ପେଶାୱାର: ପୁଣି ଥରେ ପାକିସ୍ତାନର ବରିଷ୍ଠ ଆର୍ମି ଅଫିସରଙ୍କ ପତ୍ନୀଙ୍କ ଦାଦାଗିରି ଦେଖିବାକୁ ମିଳିଛି । ଖ୍ୟାବେର ପଖଟୁଙ୍କୱାରେ ଏହି ଘଟଣା ଘଟିଛି । ସୋସିଆଲ ମିଡିଆରେ ଏହା ଖୁବ୍ ଭାଇରାଲ ହୋଇଛି ।
ଘଟଣା ଅନୁସାରେ ଜଣେ ସେନାର କୋଲୋନେଲଙ୍କ ପତ୍ନୀ ଗାଡି ଚଲାଇଯାଉଥିବାବେଳେ ଟ୍ରାଫିକ ରୁଲ ଭାଙ୍ଗିଥିଲେ । ଫଳରେ ତାଙ୍କୁ ଟ୍ରାଫିକରେ ମୁତୟନ ଥିବା ଜଣେ ତଳ ରାଙ୍କର ପୋଲିସ ଅଫିସର ଅଟକାଇଥିଲେ । ହେଲେ ଉକ୍ତ ଅଧିକାରୀଙ୍କ ପତ୍ନୀ ଜଣଙ୍କ ତାଙ୍କୁ ଗାଳି କରିବା ସହ ଷ୍ଟେସନ ହାଉସ ଅଫିସକୁ କଲ କରିବାକୁ କହିଥିଲେ । ଏହାସହ ସେ କହିଥିଲେ ଯେ ତାଙ୍କ ପତି ଅଫିସ ସହ କଥା ହୋଇଛନ୍ତି । ସେ ଏଠାକୁ ଆସିଲେ ସମସ୍ୟାର ସମାଧନ ହେବ ବୋଲି ସେ କହିଥିଲେ ।
ସେହିପରି ତାଙ୍କ ଗାଡିକୁ ପାର୍କିଂ କରିବାକୁ ସାଇଡକୁ ନେବା ବେଳେ ଉକ୍ତ ମହିଳା ନିଜର କିଛି ସାଥୀଙ୍କ ସହ ପୋଲିସ ଅଫିସରଙ୍କୁ ବାଧା ଦେଇଥିଲେ । ସର୍ବସାଧାରଣରେ ରାସ୍ତା ଉପରେ ସେ ଉକ୍ତ ପୋଲିସଙ୍କୁ ଗାଳି କରିଥିଲେ । ତେବେ ପୂର୍ବରୁ ମେ 20ରେ ସମାନ ଜାଗାରେ ସମାନ ଘଟଣା ଘଟିଥିଲା । ଜଣେ କୋଲୋନେଲଙ୍କ ପତ୍ନୀ ଗାଡିରେ ଯିବାବେଳେ ସାମନାରେ ଥିବା ବ୍ୟାରିକେଡ ହଟାଇବାକୁ କହିଥିଲେ । ସେଠାରେ ଉପସ୍ଥିତ ଥିବା ଟ୍ରାଫିକ ପୋଲିସକୁ ସେ ଏହି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସେ ନିଜେ ଗାଡିରୁ ବାହାରି ଆସି ବ୍ୟାରିକେଡକୁ ଫିଙ୍ଗି ଦେଇଥିଲେ । ଏହାପରେ ଏହି ଭିଡିଓ ଭାଇରାଲ ହେବା ପରେ ଟ୍ବିଟରରେ ହ୍ୟାସଟାଗ୍ କୋଲୋନେଲକିବିବି ମେ 21ରେ ଟପ୍ ଟ୍ରେଣ୍ଡ କରିଥିଲା ।