ମୁମ୍ବାଇ: ଏଥର ଖେଳ ମଇଦାନରେ ନଜର ଆସିବେ ବଲିଉଡର ସିଂଘମ ଅଜୟ ଦେବଗନ । ସେ ଆଜିକାଲି ନିଜର ଆଗାମୀ ଫିଲ୍ମ ‘ମଇଦାନ’ର ସୁଟିଂରେ ଲାଗିପଡିଛନ୍ତି । ଯାହାର ଫାଷ୍ଟ ସୁଟିଂ ସିଡ୍ୟୁଲ ନିକଟରେ ଶେଷ କରିସାରିଛନ୍ତି ଅଜୟ । ଆଉ ଫିଲ୍ମର ସେକେଣ୍ଡ ସିଡ୍ୟୁଲ ସୁଟିଂ ଏମାସ ଶେଷ ଆଡକୁ ଆରମ୍ଭ ହେବ ।
‘ମଇଦାନ’ରେ ତାଙ୍କ ସହ ନ୍ୟାସନାଲ ଆୱାର୍ଡ ୱିନର କ୍ରିତି ସୁରେଶ ଓ ଗଜରାଜ ରାଓ ମୁଖ୍ୟ ଭୂମିକାରେ ନଜର ଆସିବେ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ସୁପରହିଟ୍ ଫିଲ୍ମ ‘ବଧାଇ ହୋ’ ନିର୍ଦ୍ଦେଶକ ଅମିତ ରବିନ୍ଦ୍ରନାଥ ଶର୍ମା । ଅନ୍ୟପଟେ ‘ମଇଦାନ’ର ପ୍ରଯୋଜନା କରିଛନ୍ତି ବୋନି କପୁର, ଅକ୍ସ ଚାୱଲା, ଅରୁନାଭା ଜୟ ସେନଗୁପ୍ତା ।
ପ୍ରଥମ ସିଡ୍ୟୁଲ ସୁଟିଂ ଅବସରରେ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରରେ ଦର୍ଶକଙ୍କୁ ଏହାର ସୂଚନା ଦେଇଛନ୍ତି । ସେହିପରି କିଛି ଦିନ ପୂର୍ବରୁ ଅଜୟ ମଧ୍ୟ ସୋସିଆଲ ମିଡିଆରେ ‘ମଇଦାନ’ର ପ୍ରଥମ ପୋଷ୍ଟର ସେୟାର କରିଥିଲେ ।
ପ୍ରକାଶ ଥାଉକି ଏହି ଫିଲ୍ମରେ ଦର୍ଶକ 1952ରୁ 1962ର ଭାରତୀୟ ଫୁଟବଲ ଖେଳ ଦେଖିବାକୁ ପାଇବେ । ଯେଉଁ ସମୟକୁ ଭାରତ ଫୁଟବଲ ଇତିହାସ ସୁବର୍ଣ୍ଣ ଯୁଗ କୁହାଯାଏ ।