ମୁମ୍ବାଇ: ବି-ଟାଉନର ଆକ୍ସନ ହିରୋ ଟାଇଗର ଶ୍ରଫ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ବାଗି-3’ ପ୍ରମୋଶନରେ ଖୁବ୍ ବ୍ୟସ୍ତ। ଆଜି ଏହି ଶାନଦାର ଅଭିନେତା 30 ବର୍ଷରେ ପଦାର୍ପଣ କରିଛନ୍ତି। ଫିଲ୍ମ ‘ହିରୋପନ୍ତୀ’ରୁ ବଲିଉଡରେ ଡେବ୍ୟୁ କରିଥିବା ଟାଇଗରଙ୍କୁ ଆଜି ସମସ୍ତେ ଆକ୍ସନ ହିରୋ ରୂପେ ଜାଣିଛନ୍ତି। ନିଜର ଜବରଦସ୍ତ ଆକ୍ସନ, ଶାନଦାର ଡାନ୍ସ ପାଇଁ ସେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନ କିଣିବାରେ ସଫଳ ମଧ୍ୟ। ନିଜ ପିତା ତଥା ଅଭିନେତା ଜ୍ୟାକି ଶ୍ରଫଙ୍କ ପଥରେ ଚାଲୁଥିବା ଟାଇଗର ବଲିଉଡରେ ଟପ ଅଭିନେତାଙ୍କ ତାଲିକାରେ ସାମିଲ ହୋଇସାରିଲେଣି। ତାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକ ନାହିଁ।
ହେଲେ ସେ ଆଜି ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ପହଞ୍ଚିବା ପାଇଁ ତାଙ୍କୁ କରିବାକୁ ପଡିଥିଲା କଡା ପରିଶ୍ରମ। ତାଙ୍କ ଜୀବନରେ ଏମିତି ସମୟ ମଧ୍ୟ ଥିଲା ଯେବେ ସେ ସଂଘର୍ଷର ସାମ୍ନା କରିଥିଲେ। ତେବେ ଆସନ୍ତୁ ଜାଣିବା ତାଙ୍କ ଜନ୍ମଦିନରେ କିଛି ଖାସ୍ କଥା...
ଆଜି ତାଙ୍କ ଜନ୍ମଦିନରେ ଆମେ ଜାଣିବା ତାଙ୍କର 5ଟି ଏମିତି କଥା, ଯାହାକୁ ଆପଣ ପୂର୍ବରୁ କେବେ ମଧ୍ୟ ଶୁଣି ନଥିବେ। ଯେବେ ଟାଇଗର ମାତ୍ର 11 ବର୍ଷର ଥିଲେ ତାଙ୍କୁ ତଳେ ଶୋଇବାକୁ ପଡୁଥିଲା। କଥାଟି ହେଲା ଯେ ତାଙ୍କ ମା' ଆୟଶା ଶ୍ରଫ 2003ରେ ଫିଲ୍ମ ‘ବୁମ’ର ପ୍ରଯୋଜନା କରିଥିଲେ। ଯେଉଁଥିରେ ଅମିତାଭ ବଚ୍ଚନ, କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । କ୍ୟାଟଙ୍କ ଏହା ଡେବ୍ୟୁ ଫିଲ୍ମ ଥିଲା। ବକ୍ସ ଅଫିସରେ ଫିଲ୍ମଟି ଫ୍ଲପ ହୋଇଯାଇଥିଲା।
ଯାହାପରେ ଜ୍ୟାକିଙ୍କ ଆର୍ଥିକ ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ବିଗିଡିଯାଇଥିଲା। ସେହି ସମୟରେ ତାଙ୍କୁ ନିଜ ବାନ୍ଦ୍ରା ସ୍ଥିତ ଘରକୁ ବିକିବାକୁ ପଡିଥିଲା । ଘର ବିକିବା ପରେ ପୁରା ପରିବାର ଖାରକୁ ସିଫ୍ଟ ହୋଇଯାଇଥିଲେ। ଖାଲି ଏତିକି ନୁହେଁ ଘରର ସବୁ ଫର୍ଣ୍ଣିଚର ମଧ୍ୟ ବିକ୍ରି ହୋଇଯାଇଥିଲା । ଯେଉଁଥିରେ ଟାଇଗରଙ୍କ ବେଡ ମଧ୍ୟ ସାମିଲ ଥିଲା। ଯାହାପରେ ତାଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ତଳେ ଶୋଇବାକୁ ପଡିଥିଲା। ଏହି କଥାର ଖୁଲାସା ସେ ଏକ ଇଂରାଜୀ ମାଗାଜିନରେ କରିଥିଲେ।
ଟାଇଗରଙ୍କ ଦ୍ବିତୀୟ କଥା ଜାଣି ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯିବେ । ହୁଏତଃ କମ ପ୍ରଶଂସକଙ୍କୁ ଏହି କଥା ଜଣାଥିବ ଯେ ବଡ ପରଦାରେ ଧୁମ ମଚାଉଥିବା ଟାଇଗର ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କର ପିଲା ବେଳର ବନ୍ଧୁ । ଦୁଇଜଣ ଏକାଠି ମୁମ୍ବାଇର ଏକ ସ୍କୁଲରେ ପାଠ ପଢୁଥିଲେ। ଏବେ ଜାଣିବା ତାଙ୍କ ତୃତୀୟ କଥା। ତାଙ୍କ ପ୍ରକୃତ ନାମ ଟାଇଗର ନୁହେଁ । ତାଙ୍କ ନାମ ହେଲା ଜୟ ହେମନ୍ତ ଶ୍ରଫ । ଚତୁର୍ଥ କଥା ହେଲା ସେ କେବେ ମଧ୍ୟ ଆକ୍ଟର ହେବାକୁ ଚାହୁଁନଥିଲେ। ତାଙ୍କର ଅଧିକା ରୁଚି ଖେଳ, ମାର୍ଶଲ ଆର୍ଟ୍ସ ଏବଂ ଡାନ୍ସରେ ଥିଲା । ସେ ମାତ୍ର 4 ବର୍ଷ ବୟସରେ ମାର୍ଶଲ ଆର୍ଟର ଟ୍ରେନିଂ ନେଇଥିଲେ ସେ।
ପଞ୍ଚମ କଥା ହେଲା ସେ ଜନ୍ମ ହେବା ମାତ୍ରେ ଫିଲ୍ମ ନିର୍ମାତା ସୁଭାଷ ଘାଇ ତାଙ୍କ ସାଇନିଂ ଆମାଉଣ୍ଟ ପିତା ଜ୍ୟାକିଙ୍କୁ ଦେଇଥିଲେ । ପ୍ରକାଶ ଥାଉକି ସୁଭାଷ ଓ ଜ୍ୟାକିଙ୍କ ଯୋଡି ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଏବେ ଦେଖିବା ବାକି ରହିଲା ଯେ ସେ ଟାଇଗରଙ୍କ ସହ କେବେ କାମ କରୁଛନ୍ତି।