ନୂଆଦିଲ୍ଲୀ: ବଲିଉଡ୍ ଭାଇଜାନ୍ ସଲମାନଙ୍କ ପିଛା ଛାଡୁନି ବିବାଦ । ପୁଣି ସଲମାନଙ୍କ ନାମରେ ରୁଜୁ ହେଲା ମାମଲା । 2019 ହାଇଦ୍ରାବାଦ ଦୁଷ୍କର୍ମ ପୀଡିତାଙ୍କ ପରିଚୟ ପ୍ରକାଶ କରିଥିବା ଅଭିଯୋଗରେ ଦିଲ୍ଲୀର ତିସ୍ ହଜାରି କୋର୍ଟରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସମେତ ୩୮ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି ।
ଓକିଲ ଗୌରବ ଗୁଲାଟି ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ବଲିଉଡ ଷ୍ଟାରମାନେ ସୋସିଆଲ ମିଡିଆରେ 2019, ହାଇଦ୍ରାବାଦ ଦୁଷ୍କର୍ମ ପୀଡିତାଙ୍କ ପରିଚୟ ପ୍ରକାଶ କରିଛନ୍ତି । ଯାହା ଏକ ଆଇନଗତ ଅପରାଧ ଏବଂ ଉକ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ ପାଇଁ ଦାବି କରିଛନ୍ତି । ଧାରା 228A ଅନୁଯାୟୀ ସବଜୀ ମାଣ୍ଡି ପୋଲିସ ଷ୍ଟେସନରେ ଥିବା ସମସ୍ତ ଅଭିନେତାଙ୍କ ବିରୋଧରେ ଗୌରବ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି ।
ଯେଉଁମାନଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି ସେମାନଙ୍କ ମଧ୍ୟରେ ସଲମାନ ଖାନ, ଅକ୍ଷୟ କୁମାର, ଅଜୟ ଦେବଗନ, ଅଭିଷେକ ବଚ୍ଚନ, ଫରହାନ ଅଖତର, ଅନୁପମ ଖେର, ଅରମାନ ମଲିକ, କରମବୀର ଭୋହରା, ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଧୁର ଭଣ୍ଡାରକର, ଦକ୍ଷିଣ ଅଭିନେତା ରବି ତେଜା, ଆଲୁ ସିରିଶ, କ୍ରିକେଟର ହରଭଜନ ସିଂ, ଶିଖର ଧାୱନ, ସାଇନା ନେହୱାଲ, ଅଭିନେତ୍ରୀ ପରିଣୀତି ଚୋପ୍ରା, ଦିଆ ମିର୍ଜା, ସ୍ୱରା ଭାସ୍କର, ରକୁଲ ପ୍ରୀତ, ଜରିନ ଖାନ, ୟାମି ଗୌତମ, ରିଚା ଚଢା, କାଜଲ ଅଗ୍ରୱାଲ, ଶବାନା ଆଜମୀ, ହନସିକା ମୋତୱାନି, ପ୍ରିୟା ମଲିକ, ମେହେରନ୍ ପିରଜଡା, ଆଶିକା ରଙ୍ଗନାଥ, ରେଡିଓ ଜକି ସାଇମା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ