ମୁମ୍ବାଇ: କୋରୋନା ଯୋଗୁଁ ବର୍ତ୍ତମାନ ଦେଶରେ ଭୟାବହ ପରିସ୍ଥିତି ଦେଖାଦେଇଛି । ପ୍ରଥମେ ସଂକ୍ରମଣର ଭୟ ପରେ ଲକଡାଉନ ଘୋଷଣା । ଘରେ ସମସ୍ତେ ଏକପ୍ରକାର ନଜରବନ୍ଦୀ ଅଛନ୍ତି । ସଂକ୍ରମଣର ଡର ମଧ୍ୟ ଧିରେ ଧିରେ ବଢିବାରେ ଲାଗିଛି । କୋରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସମସ୍ତଙ୍କ ସୁରକ୍ଷାରେ ଲାଗିଛନ୍ତି ହଜାର ହଜାର ସ୍ବାସ୍ଥ୍ୟକର୍ମୀ ।
ଏହି ଅବସରରେ ସେମାନଙ୍କ ମନୋବଳ ବଢାଇବା ସହ ଲୋକଙ୍କ ମନରୁ ଭୟ ଦୂର କରିବାକୁ ଏକ ଛୋଟ ଚେଷ୍ଟା କରିଛନ୍ତି ବଲିଉଡ କଳାକାର । ସାରା ଦେଶବାସୀଙ୍କ ପାଇଁ ଏକାଠି ହୋଇଛନ୍ତି ଅନେକ ନ୍ୟୁକମର ଓ ସିନିୟର ଆକ୍ଟର । ରିଲିଜ ହୋଇଛି ‘ହସିବ ଭାରତ’ ନାମରେ ଏକ ପ୍ରେରଣାଦାୟୀ ଭିଡିଓ ଗୀତ । ଯେଉଁଥିରେ ସମସ୍ତ ଭାରତୀୟଙ୍କୁ ଦୃଢ ରହିବାକୁ ଆକ୍ଟରମାନେ ଗୀତ ଦ୍ବାରା ନିବେଦନ କରିଛନ୍ତି । କୋରୋନାକୁ ନଡରିବା ସହ ଏହା ବିରୋଧରେ ଲଢେଇ ଜାରି ରଖିବାକୁ ସଚେତନ ବାର୍ତ୍ତା ଦେଇଛନ୍ତି ।
ଗୀତଟି ସୋମବାର ସନ୍ଧ୍ୟା 6ଟାରେ ରିଲିଜ ହୋଇଛି । ଗୀତ ଆରମ୍ଭରୁ ମୋଦିଙ୍କ ଭାଷଣ ଦେଖାଯାଉଛି । ଯେଉଁଥିରେ ସେ ଏହି ବିପଦକୁ ହରାଇବା ନେଇ ଦେଶବାସୀଙ୍କୁ ବାର୍ତ୍ତା ଦେଉଛନ୍ତି । ଏହାପରେ ଗୀତ ଆରମ୍ଭ ହେଉଛି । ପ୍ରଥମେ ଅକ୍ଷୟ କୁମାର ପରେ ଜଣକ ପରେ ଜଣେ ଷ୍ଟାର ନଜର ଆସୁଛନ୍ତି । ଅକ୍ଷୟ କୁମାର ଓ ଜାକ୍କି ଭଗନାନୀଙ୍କ ଜଷ୍ଟ ମ୍ୟୁଜିକ ଦ୍ବାରା ଏହି ଗୀତକୁ ରିଲିଜ କରାଯାଇଛି ।
ଏଥିରେ ଅକ୍ଷୟ କୁମାର, କାର୍ତ୍ତିକ ଆରୟାନ, ଟାଇଗର ଶ୍ରଫ, ଭିକ୍କି କୌଶଲ, ଆୟୁଷ୍ମାନ ଖୁରାନା, ରାଜକୁମାର ରାଓ, ସିଦ୍ଧାର୍ଥ ମଲହୋତ୍ରା, ତାପସୀ ପନ୍ନୁ, କାଇରା ଆଡଭାନୀ, ଜାକ୍କି ଭଗନାନୀ, ଭୂମି ପେଦେନକର, ଅନନ୍ୟା ପାଣ୍ଡେ, ରାକୁଲ ପ୍ରୀତ ସିଂହ, କ୍ରିତି ସାନନ ପ୍ରମୁଖ ଅଭିନୟ କରିଛନ୍ତି । ସମସ୍ତ ଦେଶବାସୀଙ୍କୁ ଲଢେଇରେ ସାମିଲ ହେବାକୁ ଆହ୍ବାନ ଦେବା ସହ ଏଥିରେ ଭୟଭୀତ ନହୋଇ ଡାକ୍ତର, ପୋଲିସଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ଖୁବଶୀଘ୍ର ଏ ବିପଦ ଟଳିଯିବ ଏବଂ ଭାରତ ପୁଣି ହସିବ ବୋଲି ଏହି ଗୀତ ଦ୍ବାରା ବାର୍ତ୍ତା ଦିଆଯାଇଛି । ବଲିଉଡ ଷ୍ଟାରଙ୍କ ଏହି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।
ସୌଜନ୍ୟ@taran_adarsh