ମୁମ୍ବାଇ: ସୋମବାର ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ କେସରେ ନୂଆ ଖବର ସାମ୍ନାକୁ ଆସିଛି । କିଛି ଦିନ ହେବ ଡ୍ରଗ୍ ଡିଲିଂ କେସରେ ଜେରା ହେଉଥିବା ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ନେଇ ପୁଣି ଚର୍ଚ୍ଚା । ସେ ମୁମ୍ବାଇ ପୋଲିସ ନିକଟରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ପ୍ରିୟଙ୍କା ତାଙ୍କ ଭାଇଙ୍କୁ 'ବୋଗସ୍ ମେଡିକାଲ୍ ପ୍ରେସକ୍ରିପସନ୍' ପଠାଇଥିବା ଅଭିଯୋଗ କରିଛନ୍ତି ମୁଖ୍ୟ ଅଭିଯୁକ୍ତ ରିଆ ।
ମୁମ୍ବାଇ ପୋଲିସ ନିକଟରେ ଦାଖଲ ହୋଇଥିବା ଅଭିଯୋଗରେ ଜାଲିଆତି ପାଇଁ ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତର ତରୁଣ କୁମାରଙ୍କ ନାମ ମଧ୍ୟ ରହିଛି । ରିଆ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସୁଶାନ୍ତଙ୍କ ପାଇଁ ଉଦ୍ଦିଷ୍ଟ ଡାକ୍ତରୀ ପ୍ରେସକ୍ରିପସନ୍ ଫର୍ଜି ଏବଂ ମିଥ୍ୟା ବୋଲି ଜଣାପଡିଛି ।
ପ୍ରକାଶ ଥାଉକି ନିକଟରେ ପ୍ରିୟଙ୍କାଙ୍କ ବିରୋଧରେ ରିଆ ଏକ ସାକ୍ଷାତକାରରେ କହିଥିଲେ ଯେ ସୁଶାନ୍ତଙ୍କ ଘରେ ଥିବା ସମୟରେ ସେ ମଦ ପିଇ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଯାହାପରେ ସେ ସୁଶାନ୍ତଙ୍କ ଘର ଛାଡି ଚାଲିଯାଇଥିଲେ । ଏହି କାରଣ ପାଇଁ ସୁଶାନ୍ତ ଓ ପ୍ରିୟଙ୍କାଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା ।
ଯଦି ସୁଶାନ୍ତଙ୍କ କେସ ବିଷୟରେ କଥା ହେବା ତେବେ ତିନୋଟି ଏଜେନ୍ସି ବର୍ତ୍ତମାନ ଯାଞ୍ଚ ଜାରି ରଖିଛନ୍ତି । ଗୋଟିଏ ପଟେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କଡାକଡି ଯାଞ୍ଚ କରୁଥିବାବେଳେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା ଲୋକଙ୍କୁ ପଚରାଉଚରା କରିବାରେ ବ୍ୟସ୍ତ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ