ମୁମ୍ବାଇ: ଫେମସ ନିର୍ମାତା ରାଜକୁମାର ହିରାନୀଙ୍କ ସୁପରହିଟ୍ ଫିଲ୍ମ ‘ଥ୍ରି ଇଡିୟଟ୍ସ’ ଅନେକ ବର୍ଷ ପରେ ଚର୍ଚ୍ଚାରେ ଆସିଛି । ଏହି ଫିଲ୍ମ 2009 ଡିସେମ୍ବର 25ରେ ରିଲିଜ ହୋଇଥିଲା । ଗତ ବର୍ଷ ପୁରା ଟିମ ଫିଲ୍ମର 10 ବର୍ଷ ପୂରଣ ଅବସରରେ ସେଲିବ୍ରେଶନ କରିଥିଲେ । ଏବେ ଫିଲ୍ମର ଏକ ପୋଷ୍ଟର ମହାରାଷ୍ଟ୍ର ଟ୍ରାଫିକ ପୋଲିସ ସେୟାର କରିଛି । ଯେଉଁଥିରେ ଅଭିନେତା ଆମୀର ଖାନ, ସରମନ ଯୋଶୀ ଓ ଆର ମାଧବନ ଗୋଟିଏ ସ୍କୁଟିରେ ବିନା ହେଲମେଟରେ ଯାଉଥିବାର ନଜର ଆସୁଛନ୍ତି । ଆଉ ଏହି ପୋଷ୍ଟରେ ମହାରାଷ୍ଟ୍ର ପୋଲିସର ପଞ୍ଚଲାଇନ ହେଲା ‘ଟ୍ରିପଲ ସିଟ ନେହି ଜାନେ ଦେଙ୍ଗେ ତୁଝେ’ ।
ଏହି ପୋଷ୍ଟର ସେୟାର କରି ମହାରାଷ୍ଟ୍ର ପୋଲିସ କ୍ୟାପସନରେ ଲେଖିଛି, ‘ଦିଲ ଜୋ ତେରା ବାତ-ବାତ ପର ଘବରାଏ, ଡ୍ରାଇଭର ଇଡିୟଟ ହେ, ପ୍ୟାର ସେ ଉସକୋ ସମଝା ଲେ ।’ ମହାରାଷ୍ଟ୍ର ପୋଲିସ ଏପରି ପଦକ୍ଷେପ ନେବାର ଉଦ୍ଦେଶ୍ୟ ହେଲା ଯେ ଜନସାଧାରଣଙ୍କୁ ହେଲମେଟ ପିନ୍ଧିବାକୁ ପରାର୍ମଶ ଦେବା ।
ପୋଲିସ ଏହି ଟ୍ବିଟକୁ ମାଧବନଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି । ଏହାର ଜବାବରେ ମାଧବନ ମଧ୍ୟ ଟ୍ବିଟରରେ ଏକ ଫଟୋ ସେୟାର କରିଛନ୍ତି । ଆଉ ଯେଉଁଥିରେ ସେ ବୁଲେଟ ଚଲାଇଥିବା ସମୟରେ ହେଲମେଟ ପିନ୍ଧିଥିବାର ଦେଖାଯାଉଛନ୍ତି । ସେହିପରି ସେ କ୍ୟାପସନରେ ଲେଖିଛନ୍ତି, ‘ହଁ ମୁଁ ଆପଣଙ୍କ କଥାରେ ପୁରା ସହମତ । ବର୍ତ୍ତମାନ ମାଧବନଙ୍କ ଏହି ଟ୍ବିଟ ଉପରେ ୟୁଜର୍ସଙ୍କ ଅନେକ କମେଣ୍ଟ ଦେଖିବାକୁ ମିଳୁଛି । କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରି ସଠିକ ହେଲମେଟ ପିନ୍ଧିବାର ପରାର୍ମଶ ଦେଇଛନ୍ତି ।