ହାଇଦ୍ରାବାଦ: ଗତ ଶୁକ୍ରବାର ଠାରୁ ଚନ୍ଦ୍ରପୃଷ୍ଠରେ ପଡିଲାଣି ସୂର୍ଯ୍ୟାଲୋକ । ଦେଶବାସୀଙ୍କ ସହ ଇସ୍ରୋ ବୈଜ୍ଞାନିକଙ୍କ ଆଶା ରହିଥିଲା ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟାଲୋକ ପଡିଲେ ନିଦରୁ ଉଠିବେ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ । ହେଲେ ଏହାରି ଭିତରେ 3 ଦିନ ବିତିଯାଇଥିଲେ ହେଁ ସେଠାରୁ ଆସୁନାହିଁ କୌଣସି ସିଗ୍ନାଲ୍ । ବର୍ତ୍ତମାନ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଉଠିବ ବିକ୍ରମ-ପ୍ରଜ୍ଞାନ ।
ତେବେ ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ କୁହାଯାଇଛି, ଲ୍ୟାଣ୍ଡର ବିକ୍ରମ ଏବଂ ପ୍ରଜ୍ଞାନ ରୋଭରକୁ ଜାଗ୍ରତ କରିବା ପାଇଁ ଆମ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି । ଅକ୍ଟୋବର 6ରେ ପରବର୍ତ୍ତୀ ଚନ୍ଦ୍ର ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଜାଗ୍ରତ କରିବା ପାଇଁ ଉଦ୍ୟମ ଜାରି ରହିବ । ଶନିବାର ଦିନ ଅର୍ଥାତ ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟ ଉଦୟ ହେବାର ଗୋଟିଏ ଦିନ ପରେ ଇସ୍ରୋର ବୈଜ୍ଞାନିକମାନେ ଚନ୍ଦ୍ରଯାନ-3 ମିଶନର ବୋନସ ଫେଜ୍କୁ ଆରମ୍ଭ କରିଥିଲେ । ISRO ଚେୟାରମ୍ୟାନ୍ ଏସ୍ ସୋମନାଥ କହିଛନ୍ତି ଯେ, "ଉପକରଣଗୁଡ଼ିକ ସହିତ ପୁନଃ ଯୋଗାଯୋଗ କେବେ ସ୍ଥାପିତ ହେବ ତାହାର କୌଣସି ସମୟ ସୀମା ନାହିଁ । ସେମାନେ କେବେ ଆକ୍ଟିଭ୍ ମୋଡ୍ ହେବେ ତାହା ଆମେ ବି ଜାଣି ନାହୁଁ । ବୋଧହୁଏ ଆସନ୍ତାକାଲି କିମ୍ବା ଚନ୍ଦ୍ର ଦିବସର ଶେଷ ଦିନରେ ଉଠିପାରନ୍ତି । କିନ୍ତୁ ଆମେ ଚେଷ୍ଟା ଜାରି ରଖିଛୁ । ଯଦି ଲ୍ୟାଣ୍ଡର ଏବଂ ରୋଭର ଜାଗ୍ରତ ହୁଏ, ତେବେ ଏହା ଆମ ପାଇଁ ଏକ ବଡ ସଫଳତା ହେବ ।"
ଏକ ମିଡିଆ ରିପୋର୍ଟ ଅନୁସାରେ, ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର ବିକ୍ରମ ଲୁନର ଡେ(ପୃଥିବୀର 14 ଦିନ) ଏବଂ -200 ରୁ -250 ଡିଗ୍ରୀ ସେଲସିୟସରେ ରହିବା ପରେ ନିଷ୍କ୍ରିୟ ହୋଇଯାଇଛି । କିନ୍ତୁ ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ, ଚନ୍ଦ୍ର ଦିବସ ଗଡ଼ିବା ସହିତ ଚନ୍ଦ୍ରପୃଷ୍ଠରେ ତାପମାତ୍ରା ବୃଦ୍ଧି ପାଇବ । ତାପମାତ୍ରା ବୃଦ୍ଧି ପାଇଲେ ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର ବିକ୍ରମ ଜାଗ୍ରତ ହେବାର ସମ୍ଭାବନା ଅଧିକ ।
ଏହା ମଧ୍ୟ ପଢନ୍ତୁ: Chandrayaan-3 Mission: ନିଦରୁ ଉଠୁନାହାନ୍ତି ବିକ୍ରମ ଓ ପ୍ରଜ୍ଞାନ, ଆସୁନି କୌଣସି ସିଗ୍ନାଲ
ରୋଭର ପାଇଁ କରାଯାଇଛି ଏକ୍ସପେରିମେଣ୍ଟ: ଏହାପୂର୍ବରୁ ଇସ୍ରୋ ମୁଖ୍ୟ ସୋମନାଥ କହିଥିଲେ ଯେ, କମ ତାପମାତ୍ରାରେ ଆକ୍ଟିଭ୍ ରହିବା ପାଇଁ ରୋଭରର ପରୀକ୍ଷା କରାଯାଇଥିଲା କିନ୍ତୁ ବିକ୍ରମ କ୍ଷେତ୍ରରେ ଏହି ଏକ୍ସପେରିମେଣ୍ଟ କରାଯାଇଥିଲା । ରୋଭରକୁ ଭଲଭାବେ ପରୀକ୍ଷା କରାଯାଇଛି କିନ୍ତୁ ପ୍ରଜ୍ଞାନ ଏବଂ ବିକ୍ରମଙ୍କ ଅନେକ ଡିଜାଇନ ଗୋଟିଏ ଭଳି ରହିଛି । ଏହାର ଅର୍ଥ ହେଉଛି ପ୍ରଜ୍ଞାନ ପାଇଁ କାମ କରୁଥିବା ପରୀକ୍ଷା ମଧ୍ୟ ବିକ୍ରମଙ୍କ ପାଇଁ କାମ କରିବା ଉଚିତ ।"
ପୂର୍ବରୁ ବ୍ୟାଟେରୀକୁ କରାଯାଇଥିଲା ଚାର୍ଜ: ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ, ଯନ୍ତ୍ରପାତି ନିଷ୍କ୍ରିୟ କରିବା ପୂର୍ବରୁ ବ୍ୟାଟେରୀଗୁଡ଼ିକ ସମ୍ପୂର୍ଣ୍ଣ ଚାର୍ଜ ହୋଇଯାଇଥିଲା ଏବଂ ସୌର ପ୍ୟାନେଲଗୁଡିକ ଏପରି ଭାବରେ ନିର୍ମିତ ହୋଇଥିଲା ଯେ ସୂର୍ଯ୍ୟ ଉଦୟ ହେବା ପରେ ସେମାନେ ଆଲୋକ ଗ୍ରହଣ କରିପାରିବେ । ଏଥିସହିତ ରିସିଭର ମଧ୍ୟ ଅନ୍ ରଖାଯାଇଥିଲା । ଯାହା ଦ୍ବାରା କି ଯନ୍ତ୍ରଗୁଡ଼ିକ ନିମ୍ନ ତାପମାତ୍ରାକୁ ସହ୍ୟ କରିବାକୁ ସକ୍ଷମ ହୁଏ, ତେବେ ସେମାନେ ଜାଗ୍ରତ ହୋଇପାରିବେ ଏବଂ ପରବର୍ତ୍ତୀ 14 ଦିନ ପାଇଁ ଅତିରିକ୍ତ ପରୀକ୍ଷଣ ଆରମ୍ଭ ହୋଇପାରିବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଲ୍ୟାଣ୍ଡର ଏବଂ ରୋଭରକୁ ନେଇ ଇସ୍ରୋ ବୈଜ୍ଞାନିକଙ୍କୁ କୌଣସି ପ୍ରକାର ସଙ୍କେତ ମିଳିନଥିବା ବେଳେ ହାତରେ ମାତ୍ର ଆଉ 12 ଦିନ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ