ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ପ୍ରିୟଙ୍କା ସିଂ ଓ ମୀତୁ ସିଂ ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ ଦାଖଲ କରିଥିବା ଏଫଆଇଆର ରଦ୍ଦ କରାଯାଉ। ଜଷ୍ଟିସ୍ ଏସ ସିନ୍ଦେ ଏବଂ ଜଷ୍ଟିସ୍ ଏମ.ଏସ କର୍ଣିକଙ୍କ ଏକ ଡିଭିଜନ୍ ବେଞ୍ଚ ମଙ୍ଗଳବାର ଦିନ ଏହି ଆବେଦନକୁ ଉଲ୍ଲେଖ କରିଛି ଏବଂ ଏହାକୁ 13 ଅକ୍ଟୋବରରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି।
ସୁଶାନ୍ତଙ୍କ ମାମଲାରେ ସମ୍ପୃକ୍ତ ଥିବା ଡ୍ରଗ୍ସ କେସରେ ଏନସିବି ଦ୍ବାରା ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ 7 ସେପ୍ଟେମ୍ବର 2020 ରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ସୁଶାନ୍ତଙ୍କ ଦୁଇ ଭଉଣୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ।
ଯେଉଁଥିରେ ସେ ପ୍ରିୟଙ୍କା ଓ ଦିଲ୍ଲୀ ହସ୍ପିଟାଲର ଡାକ୍ତର ରାମ ମନୋହର ଲୋହିୟାଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ ଯେ ସେମାନେ ସୁଶାନ୍ତଙ୍କୁ ଭୁଲ ମେଡିସିନ ଦେଉଥିଲେ । ଯାହା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏବଂ ସାଇକୋଟ୍ରୋପିକ ପଦାର୍ଥ ଅଧିନିୟମ, 1985 ଅନୁଯାୟୀ ନିଷେଧ। ବ୍ୟାନ ମେଡିସିନ କ୍ଲୋନାଜେପମ ସୁଶାନ୍ତଙ୍କୁ ଦିଆଯାଉଥିଲା । ଯାହା ଶରୀରରକୁ ଦୁର୍ବଳ କରିଦିଏ । ଏହି କାରଣ ପାଇଁ ସୁଶାନ୍ତ ଆତ୍ମହତ୍ୟା କରିଥିଲେ । ଖାଲି ଏତିକି ନୁହେଁ ରିଆ, ସଶାନ୍ତଙ୍କ ମୃତ୍ୟୁ ପାଇଁ ପ୍ରିୟଙ୍କା ଏବଂ ତାଙ୍କ ପରିବାରର ସମସ୍ତଙ୍କୁ ଦାୟୀ ମଧ୍ୟ କରିଛନ୍ତି ।
ସେପଟେ ଓକିଲ ମାଧବ ଥୋରାଟଙ୍କ ଦ୍ବାରା ଦାଖଲ କରାଯାଇଥିବା ଏକ ପିଟିସନରେ ସୁଶାନ୍ତଙ୍କ ଭଉଣୀମାନେ ଦାବି କରିଛନ୍ତି ଯେ ସେ ମେଡିସିନ ବ୍ୟାନ ନଥିଲା ଏବଂ ମେଡିକାଲ କାଉନସିଲ ଅଫ ଇଣ୍ଡିଆର ନିର୍ଦ୍ଦେଶନାମା ଅନୁଯାୟୀ ସମସ୍ତ ଜିନିଷ ଦିଆଯାଇଥିଲା। କୋର୍ଟଙ୍କ କହିବାନୁସାରେ, ରିଆଙ୍କ ଦ୍ବାରା କରାଯାଇଥିବା ଅଭିଯୋଗ ତାଙ୍କ ପକ୍ଷରୁ ଏକ ଦୁର୍ବଳ ପ୍ରୟାସ | ସେ କେବଳ ତଦନ୍ତକୁ ଦୋଷୀ ସାବ୍ୟସ୍ତ କରିବାକୁ ଏବଂ ପରିବାରକୁ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରିବାକୁ ଚେଷ୍ଟା କରୁଛନ୍ତି, କାରଣ ଏନସିବି ତାଙ୍କୁ ଗିରଫ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ