ଇନାଡୁ ସମ୍ପାଦକୀୟ
ଲେଖକ- ଡ. ରଙ୍ଗାନାୟକୁଲୁ ପୋଟ୍ଟୁରୁ
ହାଇଦ୍ରାବାଦ: ଦେଶ ପାଇଁ ଚିନ୍ତା ବଢାଇଛି ବିଶ୍ବ କ୍ଷୁଧା ସୂଚୀ ରିପୋର୍ଟ । The World Hunger Index (WHI) ରିପୋର୍ଟରେ 111ତମ ସ୍ଥାନରେ ରହିଛି ଭାରତ । ସ୍ବାଧୀନତାକୁ ବହୁ ବର୍ଷ ବିତିଯାଇଥିଲେ ବି ଭାରତ ପୃଷ୍ଟିହୀନତାରୁ ବର୍ତ୍ତିପାରିନାହିଁ । ତେବେ କୁପୋଷଣ ଦୂରୀକରଣ କରିବାରେ ଭାରତ ବିଫଳ ହୋଇଥିବା ନେଇ ମତ ପ୍ରକାଶ ପାଇଛି । ଗତ ବର୍ଷର ଏହି ସୂଚୀରେ ଭାରତ 107 ତମ ସ୍ଥାନରେ ଥିବାବେଳେ ଚଳିତ ବର୍ଷ 111ତମ ସ୍ଥାନରେ ରହିଛି । ସେହିପରି ଦକ୍ଷିଣ ଏସିଆ ଓ ଆଫ୍ରିକାର ଦକ୍ଷିଣ ଭାଗରେ କ୍ଷୁଧା ସମସ୍ୟା ଉତ୍କଟ ସ୍ଥିତିରେ ରହିଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । 2020 ମସିହାରେ ଭାରତ 94 ତମ ସ୍ଥାନରେ ରହିଥିବାବେଳେ ପରେ 101 ଏବଂ ଏହାପରେ 107ତମ ସ୍ଥାନରେ ରହିଥିଲା ।
ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତର କ୍ଷୁଧା ସମସ୍ୟା ପଡ଼ୋଶୀ ପାକିସ୍ତାନ, ବାଲାଂଦେଶ, ଶ୍ରୀଲଙ୍କା ଓ ନେପାଳଠାରୁ ଆହୁରି ଗମ୍ଭୀର ରହିଥିବା କୁହାଯାଇଛି । ଏହି ସୂଚୀରେ ପାକିସ୍ତାନ ୧୦୨ତମ, ବାଲାଂଦେଶ ୮୧, ନେପାଳ ୬୯ ଏବଂ ଶ୍ରୀଲଙ୍କା ୬୦ ତମ ସ୍ଥାନରେ ଅଛି । ହେଲେ ୧୧୧ ତମ ସ୍ଥାନରେ ଥିବାବେଳେ ଏହାକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର । ଗତବର୍ଷ ମଧ୍ୟ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଏହି କ୍ଷୁଧା ସୂଚୀ ରିପୋର୍ଟକୁ ଖଣ୍ଡନ କରିଥିଲେ । ତ୍ରୁଟିପୂର୍ଣ୍ଣ ଉପାୟରେ ଦେଶ ଗୁଡିକର କ୍ଷୁଧା ସ୍ଥିତିର ସମୀକ୍ଷା କରାଯାଉଥିବା ସରକାରଙ୍କ ତରଫରୁ କୁହାଯାଇଛି । ତେବେ ଜଳବାୟୁ ପରିବର୍ତ୍ତନ, କୋଭିଡ, ଅର୍ଥନୈତିକ ସଙ୍କଟ, ୟୁକ୍ରେନ ଯୁଦ୍ଧକୁ ବିଚାରକୁ ନେଇ ବିଶ୍ବ କ୍ଷୁଧା ସୂଚୀର ଆକଳନ କରାଯାଇଛି । ଏହି ସବୁ ସମସ୍ୟା ଯୋଗୁ ବିଶ୍ବରେ ଖାଦ୍ୟ, ଇନ୍ଧନ ଓ ସାର ଦର ବୃଦ୍ଧି ପାଇଛି । ସେପଟେ ୧୨୫ ଦେଶକୁ ନେଇ କରାଯାଇଥିବା ସର୍ଭେରେ ଭାରତ ୧୧୧ତମ ସ୍ଥାନରେ ରହିବା ଚିନ୍ତାଜନକ ବିଷୟ ପାଲଟିଛି ।
ରିପୋର୍ଟ ଅନୁସାରେ ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନରେ ରହିଛି ଖାଦ୍ୟ ସମସ୍ୟା । ନିକଟରେ କେନ୍ଦ୍ର ବିଜ୍ଞାନ ଏବଂ ପରିବେଶ(Centre For Science and Environment) ରିପୋର୍ଟ ମୁତାବକ ବାର୍ଷିକ 71% ଭାରତୀୟ କ୍ଷୁଧା ସମସ୍ୟା ଦେଇ ଗତି କରିଥାନ୍ତି । 68% ପିଲାଙ୍କର ପୃଷ୍ଟିହୀନତା ଜନିତ ମୃତ୍ୟୁ ହୋଇଛି । ମୁଖ୍ୟତଃ ୫ବର୍ଷରୁ କମ୍ ବୟସର ପିଲା ଏହି ପୃଷ୍ଟିହୀନତାର ଶୀକାର ହେଉଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ନୀତି ଆୟୋଗ ( NITI Aayog) ରିପୋର୍ଟ ମୁତାବକ, ଦେଶର ପ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରେ ପୃଷ୍ଟିହୀନତା । ଅଧିକାଂଶ ଶିଶୁ କୁପୋଷଣର ଶିକାର ହେଉଥିବାରୁ ନିୟମିତ ସ୍ତନ୍ୟପାନ ଦ୍ବାରା ଏହା ଦୂର ହୋଇପାରିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିଲା ।
ଖାଲି ସେତିକି ନୁହେଁ, ଭାରତରେ ଖାଦ୍ୟାଭାବରୁ 18.7% ପିଲାମାନଙ୍କ ଓଜନ ହ୍ରାସ ହେଉଥିବା ଜଣାପଡିଛି । The National Family Health Survey (NFHS) ଅନୁସାରେ, 35 ପ୍ରତିଶତରୁ ଅଧିକ ପିଲା ଏହି ବର୍ଗରେ ଅନ୍ତର୍ଭୁକ୍ତ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ସମୃଦ୍ଧ ଭାରତ'ର ଘୋଷଣା କରୁଥିବାବେଳେ କ୍ଷୁଧା ଦୂରୀକରଣ ଯୋଜନା ଫେଲ୍ ମାରିଥିବା ଏହି ରିପୋର୍ଟରୁ ଜଣାପଡୁଛି ।
ଦେଶକୁ ସୁସ୍ଥ ତଥା ସମୃଦ୍ଧ ଭାବେ ଗଢି ତୋଳିବାକୁ ହେଲେ ପ୍ରଥମେ କ୍ଷୁଧା ନିବାରଣ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ଯେଉଁଥିପାଇଁ ଖାଦ୍ୟାଭାବ ଦୂର କରିବାକୁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କରାଯିବାର ଆବଶ୍ୟକତା ଥିବାବେଳେ ଏହାର ସଠିକ ବିନିଯୋଗ ଉପରେ ଗୁରୁତ୍ବାରୋପ କରାଯିବା ନେଇ ମତ ପ୍ରକାଶ ପାଇଛି । କାରଣ ଦୁର୍ନୀତିଗ୍ରସ୍ତ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ପାଇଁ ଅନେକ ସମୟରେ ଯୋଜନାର ବାଟମାରଣା ହେଉଛି । ହିତାଧିକାରୀ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏହିଭଳି ଉତ୍କଟ ସ୍ଥିତି ଲାଗି ରହିଲେ ତାହା ଦେଶର ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲିଦେବ । ଏଥିପ୍ରତି ସରକାର ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି ।