ନୂଆଦିଲ୍ଲୀ: ସମ୍ପ୍ରତି ସାରା ବିଶ୍ବରେ ଇଣ୍ଟରନେଟରେ ହେଉଛି ବହୁଳ ବ୍ୟବହାର । ଯୁବପିଢିଙ୍କଠାରୁ ବୟୋଜ୍ୟେଷ୍ଠ ସମସ୍ତେ ମନୋରଞ୍ଜନଠାରୁ ଆରମ୍ଭ କରି ପ୍ରତ୍ୟେକଟି କାର୍ଯ୍ୟ ପାଇଁ ନିଜ ସ୍ମାର୍ଟଫୋନର ବହୁଳ ବ୍ୟବହାର କରୁଛନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଛି । ସୋସିଆଲ ମିଡ଼ିଆକୁ ଅନେକ ବୃତ୍ତି ଭାବେ ମଧ୍ୟ ଆପଣେଇଛନ୍ତି । ତେବେ ଆମେରିକା କାଲିଫର୍ଣ୍ଣିଆର ଜଣେ ଯୁବ ୟୁଟ୍ୟୁବର ରାତାରାତି ପାଇଛନ୍ତି ସଫଳତା । ସେ ମାତ୍ର ୪୫ ସେକେଣ୍ଡରେ ୧ କୋଟି ୭୫ ଲକ୍ଷ ରୋଜଗାର କରିଥିବା ଜଣାପଡ଼ିଛି ।
ଏହି ୟୁଟ୍ୟୁବର ଜଣେ ଆମେରିକୀୟ ନାଗରିକ ହୋଇଥିବା ବେଳେ ତାଙ୍କ ନାଁ ଜୋନାଥନ ମା(Jonathan Ma) ବୋଲି ଜଣାପଡ଼ିଛି । ସେ ନିଜର ଫିଲ୍ମ ନିର୍ଦ୍ଦେଶକ ହେବାର ସ୍ବପ୍ନକୁ ଛାଡି଼ ପ୍ରଥମେ ଫେସବୁକ ଓ ଗୁଗଲ୍ରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଏହାସହ ତାଙ୍କର 'Joma Tech' ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ରହିଛି । ଏଥିରେ ସେ କମ୍ପ୍ୟୁଟର ପ୍ରୋଗାମିଂ, କ୍ରିପ୍ଟୋ ଓ ଟେକ୍ନୋଲୋଜି ଉପରେ ଅନେକ ଭିଡ଼ିଓ ସେୟାର କରନ୍ତି । ୟୁଟ୍ୟୁବରେ ତାଙ୍କର ୧୬ ଲକ୍ଷ ଫଲୋୟର୍ସ ମଧ୍ୟ ରହିଛି ।
ତେବେ କିଛି ମାସ ପୂର୍ବେ ସେ NFT(Non-fungible Tokens) ମାଧ୍ୟମରେ ଏହି ରୋଜଗାର କରିପାରିଛନ୍ତି । NFT ହେଉଛି କ୍ରିପ୍ଟୋ ପରି ଏକ ଡିଜିଟାଲ ମୁଦ୍ରା । ସେ ନିଜର NFT ସଂଗ୍ରହ "Vaxxed Doggos"କୁ ରିଲିଜ କରିଥିଲେ । ଏହାପରେ ମାତ୍ର ୪୫ ସେକେଣ୍ଡ ମଧ୍ୟରେ ସେ ୧ କୋଟି ୭୫ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି । NFT ଗୁଡିକ ହେଉଛି ବ୍ଲକ୍ ଚେନ୍ ଟେକ୍ନୋଲୋଜି ବ୍ୟବହାର କରି କିଣାଯାଇଥିବା ଡିଜିଟାଲ୍ ଆଇଟମ୍ ।
ବିଶେଷକରି NFT ପ୍ଲାଟଫର୍ମରେ କ୍ରିପ୍ଟୋକରେନ୍ସି ଗୁଡିକ କିଣାବିକା ହୁଏ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୋନାଥନ NFT ସଂଗ୍ରହକୁ ବୃଦ୍ଧି କରୁଛନ୍ତି, ଯାହାଫଳରେ ସେ ଜଣେ ଚଳଚ୍ଚିତ୍ର ନିର୍ମାତା ହୋଇପାରିବେ । ସେ NFT ସଂଗ୍ରହ ପାଇଁ ଏକ ଡିସକର୍ଡ ସର୍ଭର(Discord server) ନିର୍ମାଣ କରିଛନ୍ତି ।