ସମ୍ପାଦକୀୟ, ଇନାଡୁ
ହାଇଦ୍ରାବାଦ: କଥାରେ ଅଛି ଗୋଟିଏ ହାତରେ କେବେ ତାଳି ବାଜେ ନାହିଁ । ସେହିପରି ଏକ ସୁଦୃଢ ଗଣତାନ୍ତ୍ରିକ ରାଷ୍ଟ୍ର ଲାଗି ସଶକ୍ତ ବିରୋଧୀ ଦଳର ଆବଶ୍ୟକତା ରହିଛି । ଯିଏକି ସରକାରଙ୍କ ଦୋଷ ଦୁର୍ବଳତାକୁ ସମାଲୋଚନା କରିବାର ଅଧିକାର ରଖେ, ଶାସନ ବ୍ୟବସ୍ଥାର ଭିତିର କଥାକୁ ଲୋକଲୋଚନକୁ ଆଣେ । ଏହା ଖାଲି ଦେଶ କି ଦେଶବାସୀଙ୍କ ପାଇଁ ନୁହେଁ, ବରଂ ଗଣତନ୍ତ୍ରର ହିତ ଲାଗି ନିହାତି ଆବଶ୍ୟକ । ସମ୍ବିଧାନର ପ୍ରଣେତା ଡ. ବି.ଆର ଆମ୍ବେଦକର ମଧ୍ୟ ସମାନ କଥା କୁହନ୍ତି । ତାଙ୍କର ଅନନ୍ୟ ମନ୍ତବ୍ୟ ମଧ୍ୟରୁ ଗୋଟିଏ ହେଉଛି ଯେ ସରକାରୀ ଧାରାରେ କ୍ଷମତାସୀନତାକୁ ଏଡାଇବା ପାଇଁ ଦୃଢ ବିରୋଧୀ ରହିବା ନିତାନ୍ତ ଆବଶ୍ୟକ । ତେବେ ଗତ ୨ଟି ସାଧାରଣ ନିର୍ବାଚନକୁ ଦେଖିଲେ ବିଜେପିର ପ୍ରଭାବ ଓ ଭୋଟ ହାର ବୃଦ୍ଧି ଆଗରେ ଜାତୀୟ ସ୍ତରର ବିରୋଧୀ ଦଳଗୁଡ଼ିକ ଏକପ୍ରକାର ହାର ମାନିଛନ୍ତି । ଏପରି ସ୍ଥିତିରେ ବିହାରର ରାଜଧାନୀ ପାଟନାରେ ବସିବାକୁ ଥିବା ବିରୋଧୀ ଦଳ ବୈଠକ କେତେ ସଫଳ ହେବ ତାହା ଉପରେ ସମସ୍ତଙ୍କ ନଜର ।
ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ପରାଜିତ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ଜାତୀୟ ସ୍ତରର ବିରୋଧୀ ଦଳ । ସମସ୍ତ ବିଜେପି-ବିରୋଧୀ ଦଳଗୁଡ଼ିକ ମହାମେଣ୍ଟ ଗଠନ ଲାଗି ପ୍ରସ୍ତୁତ ହେଉଛନ୍ତି । ବିରୋଧୀ ମହାମେଣ୍ଟର ନେତୃତ୍ବ ନେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନିକଟରେ ନୀତିଶ ବିଭିନ୍ନ ଦଳର ସୁପ୍ରିମୋଙ୍କ ସହିତ ମହାମେଣ୍ଟ ଗଠନ ନେଇ ସ୍ବତନ୍ତ୍ର ଆଲୋଚନା ମଧ୍ୟ କରିଛନ୍ତି । ଫଳସ୍ବରୂପ ଆସନ୍ତାକାଲି (ଶୁକ୍ରବାର) ପାଟନାରେ ବିଜେପି ବିରୋଧରେ ଏକତ୍ରିତ ହେବାକୁ ଯାଉଛନ୍ତି ବିଭିନ୍ନ ଦଳର ସୁପ୍ରିମୋ । ଏହି ସ୍ବତନ୍ତ୍ର ବୈଠକରେ ବିଜେପି ବିରୋଧରେ ମହାମେଣ୍ଟ ଗଠନ ନେଇ ଆଲୋଚନା ହେବ ।
ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର କ୍ଷମତାର ଉପଯୋଗ କରି ଗଣତନ୍ତ୍ରର ହତ୍ୟା କରୁଛନ୍ତି ବୋଲି ଅଭିଯୋଗ କରିଆସୁଛନ୍ତି ବିରୋଧୀ ଦଳ । ଏଣୁ ସଭିଏଁ ମହାମେଣ୍ଟ ଗଠନ ଲାଗି ଆଗେଇ ଆସୁଛନ୍ତି । ହେଲେ କିଛି ଦଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ସମଦୂରତା ମଧ୍ୟ ଅବଲମ୍ବନ କରୁଛନ୍ତି । ଏପରି ସ୍ଥିତିରେ ମହାମେଣ୍ଟ ଲାଗି ଆହ୍ବାନ ପାଲଟିଛି କିଛି ରାଜ୍ୟ ମଧ୍ୟରେ ଥିବା ଶତ୍ରୁତା । ଯେପରିକି ଟିଏମସି-କଂଗ୍ରେସ-ସିପିଆଇ (ଏମ) । ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯଦି ରାଜ୍ୟରେ କଂଗ୍ରେସ ସିପିଆଇ(ଏମ) ସହିତ ହାତ ମିଳାଇବ ତେବେ ଲୋକସଭା ଆସନ ଲାଗି ଟିଏମସିର ସମର୍ଥନ ଲୋଡ଼ିବା ଅଯଥା ଉଦ୍ୟମ ଛଡ଼ା ଆଉ କିଛି ନୁହେଁ । ଏପରି ସ୍ଥିତିରେ ଟିଏମସି କଂଗ୍ରେସକୁ ସମର୍ଥନ କରିବ ନାହିଁ ବୋଲି ସେ ସଫା ସଫା ମନା କରିଦେଇଥିଲେ ।
ଖାଲି ଦିଦି ନୁହେଁ, ନିକଟରେ ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ କଂଗ୍ରେସକୁ ସମାଲୋଚନା କରିଥିଲେ । କଂଗ୍ରେସ ଶାସିତ ରାଜସ୍ଥାନରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଥିବା କେଜ୍ରିୱାଲ ସେଠାରେ କଂଗ୍ରେସକୁ ସମାଲୋଚନା କରିଥିଲେ । ସେପଟେ ଯେଉଁ ଦଳ ବିଜେପିକୁ ପରାଜିତ କରିବାକୁ ଚାହୁଁଛନ୍ତି ସେମାନେ ମହାମେଣ୍ଟରେ ସାମିଲ ହେବାକୁ ଜାତୀୟ ସ୍ତରର ବିରୋଧୀ ଦଳଗୁଡ଼ିକୁ ଅପିଲ କରିଥିଲେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । କିଛି ବିରୋଧୀ ଦଳ ମଧ୍ୟରେ ଥିବା ରାଜନୈତିକ ପ୍ରତିଦ୍ବନ୍ଦିତା ମଧ୍ୟରେ ସମସ୍ତଙ୍କୁ ଏକତ୍ରିତ କରିବା ନୀତିଶଙ୍କ ପକ୍ଷେ ଏକ ବଡ଼ ଆହ୍ବାନ ନିଶ୍ଚିତ । ଏଠାରେ ପ୍ରଶ୍ନ ଉଠୁଛି ନୀତିଶ କଂଗ୍ରେସ, ବାମପନ୍ଥୀ ଦଳ ଓ ଆଞ୍ଚଳିକ ଦଳଗୁଡ଼ିକୁ ଏକତ୍ରିତ କରିବାରେ ସକ୍ଷମ ହେବେ ତ ? ପାଟନା ବୈଠକ ୨୦୨୪ ସାଧାରଣ ନିର୍ବାଚନର ସଫଳତା ହାସଲ କରିବାରେ ସକ୍ଷମ ହେବ ତ ?
ଅନ୍ୟପଟେ ଗତ ୯ ବର୍ଷ ପୂର୍ବେ ବିଜେପି ଲୋକସଭା ନିର୍ବାଚନରେ ୨୮୨ ଆସନ ସହିତ ୩୧.୩୪ ପ୍ରତିଶତ ଭୋଟରେ ବିଜୟ ଲାଭ କରିଥିଲା । ୨୦୧୯ ନିର୍ବାଚନରେ ବିଜେପିର ଭୋଟ ହାର ବୃଦ୍ଧି ପାଇ ୩୭.୭ରେ ପହଞ୍ଚିଥିଲା ଓ ୩୦୩ ଆସନ ହାତେଇଥିଲା ଦଳ । ଯଦି ବିଜେପିକୁ ପରାସ୍ତ କରିବାର ଅଛି ତେବେ ବିରୋଧୀ ଦଳଗୁଡ଼ିକୁ ଏକତ୍ରିତ ହୋଇ ମହାମେଣ୍ଟ ଗଠନ କରିବାକୁ ପଡ଼ିବ । ନଚେତ ବିଜେପିର ଜୟଯାତ୍ରାକୁ ରୋକିବା ଅସମ୍ଭବ ଏହା ବୁଝିସାରିଲେଣି ବିରୋଧୀ । ଏଣୁ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ମହାମେଣ୍ଟ ଗଠନ ଲାଗି ପ୍ରସ୍ତୁତ ହେଉଛନ୍ତି ବିଜେପି-ବିରୋଧୀ ଦଳ । ନିକଟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରି ଶାସନ କ୍ଷମତା ହାତକୁ ନେଇଥିବା କଂଗ୍ରେସ ଆତ୍ମବିଶ୍ବାସ ଫେରିପାଇଛି । ମହାମେଣ୍ଟର ନେତୃତ୍ବ ନେବା ତଥା ମୁଖ୍ୟ ବିରୋଧୀ ଦଳ ହେବା ଲାଗି ଚାହୁଁଛି କଂଗ୍ରେସ ।
କର୍ଣ୍ଣାଟକ, ରାଜସ୍ଥାନ, ହିମାଚଳପ୍ରଦେଶ ଓ ଛତିଶଗଡ଼ର ଶାସନ ଭାର କଂଗ୍ରେସ ହାତରେ ରହିଛି । ସେପଟେ ତାମିଲନାଡୁ, ବିହାର ଓ ଝାଡ଼ଖଣ୍ଡରେ କଂଗ୍ରେସ ଶାସକ ମିଳିତ ମଞ୍ଚରେ ଅଂଶୀଦାର ରହିଛି । ଦଳ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ଭୋଟ ହାତେଇଥିବା ବେଳେ ଗୁଜୁରାଟ ବିଧାନସଭା ନିର୍ବାଚନରେ ଦଳ ଖାତାକୁ ଆସିଥିଲା ୨୭ ପ୍ରତିଶତ ଭୋଟ । ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଦଳର ଭିତ୍ତିଭୂମି ସୁଦୃଢ ରହିଛି । କିଛି ସ୍ଥାନରେ ଦଳ ନିଜର ଭୁଲ ଯୋଗୁଁ ପରାଜିତ ହୋଇଛି । ଏହା ପରେ ମଧ୍ୟ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଖାତାକୁ ଯାଇଛି ୧୯.୫ ପ୍ରତିଶତରୁ ଅଧିକ ଭୋଟ । ଏଣୁ ଯେକୌଣସି ପରିସ୍ଥିତିରେ ବିଜେପିକୁ ପରାଜିତ କରିବାକୁ ହେଲେ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକୁ କଂଗ୍ରେସର ସମର୍ଥନର ଆବଶ୍ୟକତା ରହିଛି ।
ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣିବା ଲାଗି ଜଣେ ଦକ୍ଷ ବିରୋଧୀର ଆବଶ୍ୟକତା ରହିଛି । ଭାରତରେ ଏବେ ଏହା ଏକ ଐତିହାସିକ ଆବଶ୍ୟକତା ପାଲଟିଛି । ଦେଶର ସଶକ୍ତିକରଣ ସହିତ ଜାତିର ସମୃଦ୍ଧତା ପାଇଁ ବିରୋଧୀ ଦଳମାନଙ୍କର ମହାମେଣ୍ଟର ନିତାନ୍ତ ଆବଶ୍ୟକ । ଏଥିଲାଗି କଂଗ୍ରେସ ଓ ଅନ୍ୟ ବିରୋଧୀଦଳଗୁଡ଼ିକ ସାଧାରଣ ଦୃଷ୍ଟିକୋଣରୁ ଏକତ୍ରିତ ହେବା ଦରକାର । ଯଦି ବିରୋଧୀ ମହାମେଣ୍ଟ ଶାସନ କ୍ଷମତାକୁ ଆସନ୍ତି, ତେବେ ସାଧାରଣ ଲୋକଙ୍କ ସମସ୍ୟାକୁ କିପରି ଅଧିକ ଭଲ ଭାବେ ସମାଧାନ କରି ହେବ ସେ ନେଇ ମହାମେଣ୍ଟର ମୁଖ୍ୟ ଉଦ୍ୟମ କରିବା ଉଚିତ । ଭାରତୀୟ ଏକତାକୁ ମଜଭୁତ କରିବା, ହତ୍ୟା ହେଉଥିବା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପୁନଃ ସ୍ଥାପିତ କରିବା ପାଇଁ ମହାମେଣ୍ଟ ସେମାନଙ୍କର ଚିନ୍ତାଧାରା ଓ ଯୋଜନାକୁ ଜନତାଙ୍କ ନିକଟରେ ସ୍ପଷ୍ଟ କରିବା ଉଚିତ ।
ବିରୋଧୀ ମହାମେଣ୍ଟ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବାର ଆଶା ନେଇ କାମ କରିବା ବଦଳରେ ଦେଶବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କାମ କରିବା ଉଚିତ । ଆଲୋଚନା ମାଧ୍ୟମରେ ସାଧାରଣ କାର୍ଯ୍ୟକ୍ରମର ଆୟୋଜନ କରିବା ଉଚିତ । ମହାମେଣ୍ଟର ମୁଖ୍ୟ ସର୍ବଦା ସହଭାଗୀମାନଙ୍କର ସାମୁହିକ ସମ୍ମତି ସହିତ କାର୍ଯ୍ୟ କରିବା ଆବଶ୍ୟକ । ନିର୍ବାଚନ ସମୟ ପାଖେଇ ଆସିବା ପୂର୍ବରୁ ସେମାନେ ସଂସଦରେ ବିଭିନ୍ନ ପ୍ରସଙ୍ଗରେ ଗୋଟିଏ ସ୍ବର ଉଠାଇବା ସହ ଲୋକମାନଙ୍କ ପ୍ରତି କର୍ତ୍ତବ୍ୟ ଏବଂ ଉତ୍ସର୍ଗୀକୃତ ଭାବକୁ ପ୍ରକାଶ କରିବା ଉଚିତ । ଏ ନେଇ ବିରୋଧୀ ଦଳଗୁଡ଼ିକ ଦାୟିତ୍ବବୋଧର ସହ କାର୍ଯ୍ୟ କଲେ ହିଁ ଜନସାଧାରଣଙ୍କ ବିଶ୍ବାସ ହାସଲ କରିବାକୁ ସମର୍ଥ ହେବେ ।