜେଶ ଶର୍ମା ଓ ଅଭିମନ୍ୟୁ ସିଂ ପ୍ରମୁଖ ଅଭିନୟ କରିଛନ୍ତି । ତେବେ ଚଳଚ୍ଚିତ୍ରଟି ଅକ୍ଟୋବର ୧ ତାରିଖରେ ରିଲିଜ ହେବ ବୋଲି ଜଣାପଡ଼ିଛି । ଏହି ଫିଲ୍ମଟି ପେନ ଷ୍ଟୁଡ଼ିଓ ଡକ୍ଟର ଜୟନ୍ତିଲାଲ ଗଡ଼ା ଉପସ୍ଥାପନା କରିଥିବା ବେଳେ ଦଭଲ ଜୟନ୍ତିଲାଲ ଗଡ଼ା, ଅକ୍ଷୟ ଜୟନ୍ତିଲାଲ ଗଡ଼ା, ପାର୍ଥ ଗଜ୍ଜର ଓ ହାର୍ଦ୍ଦିକ ଗଜ୍ଜର ପ୍ରଡ୍ୟୁସ କରିଛନ୍ତି ।
ଅଭିନେତା ପ୍ରତୀକ ଗାନ୍ଧୀ ପୂର୍ବରୁ ବଲିଉଡ଼ ଫିଲ୍ମ 'ଲଭୟାତ୍ରୀ', 'ମିତ୍ରୋଁ' ଓ ଗୁଜୁରାଟି ଫିଲ୍ମ 'ବେ ୟାର' ଓ 'ରଙ୍ଗ ସାଇଡ଼ ରାଜୁ' ଆଦି ଫିଲ୍ମରେ ଅଭିନୟ କରିଛନ୍ତି । ଏହାସହିତ ସେ ଗୁଜୁରାଟି ଫିଲ୍ମ ପାଇଁ ବେଷ୍ଟ ଫିଚରରେ ଜାତୀୟ ପୁରସ୍କାର ଜିତିଥିଲେ ।
@PTI