ମୁମ୍ବାଇ: ପପୁଲାର ଅଭିନେତ୍ରୀ କ୍ରିତି ଖରବନ୍ଦା ବୁଧବାର ନିଆରା ଅନ୍ଦାଜରେ ନିଜ ଜନ୍ମଦିନ ପାଳନ କରିଥିଲେ । ଏହି ଅବସରରେ ସେ 30 ଜଣ କୁନି ଝିଅଙ୍କ ପାଠ ପଢା ଖର୍ଚ୍ଚ ଉଠାଇବା ଘୋଷଣା କରି ଶାନଦାର ଉପହାର ମଧ୍ୟ ବାଣ୍ଟି ଥିଲେ । ଝିଅଙ୍କ ଶିକ୍ଷା ପାଇଁ କାର୍ଯ୍ୟକରୁଥିବା ଏକ ଏନଜିଓ ସହଯୋଗରେ କ୍ରିତି ସେମାନଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହା ଉପରେ ଆଲୋଚନା କରି ସେ କହିଛନ୍ତି, ‘ବର୍ତ୍ତମାନ ଆମ ବିଶ୍ବ ଜଟିଳ ସମୟ ଦେଇ ଗତି କରୁଛି । ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଗତ କିଛି ମାସ ହେଲା ଆମ ସମସ୍ତଙ୍କ ପାଇଁ ଅନ୍ୟନ୍ତ ଚାପଗ୍ରସ୍ତ ଥିଲା । ମୁଁ ଭାବୁଛି ଅଭାବୀ ଲୋକଙ୍କ ମଧ୍ୟରେ ଖୁସି ବାଣ୍ଟିବା ପାଇଁ ଏହା ମୋର ଛୋଟ ପ୍ରୟାସ । ଦୁର୍ଭାଗ୍ୟବଶତଃ ବର୍ତ୍ତମାନ ମହାମାରୀ ହେତୁ ମୁଁ ଏହି କୁନି ଝିଅମାନଙ୍କ ସହ ବ୍ୟକ୍ତିଗତ ରୂପେ ଭେଟି ପାରିନାହିଁ । ହେଲେ ଏମାନଙ୍କ ସହ ଖୁବଶୀଘ୍ର ଭର୍ଚୁଆଲ ସାକ୍ଷାତ କରି ଭଲ ସମୟ ବିତାଇବି ବୋଲି ଆଶା କରୁଛି ।’
ପ୍ରକାଶ ଥାଉକି କ୍ରିତି ଚର୍ଚ୍ଚିତ ଫିଲ୍ମ ‘ତୈଶ’ରେ ନଜର ଆସିବେ । ନିକଟରେ ଫିଲ୍ମର ଜବରଦସ୍ତ ଟ୍ରେଲର ମଧ୍ୟ ରିଲିଜ ହୋଇଥିଲା । ତାଙ୍କ ଫିଲ୍ମରେ କଥିତ ବୟଫ୍ରେଣ୍ଡ ତଥା ଅଭିନେତା ପୁଲକିତ ସମ୍ରାଟ, ଜିମି ସଭ୍ର, ହର୍ଷବର୍ଦ୍ଧନ ରାଣେ ଓ ସଞ୍ଜୀଦା ସେଖ ମୁଖ୍ୟ ଭୂମିକାରେ ଦେଖାଯିବେ ।