ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ହାତୀଘୋଡା ଗ୍ରାମରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ନିର୍ମମ ହତ୍ୟା କରାଯାଇଛି । ଯୁବକ ଜଣକ ହେଲେ ସେହି ଗ୍ରାମର ଅରୁଣ ଗୌଡ଼ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗ୍ରାମ ପୁରୁଷ ଶୂନ୍ୟ ହୋଇଯାଇଛି ।
ସୂଚନା ପ୍ରକାରେ ହାତୀଘୋଡା ଗ୍ରାମର ସନ୍ତୋଷ ଗୌଡ଼ଙ୍କ ପୁଅ ଅରୁଣ ଗୌଡ଼ ତାମିଲ ନାଡୁରେ କାମ କରୁଥିଲେ ଲକଡାଉନ ଯୋଗୁଁ ଗ୍ରାମକୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଚଉଦ ଦିନ ରହି ପାଞ୍ଚ ଦିନ ହେଲା ଘରକୁ ଫେରିଥିଲେ । ମଙ୍ଗଳବାର ଗ୍ରାମରେ ଏକ ଭୋଜିଥିଲା ସେଠାରେ ଗ୍ରାମର କିଛି ଯୁବକଙ୍କ ସହିତ ଅରୁଣଙ୍କ ବଚସା ହେବା ସହ ମାରପିଟ ମଧ୍ୟ ହୋଇଥିଲା ଅରୁଣ ଘରକୁ ଆସି ଏକ ମାରଣାସ୍ତ୍ର ଧରି ଯାଉଥିବାବେଳେ ସଙ୍ଘବଦ୍ଧ ଭାବେ ଆକ୍ରମଣ କରି ଗ୍ରାମର ଅନ୍ୟ ଯୁବକ ମାନେ ଅରୁଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି ।
ତେବେ ଅରୁଣଙ୍କୁ ହତ୍ୟା କରିବା ପରେ ପୋଲିସ ଭୟରେ ଘଟଣା ସ୍ଥଳରୁ ହତ୍ୟାକାରୀ ମାନେ ଚମ୍ପଟ ମାରିଛନ୍ତି ଓ ହାତୀଘୋଡା ଗ୍ରାମ ପୁରୁଷ ଶୂନ୍ୟ ହୋଇଯାଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ