ମୁମ୍ବାଇ: ସଲମାନଙ୍କ ପରେ ନିଜ ଫିଲ୍ମର ଦିନ ମଜୁରିଆଙ୍କୁ ସାହାଯ୍ୟ କରିଛନ୍ତି ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ । ନିଜ ଆଗାମୀ ଫିଲ୍ମ ଲାଲ ସିଂହ ଚଢାର ଦିନ ମଜୁରିଆଙ୍କ ପାଇଁ ସେ ସାହାଯ୍ୟର ହାତ ବଢାଇଛନ୍ତି । ସେମାନଙ୍କୁ ଏହି ବିପଦ ସମୟରେ ସହାୟତା କରିଛନ୍ତି ଆମୀର ।
ଏହା ପୂର୍ବରୁ ରାଧେର ସମସ୍ତ ଆର୍ଟିଷ୍ଟ ଓ ମଜୁରିଆଙ୍କୁ ଆର୍ଥିକ ସହାୟତା ଦେଇଥିଲେ ସଲମାନ । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଅର୍ଥ ଜମା କରିଥିଲେ ଭାଇଜାନ । ତାଙ୍କ ପଥ ଅନୁସରଣ କରି ଲାଲ ସିଂହ ଚଡ୍ଡାର ସମସ୍ତ ମଜୁରିଆଙ୍କୁ ସାହାଯ୍ୟ କରିଛନ୍ତି ଆମୀର । ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ଦିନ ମଜୁରିଆଙ୍କ ଚଳିବା କଷ୍ଟକର ହୋଇପଡିଥିବାବେଳେ ଏପରି ସମୟରେ ବଲିଉଡ ଷ୍ଟାର ସେମାନଙ୍କ ଦୁଃଖ ବୁଝିବାକୁ ସମସ୍ତେ ତାରିଫ କରିଛନ୍ତି । ପୂର୍ବରୁ ତିନି ଖାନ କୋରୋନା ସମୟରେ ସାହାଯ୍ୟ ଦେଉନଥିବା ନେଇ ସମାଲୋଚିତ ହେଉଥିବାବେଳେ ଏପରି ପଦକ୍ଷେପ ସହ ସମାଲୋଚକଙ୍କୁ ଚୁପ କରିଛନ୍ତି ଆମୀର ।
ପୂର୍ବରୁ ସେ ପିଏମ କେୟାର୍ସ ଫଣ୍ଡକୁ ଦାନ କରିସାରିଛନ୍ତି । ଏହାସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ମଧ୍ୟ ସାହାଯ୍ୟ ଦେଇଛନ୍ତି । ଏବର୍ଷ ଡିସେମ୍ବରରେ ତାଙ୍କ ଆଗାମୀ ଫିଲ୍ମ ଲାଲ ସିଂହ ଚଡ୍ଡା ରିଲିଜ ହେବ ବୋଲି ସ୍ଥିର ହୋଇଛି ।