ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସିବିଆଇ ମଙ୍ଗଳବାର ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ପିତା-ମାତାଙ୍କୁ ଡିଆରଡିଓ ଗେଷ୍ଟ ହାଉସରେ ପଚରାଉଚରା କରୁଛି । ସେପଟେ ସୁଶାନ୍ତଙ୍କ ଫ୍ଲାଟମେଣ୍ଟ ସିଦ୍ଧାର୍ଥ ପିଠାନି, ଏକ୍ସ ବିଜନେସ ମ୍ୟାନେଜର ସୃତି ମୋଦି, ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ଡ୍ରଗ ଡିଲରଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି । ଇତିମଧ୍ୟରେ ସିଦ୍ଧାର୍ଥ ଦେଇଥିବା ବୟାନ ସାମ୍ନାକୁ ଆସିଛି । ଯେଉଁଥିରେ ସେ ସୁଶାନ୍ତ ଓ ତାଙ୍କ ଏକ୍ସ ମ୍ୟାନେଜର ଦିଶା ସଲାନିଆଙ୍କ ବିଷୟରେ ଖୁଲାସା କରିଛନ୍ତି ।
ସିଦ୍ଧାର୍ଥ ନିଜ ବୟାନରେ ଅନେକ କଥା ଆଲୋଚନା କରି ସବିଆଇ ସାମ୍ନାରେ କହିଛନ୍ତି, ‘ଦିଶାଙ୍କ ଆତ୍ମହତ୍ୟା ଖବର ଶୁଣି ଭାଙ୍ଗି ପଡିଥିଲେ ସୁଶାନ୍ତ । ସେ ବହୁତ ଚିନ୍ତାରେ ନଜର ଆସୁଥିଲେ । ଆଉ ନିଜକୁ ରେଷ୍ଟଲେସ ମନେ କରୁଥିଲେ । ନିଜର କିଛି ଡାଟା ସେ ମତେ ଜୁନ 10ରେ ଡିଲିଟ କରିବାକୁ କହିଥିଲେ । ସେହିପରି ଜୁନ 8ରେ ତାଙ୍କ ଘରକୁ ରହିବାକୁ ଆସିଥିବା ତାଙ୍କ ଭଉଣୀ ମିତୁ ସିଂ ଜୁନ 13ରେ ତାଙ୍କ ଘର ଛାଡି ଚାଲିଯାଇଥିଲେ ।’
ଖାଲି ଏତିକି ନୁହେଁ ସିଦ୍ଧାର୍ଥ ଏହା ମଧ୍ୟ ମାନିଛନ୍ତି ଯେ ଜୁନ 14 ତାରିଖରେ ସେ ସୁଶାନ୍ତଙ୍କ କବାଟ ତାଲାବାଲାକୁ ଡାକି ଅପରାହ୍ନ 1.20ରେ ଭାଙ୍ଗିଥିଲେ । ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସୋସିଆଲ ମିଡିଆରେ ୟୁଜର୍ସ ଦିଶାଙ୍କ ଆତ୍ମହତ୍ୟାକୁ ତାଙ୍କ ଆତ୍ମହତ୍ୟା ସହ କିଛି କନେକ୍ସ ଥିବା କଥା କହି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିବାରେ ଲାଗିଛନ୍ତି ।