ମୁମ୍ବାଇ: ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କଣ୍ଟ୍ରୋଭର୍ସି କୁଇନ କଙ୍ଗନା। ନିଡର ଓ ମୁହଁ ତୋଡ ଜବାବ ପାଇଁ ଅନେକ ସମୟରେ ହଟହଟା ହୋଇଥାନ୍ତି ବଲିଉଡର ଏହି ଅଭିନେତ୍ରୀ। ତେବେ ଗତ କିଛି ମାସ ଧରି ସୁଶାନ୍ତଙ୍କ ମୃତ୍ୟୁ ମାମଲା ସହ ସକ୍ରିୟ ଭାବେ ଜଡିତ ରହି କଙ୍ଗନା ବଲିଉଡର ମୁଭି ମାଫିଆଙ୍କୁ ଟାର୍ଗେଟ କରିଚାଲିଛନ୍ତି। ବର୍ତ୍ତମାନ ସମୟରେ କଙ୍ଗନା ଏପରି ଦୁଃସାହାସିକ କାର୍ଯ୍ୟ ପାଇଁ କିଛି ତାଙ୍କୁ ପସନ୍ଦ କରୁଥିବା ବେଳେ ଆଉ କେତେ ଜଣ ଘୃଣା କରୁଛନ୍ତି।
ତେବେ ସିନେମାଟୋଗ୍ରାଫର ପିସି ଶ୍ରୀରାମ ମଙ୍ଗଳବାର ପ୍ରକାଶ କରିଛନ୍ତି ଯେ ସେ ଏକ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ କଙ୍ଗନା ରଣାୱତ ଅଛନ୍ତି। "ଏହି ଚଳଚ୍ଚିତ୍ରକୁ ପ୍ରତ୍ୟାଖ୍ୟାନ କରିବାକୁ ପଡିଲା କାରଣ ଏଥିରେ କଙ୍ଗନା ରଣାୱତ ମୁଖ୍ୟ ଭୂମିକାରେ ଅଛନ୍ତି। ଗଭୀରତାରେ ମୁଁ ଅସହଜ ଅନୁଭବ କଲି ଏବଂ ନିର୍ମାତାମାନଙ୍କୁ ମୋର କଥା ବୁଝାଇବାକୁ ଚେଷ୍ଟା କଲି। ଅନେକ ସମୟରେ ଠିକ୍ ଲାଗୁଥିବା କାର୍ଯ୍ୟ କରିବା ଉଚିତ୍। ତେଣୁ ମୋର ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି" ବୋଲି ସେ ଟ୍ବିଟ କରିଛନ୍ତି।
ତେବେ ଶ୍ରୀରାମ ଫିଲ୍ମର ନାମ ଉଲ୍ଲେଖ କରିନାହାଁନ୍ତି। ତାଙ୍କର ଏହି ଟୁଇଟ୍ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି କରିଛି। ବଲିଉଡରେ ନୋପୋଟିଜିମ୍ ଚାଲିଥିବା ଗତ କିଛିଦିନ ତଳେ ଖୋଲାଖୋଲି ଭାବେ କଙ୍ଗନା କହିଥିଲେ। ଏହାସହ ବର୍ତ୍ତମାନ ଆଉ ଏକ ମନ୍ତବ୍ୟ ଦେଇଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ 99 ପ୍ରତିଶତ ବଲିଉଡର ଷ୍ଟାର କିଡସ ନିଶା ସେବନ କରୁଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ରର ବର୍ତ୍ତମାନର ଶିବସେନା ସରକାର ମୁମ୍ବାଇକୁ ପିଓକେର ପରିଣତ କରିଛି। ଏବଂ ତାଲିବାନ ସହିତ ସେମାନଙ୍କ ନିୟମ ତୁଳନା କରିଛି। ଆଜି (ସେପ୍ଟେମ୍ବର 9) ରେ ନିଜ ସହର ମନାଲିରୁ ମୁମ୍ବାଇ ଫେରିବା ପୂର୍ବରୁ ତାଙ୍କୁ Y ସୁରକ୍ଷା ଯୋଗାଇ ଦିଆଯାଇଛି।