ମୁମ୍ବାଇ: ରଣଭୀର ସିଂହ ଓ ଆଲିୟା ଭଟ୍ଟଙ୍କ ଅଭିନୀତ ଫିଲ୍ମ 'ଗଲି ବୟ' ଏବେ ବକ୍ସ ଅଫିସରେ ଧମାଲ କରିଚାଲିଛି। କିଛି ଦିନ ପୂର୍ବରୁ ରିଲିଜ ହୋଇଥିବା ଏହି ଫିଲ୍ମରେ ଆଲିୟ ଓ ରଣଭୀରଙ୍କ ଯୋଡିକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ । ଜବରଦସ୍ତ ଆୟ କରି ଫିଲ୍ମଟି ସଫଳତାର ସହ ଆଗେଇ ଚାଲିଛି । ସତ୍ୟ କାହାଣୀ ଉପରେ ଆଧାରିତ 'ଗଲି ବୟ' ରିଲିଜ ପୂର୍ବରୁ ମ୍ୟୁଜିକ ପାଇଁ ଅଧିକ ଚର୍ଚ୍ଚାରେ ରହିଆସୁଥିଲା । ଫିଲ୍ମର ସାଉଣ୍ଡଟ୍ରାକ ଆକର୍ଷଣୀୟ ହେବା ସହ ରଣଭୀର ଓ ଆଲିୟାଙ୍କ ଅଭିୟନ ମଧ୍ୟ ଖୁବ୍ ଶାନଦାର ହୋଇଛି।
ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ନିର୍ଦ୍ଦେଶିକା ଜୋୟା ଅଖ୍ତରଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା 'ଗଲି ବୟ'ର ତେଲୁଗୁ ରିମେକ ହେବ ବୋଲି । ପ୍ରଯୋଜକ ଏବଂ ଫିଲ୍ମ ବିତରକ ଅଲ୍ଲୁ ଅରବିନ୍ଦ ତେଲୁଗୁରେ 'ଗଲି ବୟ' ରିମେକ କରିବାକୁ ଖୁବ୍ ଉତ୍ସାହିତ ଅଛନ୍ତି । ଫିଲ୍ମ 'ନକ୍ଷତ୍ରମ' ଏବଂ 'ଇଣ୍ଟଲଜେଣ୍ଟ' ଫିଲ୍ମରେ ନଜର ଆସିସାରିଥିବା ସାଉଥ ଅଭିନେତା ସାଇ ଧର୍ମା ତେଜଙ୍କ ନାମ ଏହି ଫିଲ୍ମ ପାଇଁ ସାମ୍ନାକୁ ଆସିଛି।
'ଗଲି ବୟ' ଫିଲ୍ମଟି ମୁମ୍ବାଇର ଦୁଇ ଷ୍ଟ୍ରିଟ ରାପର ଭିଭିଆନ ଏବଂ ନାଭେଦଙ୍କ କାହାଣୀ ଉପରେ ଆଧାରିତ। ଫିଲ୍ମଟି ଭାଲେଣ୍ଟାଇନ ଡେ ଅବସରରେ ରିଲିଜ ହୋଇଥିଲା।