ଲେଖକ- ପିଭିଏସ ଶୈଳଜା (ସହକାରୀ ପ୍ରଫେସର, ବି.ଆର ଆମ୍ବେଦକର ଆଇନ ମହାବିଦ୍ୟାଳୟ)
ହାଇଦ୍ରାବାଦ: ବୈବାହିକ ଦୁଷ୍କର୍ମ ମାମଲା ଅପରାଧ କି ନୁହେଁ ? ଏ ନେଇ ବିଭିନ୍ନ ହାଇକୋର୍ଟରେ ମାମଲା ବିଚାରଧୀନ ରହିଛି । ତେବେ ଭାରତୀୟ ଦଣ୍ଡ ସହିତାର ଧାରା ୩୭୫ ଅନୁଯାୟୀ ଦୁଷ୍କର୍ମ ଅପରାଧ । କିନ୍ତୁ ଯେତେବେଳେ ଜଣେ ମହିଳାଙ୍କ ବୟସ ୧୫ ବର୍ଷରୁ ଅଧିକ ହୋଇଥାଏ, ସେତେବେଳେ ନିଜ ଅନିଚ୍ଛା ସତ୍ତ୍ବେ ସ୍ବାମୀଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହେବା ପରେ ମହିଳା ଜଣକ ଆଇନଗତ ସୁରକ୍ଷା ଲୋଡିଥାଏ । ଏଭଳି ସ୍ଥିତିରେ ଏକ ସ୍ପଷ୍ଟ ବିଚାରଧାରାର ଅଭାବ ରହିଛି । ଯାହା ବିବାହିତ ମହିଳାଙ୍କ ଶାରୀରିକ ସ୍ବାଧୀନତା, ଜୀବନ ଅଧିକାର, ସମ୍ମାନ ଓ ପସନ୍ଦ କରିବାର ସ୍ବାଧୀନତାକୁ ନେଇ ଚିନ୍ତା ପ୍ରକଟ କରେ ।
ଏହି ଆଇନ ଜଣେ ବିବାହିତ ମହିଳାଙ୍କୁ ସ୍ବାମୀଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହେବା କ୍ଷେତ୍ରରେ ଆଇନଗତ ସୁରକ୍ଷାକୁ ପ୍ରତ୍ୟାଖ୍ୟାନ କରେ । ଏକ ଆଇନଗତ ବିବାହରେ ଏ ନେଇ ସେପରି କୌଣସି ଆଇନ ନଥିବା ବେଳେ ଅନ୍ୟପଟେ ଏହା ବିବାହିତ ମହଳାଙ୍କ ଶାରୀରିକ ସ୍ବାଧୀନତା ଉପରେ ପ୍ରଭାବ ପକାଇଥାଏ । ଏହାଦ୍ବାରା ଗୋଟିଏ କଥା ପରୋକ୍ଷରେ ସ୍ପଷ୍ଟ ହୋଇଯାଏ ସ୍ବାମୀଙ୍କ ସହ କୌଣସି ମୁହୂର୍ତ୍ତରେ, ପରିସ୍ଥିତିରେ ଯୌନ ସମ୍ପର୍କ ରଖିବା ଚିରସ୍ଥାୟୀ ସହମତିକୁ ବୁଝାଏ । ଯାହାକି ପାରସ୍ପରିକ ପ୍ରତିଶୃତିର ମହତ୍ତ୍ବ ଏବଂ ପ୍ରତ୍ୟେକ ନିଜ ନିଜ ଶରୀର ଉପରେ ସ୍ବାଧୀନତା ଅଧିକାରକୁ ଅଣଦେଖା କରେ ।
ବୈବାହିକ ଦୁଷ୍କର୍ମକୁ ନେଇ ଅନେକ ଆବେଦନ ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ଅନ୍ୟପଟେ ଗୁଜୁରାଟ ହାଇକୋର୍ଟ ଏହି ପ୍ରସଙ୍ଗ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ଦୁଷ୍କର୍ମ ହେଉଛି ଦୁଷ୍କର୍ମ, ଏହା ଜଣେ 'ସ୍ବାମୀ'ଙ୍କ ଦ୍ବାରା ନିଜ ପତ୍ନୀଙ୍କ ଇଚ୍ଛା ବିରୋଧରେ କରାଯାଉ । ୨୦୧୯ ସୁଦ୍ଧା ୧୫୦ ଦେଶରେ ବୈବାହିକ ଦୁଷ୍କର୍ମ ହେଉଛି ଅପରାଧ । ବର୍ତ୍ତମାନ ୧୮ ବର୍ଷରୁ ଅଧିକ ଥିବା ପତ୍ନୀଙ୍କ ଇଚ୍ଛା ବିରୁଦ୍ଧରେ ବୈବାହିକ ଦୁଷ୍କର୍ମ କରିବା ନେଇ କୌଣସି ଅପରାଧିକ ଦଣ୍ଡ ନାହିଁ । ୨୦୨୨ ମେ ମାସରେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇଥିଲେ । ଜଷ୍ଟିସ ରାଜୀବ ଶକଧେର ଏହି ଆଇନକୁ ଅସମ୍ବିଧାନିକ ବୋଲି କହିଥିଲେ ।
ଏହା ବି ପଢନ୍ତୁ- Decisions of Dignity: ମହିଳାଙ୍କ ସ୍ବାଧୀନତା ଏବଂ ପ୍ରଜନନ ସ୍ବାଧୀନତା ମଧ୍ୟରେ ପାର୍ଥକ୍ୟ
ପ୍ରଚଳିତ ଆଇନକୁ ଖଣ୍ଡନ କରି ଏହି ରାୟ ବୈବାହିକ ସମ୍ପର୍କ ମଧ୍ୟରେ ମହିଳାଙ୍କ ସ୍ବାଧୀନତାକୁ ସ୍ବୀକୃତି ଦେବାର ମହତ୍ତ୍ବକୁ ଦର୍ଶାଏ । ଅନ୍ୟପଟେ ବୈବାହିକ ଦୁଷ୍କର୍ମକୁ ଅପରାଧ ଦର୍ଶାଇବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ଜଷ୍ଟିସ ସି ହରିଶଙ୍କର, ଯାହାକି ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଥିଲେ । ଏହି ରାୟ ଦୁଇ ବିଚାରପତିଙ୍କ ମଧ୍ୟରେ ଥିବା ମତଭେଦରୁ ଦର୍ଶାଏ । ହେଲେ ସୁପ୍ରିମକୋର୍ଟରେ ଏହି ମାମଲାଟି ବିଚାରଧୀନ ରହିଥିବାରୁ ଏ ନେଇ ଜଟିଳତା ବଢୁଛି । ବୈବାହିକ ଦୁଷ୍କର୍ମ ବିରୋଧରେ ଆଇନଗତ ସୁରକ୍ଷାର ଅଭାବ ଭାରତରେ ମହିଳା ଅଧିକାର ଦିଗରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । କାରଣ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (NFHS)ର ୩ୟ (୨୦୦୫-୦୬) ଏବଂ ୪ର୍ଥ (୨୦୧୫-୧୬) ପର୍ଯ୍ୟାୟ ସର୍ବେକ୍ଷଣରୁ ଜଣାପଡିଛି ଯେ ମହିଳାଙ୍କ ବିରୋଧରେ ଅନ୍ତରଙ୍ଗ ପାର୍ଟନର ହିଂସା (IPV) ଦେଶର ବିଭିନ୍ନ ରାଜ୍ୟରେ ୩% ରୁ ୪୩% ମଧ୍ୟରେ ରହିଛି ।
୨୦୧୯-୨୦ରେ ସର୍ଭେର ୫ମ ରାଉଣ୍ଡ ୨୮ଟି ରାଜ୍ୟର ୭୦୭ ଜିଲ୍ଲା ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିଲା । ଏଥିରେ ୬୩୭୦୦୦ ନମୁନାରୁ ଜଣାପଡ଼େ ୧୮ରୁ ୪୯ ବର୍ଷ ବୟସର ୩ ଜଣ ମହିଳାଙ୍କ ମଧ୍ୟରୁ ଜଣେ ପତି-ପତ୍ନୀ ହିଂସା ଘଟାଉଛନ୍ତି । ୨୦୦୦ ମସିହାରେ ଏହି ଆଇନ ଆୟୋଗ ଏକ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ବୈବାହିକ ଦୁଷ୍କର୍ମକୁ ଅପରାଧୀକରଣ କରିବା ଦ୍ବାରା ବିବାହ ବନ୍ଧନରେ ଅତ୍ୟଧିକ ହସ୍ତକ୍ଷେପ ହୋଇପାରେ ।
ପରିଶେଷରେ, ବୈବାହିକ ଦୁଷ୍କର୍ମ ପ୍ରସଙ୍ଗ ସ୍ଥାୟୀ ଲିଙ୍ଗଗତ ସମାନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ । ସମାଜରେ ଲିଙ୍ଗଗତ ସମାନତା ହାସଲ କରିବାରେ ବାଧା ସୃଷ୍ଟି କରୁଥିବା ଅନେକ ମୁଦ୍ଦାରୁ ଏହା ଗୋଟିଏ । 'ବୈବାହିକ ଦୁଷ୍କର୍ମ' ଅନ୍ତରଙ୍ଗ ହିଂସାର ଗଭୀରତମ ରୂପ, ବ୍ୟାପକ ଆଇନଗତ, ସାମାଜିକ ଏବଂ ସାଂସ୍କୃତିକ ସଂସ୍କାରର ଆବଶ୍ୟକତାକୁ ଦର୍ଶାଏ । ଆମକୁ ଏକ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ନିର୍ବିଶେଷରେ ସମସ୍ତ ବ୍ୟକ୍ତି ନିର୍ଯାତନା ବିପଦରୁ କିପରି ମୁକ୍ତି ପାଇବେ ତାହା ନିଶ୍ଚିତ କରିବା ଜରୁରୀ ।
(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)