ମୁମ୍ବାଇ: ଯେବେଠୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଛି, ସେହି ସମୟରୁ ବଲିଉଡ ଉପରେ ଆଉଟସାଇଡର ଓ ଇନସାଇଡରକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଛି । ବଲିଉଡରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଆଣୁଛନ୍ତି ସୁଶାନ୍ତଙ୍କ ମୃତ୍ୟୁରେ କ୍ରୋଧିତ ଥିବା ଫ୍ୟାନ୍ସ । ସେହିପରି ବି-ଟାଉନର କୁଇନ କଙ୍ଗନା ରଣାୱତ ବାରମ୍ବାର ଏହି ସବୁ ଅଭିଯୋଗ ଆଣି ଅନେକ କଳାକାରଙ୍କୁ ଟାର୍ଗେଟ କରିସାରିଲେଣି । ଯାହା ପାଇଁ ତାଙ୍କୁ ଏବେ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରାଯାଉଛି । ଇତିମଧ୍ୟରେ ଲୋକପ୍ରିୟ ଅଭିନେତ୍ରୀ ଶବାନା ଆଜମୀ ପ୍ରତିକ୍ରିୟା ଦେଇଛନ୍ତି ।
ସେ ଏକ ସାକ୍ଷାତକାରରେ କହିଥିଲେ, ‘ବର୍ତ୍ତମାନ ଚାଲିଥିବା ଆଉଟସାଇଡର-ଇନସାଇଡର, ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ପ୍ରସଙ୍ଗକୁ ମୁଁ ସ୍ବାଗତ କରୁଛି । ହେଲେ ଏହି ପ୍ରସଙ୍ଗ ଉପରେ ଯୁକ୍ତିତର୍କ ଠିକ୍ ରୂପେ କରାଗଲେ ଭଲ ହୁଅନ୍ତା । ଯାହାଦ୍ବାରା ସବୁ ଦୃଷ୍ଟିକୋଣ ଉପରେ କଥାବାର୍ତ୍ତା କରାଯାଇପାରିବ । ଯାହା ନିହାତି ଆବଶ୍ୟକ। ଯଦି ଏହି ପ୍ରସଙ୍ଗରେ କୌଣସି ଚିତ୍କାରରେ ପରିଣତ ହେବ ଆଉ ଏଥିରେ କୌଣଶି ଏଜେଣ୍ଡା ସାମିଲ ହେବେ ତେବେ ଲୋକ ଶୁଣିବା ମଧ୍ୟ ବନ୍ଦ କରିଦେବେ । ମୋ ଅନୁୟାୟୀ ଏହି ଭଲ ପ୍ରସଙ୍ଗକୁ ଏମିତି ନଷ୍ଟ କରିବା କଥା ନୁହେଁ । ପରିବାରବାଦ କେଉଁଠାରେ ନଥାଏ । ଏହା କେବଳ ବଲିଉଡରେ ହିଁ ସମସ୍ତଙ୍କୁ କାହିଁକି ଦେଖାଯାଉଛି । ସବୁ ସ୍ଥାନରେ ପରିବାରବାଦ ସାମିଲ ଅଛି । ଶିଳ୍ପପତି ପୁଅ ବିଜନେସ କରିଥାଏ । ଡାକ୍ତର ପୁଅ ଡାକ୍ତର ପାଠ ପଢେ । ସେହିପରି ଷ୍ଟାର ପୁଅ ଷ୍ଟାର ହୁଅନ୍ତି । ଏଥିରେ କୌଣସି ଅସୁବିଧା ନାହିଁ ।’
ଖାଲି ଏତିକି ନୁହେଁ ସେ ସୁଶାନ୍ତଙ୍କ ମାମଲାରେ ମଧ୍ୟ ଆଲୋଚନା କରି କହିଥିଲେ, ‘ଏବେ ସତ ସାମ୍ନାକୁ ଆସିବ । କାରଣ ସିବିଆଇ କଡା ଯାଞ୍ଚ କରୁଛି । ଆଇନକୁ ତାଙ୍କ କାମ କରିବାକୁ ଶାନ୍ତିରେ ଦିଆଯାଉ । ସବୁ ସତ ଧିରେ ଧିରେ ସାମ୍ନାକୁ ଆସିବ । ଯାହା ପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ ।’