ମୁମ୍ବାଇ: ‘ବଧାଇ ହୋ’ ଅଭିନେତ୍ରୀ ନୀନା ଗୁପ୍ତାଙ୍କୁ ନେଇ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ବିଗ ବି ଅମିତାଭ ବଚ୍ଚନଙ୍କ ପତ୍ନୀ ସାଜିବେ ସେ । ଫିଲ୍ମ ‘ଗୁଡବାଏ’ରେ ହେଲେ ସାମିଲ । ନିକଟରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ମେକର୍ସ । ସେହିପରି ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ପ୍ରଥମଥର ଅମିତାଭଙ୍କ ସହ କାମ କରିବାକୁ ନେଇ ନୀନାଙ୍କ ଖୁସି ନକହିଲେ ସରେ ।
ଏହି ଅବସରରେ ସେ କହିଛନ୍ତି, ‘ଯେତେବେଳେ ବିକାଶ ମତେ ଫିଲ୍ମର କାହାଣୀ ଶୁଣାଇଥିଲେ ମତେ ବହୁତ ଭଲ ଲାଗିଥିଲା । ଏହା ଏକ ରୋମାଞ୍ଚକଭରା ସ୍କ୍ରିପ୍ଟ ଏବଂ ଯେତେବେଳେ ସ୍କ୍ରିପ୍ଟ ରୋମାଞ୍ଚକର ହୁଏ କେହି ଅନ୍ୟ ବିଷୟରେ ଭାବନ୍ତି ନାହିଁ । ଏପରିକି ଚରିତ୍ରଟି ସୁନ୍ଦର ଭାବରେ ଲେଖା ହୋଇଛି ଏବଂ ମୁଁ ବଚ୍ଚନଙ୍କ ସହିତ ସ୍କ୍ରିନ୍ ସେୟାର କରିବାକୁ ନେଇ ବହୁତ ଉତ୍ସାହିତ । ଏହା ମୋ ପାଇଁ ଏକ ସ୍ବପ୍ନ, ଯାହାକୁ ନେଇ ମୁଁ ବହୁତ ଖୁସି ।’
ପ୍ରକାଶ ଥାଉକି 2018ରେ ରିଲିଜ ହୋଇଥିବା ଫିଲ୍ମ ‘ବଧାଇ ହୋ’ରେ ନୀନାଙ୍କ ପ୍ରଦର୍ଶନର ଖୁବ୍ ପ୍ରଶଂସା କରିଥିଲେ ଅମିତାଭ । ସେ ସୋସିଆଲ ମିଡିଆରେ ତାଙ୍କ ପାଇଁ ଏକ ସ୍ପେଶାଲ ନୋଟ ମଧ୍ୟ ଲେଖିଥିଲେ । ଯଦି ‘ଗୁଡବାଏ’ ଫିଲ୍ମ ବିଷୟରେ କଥା ହେବା ତାହାଲେ ଏହାର ପ୍ରଯୋଜନା ଏକତା କପୁର ସମ୍ଭାଳୁଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ବିକାଶ ବହଲ । ସେହିପରି ରଶ୍ମିକାଙ୍କ ଏହା ଦ୍ବିତୀୟ ହିନ୍ଦୀ ଫିଲ୍ମ । ତାଙ୍କ ଡେବ୍ୟୁ ଫିଲ୍ମ ହେଲା ‘ମିଶନ ମଜନୁ’ । ଯେଉଁଥିରେ ତାଙ୍କ ସହ ରୋମାନ୍ସ କରିବେ ସିଦ୍ଧାର୍ଥ ମଲହୋତ୍ରା ।