ମୁମ୍ବାଇ: ଲକଡାଉନରେ ସମସ୍ତ ଷ୍ଟାର ଘର କାମରେ ବ୍ୟସ୍ତ ଅଛନ୍ତି । କିଏ ପରିବାର ସହ ସମୟ କାଟୁଛି ତ କିଏ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରୁଛି । କିଛି ଷ୍ଟାର ଟିକଟକରେ ସକ୍ରିୟ ଅଛନ୍ତି । ଏହି ସମୟରେ ଆଲିୟା ଭଟ୍ଟ ବହିପଢାରେ ନିଜକୁ ବ୍ୟସ୍ତ ରଖିଛନ୍ତି । ଏଥିରୁ ସେ ଅନେକ କିଛି ଶିଖୁଥିବା କହିଛନ୍ତି ।
ଲିସା ବ୍ରେନ୍ନାନଙ୍କ ସ୍ମଲ ଫ୍ରାଏ ନୋଭେଲ ପଢୁଥିବାର ଏକ ଫଟୋ ସେ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ଯେତେବେଳେ ଆମ ପାଖରେ କୁଆଡେ ଯିବାର କୌଣସି ବିକଳ୍ପ ନଥାଏ ସେତେବେଳେ ବହି ଆମକୁ ଏକ ନୂଆ ରାସ୍ତା ଦେଖାଏ । ବହି ପଢି ସେ ନିଜକୁ ଶାନ୍ତ ରଖିବା ସହ ମନକୁ ସ୍ଥିର ରଖୁଥିବା କହିଛନ୍ତି । ଲକଡାଉନ ତାଙ୍କୁ ଅନେକ କିଛି ଶିଖାଇଛି ବୋଲି ଭଟ୍ଟ ତନୟା କହିଛନ୍ତି ।
ନିକଟରେ ଆଲିୟା ପରିବାର ନାମକ ଏକ ସର୍ଟ ଫିଲ୍ମରେ ନଜର ଆସିଥିଲେ । ଏଥିରେ ଅମିତାଭ ବଚ୍ଚନ, ରଣବୀର କପୁର, ଦିଲଜିତ ଦୋସାଞ୍ଜ, ରଜନୀକାନ୍ତ, ମାମୁଟ୍ଟି, ମୋହନଲାଲଙ୍କ ଭଳି ଷ୍ଟାର ଆକ୍ଟିଂ କରିଥିଲେ । ଲୋକଙ୍କୁ ସଚେତନ କରିବାକୁ ଏହି ଛୋଟ ପ୍ରୟାସ କରିଥିଲେ ଫିଲ୍ମ ତାରକା । ଖବର ଅନୁସାରେ ଏବେ ଆଲିୟା ରଣବୀରଙ୍କ ସହ କ୍ବାରେଣ୍ଟାଇନରେ ଥିବା କୁହାଯାଉଛି । ତେବେ ଏକଥାର କୌଣସି ସତ୍ୟତା ନଥିଲେ ମଧ୍ୟ ଆଲିୟା ଓ ରଣବୀର ନିଜ ପରିବାର ଲୋକଙ୍କ ସହ ନଜର ଆସୁନାହାନ୍ତି । ତେଣୁ ଏହା ସତ ହୋଇଥିବା ଅନୁମାନ କରାଯାଉଛି ।