ମୁମ୍ବାଇ: କ୍ରୁଜ ସିପ୍ ଡ୍ରଗ୍ସ ପାର୍ଟି ମାମଲାରେ ଜେଲରେ ସଜା କାଟୁଛନ୍ତି ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ମହାରାଷ୍ଟ୍ରର ସବୁଠୁ ବଡ ଜେଲ ଆର୍ଥର ରୋଡ ଜେଲରେ ଗତ ୧୯ ଦିନ ଧରି ରହିଥିବା ବେଳେ ଜେଲ ଅଧିକାରୀଙ୍କୁ ଧାର୍ମିକ ବହି ମାଗିଥିବା ଖବର ସାମନାକୁ ଆସିଛି । ତାଙ୍କ ଜାମିନ ଖାରଜ ହେବା ପରେ ସେ ଜେଲରେ ଅନ୍ୟ କଏଦୀଙ୍କ ସହିତ କଥାବାର୍ତ୍ତା କରିଥିବା ଦେଖିବାକୁ ମିଳିଛି ।
ଆର୍ଯ୍ୟନ ପ୍ରଥମେ ଜେଲକୁ ଗଲା ପରେ ସେଠାରେ ସେ କୌଣସି କଏଦୀଙ୍କ ସହିତ କଥାବାର୍ତ୍ତା କରିନଥିଲେ । କିନ୍ତୁ ତାଙ୍କ ଜାମିନ ଆବେଦନ ବାରମ୍ବାର ଖାରଜ ହେବା ପରେ ସେ ଏବେ ଅନ୍ୟମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛନ୍ତି । ଜେଲ ପରିସରରେ ଏକ ମନ୍ଦିରରେ ସନ୍ଧ୍ୟା ୭ଟାରେ ଆଳତୀ ହୋଇଥାଏ । ତେବେ ଆଳତୀ ସରିବା ପର୍ଯ୍ୟନ୍ତ ଆର୍ଯ୍ୟନ ସେଠାରେ ରହିଥାନ୍ତି ବୋଲି ଜେଲ ଅଧିକାରୀ ସୂଚନା ଦେଇଛନ୍ତି । ଏହାସହିତ ଆର୍ଯ୍ୟନ ସମସ୍ତ ନିୟମ ପାଳନ କରିବା ସହିତ ସେଠାରେ ସମସ୍ତ ଦାୟିତ୍ବ ତୁଲାଉଛନ୍ତି । ଏହାସହିତ ସେ ଧାର୍ମିକ ପୁସ୍ତକ ଜେଲ ଅଧିକାରୀଙ୍କୁ ମାଗିଥିବା ସୂଚନା ମିଳିଛି ।
ଆସନ୍ତା ଅକ୍ଟୋବର ୨୬ ତାରିଖରେ ବମ୍ବେ ହାଇକୋର୍ଟ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ନେଇ ଶୁଣାଣି କରିବେ । ସେପଟେ ଆର୍ଯ୍ୟନ ଘରୁ ତାଙ୍କ ପାଇଁ ୨ଟି ବେଡସିଟ୍ ସହିତ କିଛି ପୋଷାକ ପଠାଯାଇଛି । ଆର୍ଯ୍ୟନ ଗତ କିଛି ଦିନ ଧରି କିଛି ଭୋଜନ କରିନଥିବା ବେଳେ ଆଜି ସକାଳେ ଜଣେ କନଷ୍ଟେବଳ ତାଙ୍କ ପାଇଁ ବିସ୍କୁଟ କିଣି ଆଣିଥିବା ଶୁଣିବାକୁ ମିଳିଛି । ଏହାରି ମଧ୍ୟରେ ସେ ବାରମ୍ବାର ଜେଲ ଅଧିକାରୀଙ୍କୁ ଧାର୍ମିକ ବହି ମାଗୁଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ