ପାଟନା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ପ୍ରତିକ୍ରିୟା ରଖିଛନ୍ତି । ଯେଉଁଥିରେ ସେ କହିଛନ୍ତି କି ସୁଶାନ୍ତଙ୍କ ମାମଲାରେ ବିହାରରେ ଆଇନ ଅନୁଯାୟୀ କାମ ହୋଇଛି । ଆମେ ସମ୍ବିଧାନର ପାଳନ କରିଛୁ ।
‘ଏହା ସମ୍ପୂର୍ଣ୍ଣ ଠିକ୍, ଆଇନଗତ ନିୟମ ଦ୍ବାରା ସବୁ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହା ସ୍ପଷ୍ଟ ହୋଇସାରିଛି । ଏହା ସମ୍ପୂର୍ଣ୍ଣ ନ୍ୟାୟପୂର୍ଣ୍ଣ ଓ ଆଇନ ଅନୁଯାୟୀ କରାଯାଇଥିଲା । ଏହା ଆମର କୌଣସି ବିଜୟ ନୁହେଁ ବରଂ ଏହା ନ୍ୟାୟର କଥା । ବିହାର ନିର୍ବାଚନ ସହ ଏହି ମାମଲାର କୌଣସି ସମ୍ପର୍କ ନାହିଁ । ଏହାର କେବଳ ନ୍ୟାୟ ସହ ସମ୍ପର୍କ ଅଛି’ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ନୀତିଶ କୁମାର ।
ପ୍ରକାଶଥାଉକି, ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ପୂର୍ବରୁ ବିହାର ସରକାର କେସ ସିବିଆଇକୁ ଦେବା ପାଇଁ ଅନୁରୋଧ କରିଥିଲେ । ଯାହାକୁ କେନ୍ଦ୍ର ସରକାର ମାନିଥିଲେ । ସିବିଆଇ ସୁଶାନ୍ତଙ୍କ ମାମଲାରେ ଆଗାମୀ ଯାଞ୍ଚ କରିବ । ଏହି ନିଷ୍ପତ୍ତିରେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ବିହାର ପୋଲିସ ଏଫଆଇଆର ଠିକ୍ ଅଛି । ମହାରାଷ୍ଟ୍ର ସରକାରଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ ପଡିବ । ସେପଟେ ମୁମ୍ବାଇ ପୋଲିସ ଏଯାବତ କରିଥିବା ତଦନ୍ତର ସବୁ ଡିଟେଲ୍ସ ସିବିଆଇକୁ ହସ୍ତାନ୍ତର କରିବ ବୋଲି ଆଦେଶ ଦିଆଯାଇଛି ।