ମୁମ୍ବାଇ: ସୋସିଆଲ ମିଡିଆରେ ସମସ୍ତେ ଷ୍ଟାର ହେବାକୁ ଚାହୁଁଛନ୍ତି । ଫେସବୁକ, ଇନଷ୍ଟାଗ୍ରାମ, ଟ୍ବିଟର ଓ ୟୁଟ୍ୟୁବରେ ଅନେକ ଲୋକ ନିଜର କଣ୍ଟେଣ୍ଟ ଅପଲୋଡ କରି ଫେମସ ହେବାକୁ ଚେଷ୍ଟା ଚଳାଇଛନ୍ତି । ଏମିତିରେ ବଲିଉଡର ଅନେକ ଷ୍ଟାର୍ସ, ରାପର ଓ ସିଙ୍ଗର୍ସ ଭିନ୍ନ ଭିନ୍ନ ସୋସିଆଲ ମିଡିଆରେ ନିଜ ନିଜ ଆକାଉଣ୍ଟ ଖୋଲିଛନ୍ତି । ଯାହା ଜରିଆରେ ସେମାନେ ଫ୍ୟାନ୍ସଙ୍କ ସହ ନିଜ କାମ ବିଷୟରେ ସେୟାର କରନ୍ତି । ହେଲେ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି ଯେ ଷ୍ଟାର୍ସ ନିଜ ନକଲି ଫଲୋଅର୍ସଙ୍କ ସାହାଯ୍ୟରେ ଅଧିକା ଭ୍ୟୁଜ ପାଇବାରେ ଲାଗିଛନ୍ତି । ଏବେ ଏହି ମାମଲା ମୁମ୍ବାଇ ପୋଲିସର ମୁଣ୍ଡ ବିନ୍ଧା ସାଜିଛି । ନିକଟରେ ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ପ୍ରିୟଙ୍କା ଚୋପ୍ରାଙ୍କ ଅଧିକାଂଶ ଫଲୋଅର୍ସ ନକଲି ବୋଲି ଶୁଣିବାକୁ ମିଳୁଥିଲା ।
ଆଉ ଏବେ ମୁମ୍ବାଇ ପୋଲିସ ଫେମସ ରାପର ବାଦଶାହଙ୍କୁ ସମନ ପଠାଇଛି । ଫେକ ଫଲୋଅର୍ସ ମାମଲାରେ ତାଙ୍କୁ ପଚରାଉଚରା କରିବ ପୋଲିସ । କାରଣ ବାଦଶାହଙ୍କ ସୋସିଆଲ ମିଡିଆରେ ଅନେକ ଫେକ୍ ଫଲୋଅର୍ସ ସାମିଲ ଅଛନ୍ତି ବୋଲି ଜଣାପଡିଛି ।
ପ୍ରକାଶ ଥାଉକି ଗତ ମାସରେ ମୁମ୍ବାଇ ପୋଲିସ information technology act provisionsର ଉଲ୍ଲଂଘନ କରିଥିବା ଏକ କେସର ଖୁଲାସା କରିଥିଲା । ଯେଉଁଥିରେ ସେଲିବ୍ରିଟି ଓ ବଲିଉଡର ଅନେକ ବଡ ଲୋକଙ୍କ କିଛି କମ୍ପାନୀ ଇନଷ୍ଟାଗ୍ରାମ, ଟ୍ବିଟର ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫେକ ଫଲୋଅର୍ସ କିଣିଥିଲେ ।