ହାଇଦ୍ରାବାଦ: ଆମେରିକା ଆକାଶରେ ପୁଣି ଦେଖିବାକୁ ମିଳିଛି ସନ୍ଦିଗ୍ଧ ବସ୍ତୁ । ଗତକାଲି (ଶୁକ୍ରବାର) ଆଲାସ୍କା ଆକାଶରେ ପ୍ରାୟ 40 ହଜାର ଫୁଟ ଉଚ୍ଚତାରେ ଦୃଶ୍ୟମାନ ହୋଇଥିବା ଏହି ସନ୍ଦିଗ୍ଧ ବସ୍ତୁକୁ ରକେଟ ମାଡ କରି ନଷ୍ଟ କରିଛି ଆମେରିକା ବାୟୁସେନାର ଏକ ଲଢୁଆ ବିମାନ । ଚୀନର ଗୁଇନ୍ଦା ବେଲୁନକୁ ନେଇ ଆମେରିକା ଓ ଚୀନ ମଧ୍ୟର ଉତ୍ତେଜନା ହ୍ରାସ ପାଇନଥିବା ବେଳେ ମାତ୍ର ଏକ ସପ୍ତାହ ମଧ୍ୟରେ ଆମେରିକା ଆକାଶରେ ପୁଣି ଏକ ସନ୍ଦିଗ୍ଧ ବସ୍ତୁ ଠାବ ହେବା ଆମେରିକାର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତକାଲିର ଅପରେସନ ସମ୍ପର୍କରେ ହ୍ବାଇଟ ହାଉସ ପକ୍ଷରୁ ସୂଚନା ମିଳିଥିବା ବେଳେ ଏହା କେଉଁ ପ୍ରକାର ବସ୍ତୁ ଥିଲା ସେ ନେଇ କିଛି ସ୍ପଷ୍ଟ କରାଯାଇନାହିଁ ।
ଗତକାଲିର ଘଟଣା ସମ୍ପର୍କରେ ହ୍ବାଇଟ ହାଉସ ଜାତୀୟ ସୁରକ୍ଷା ପରିଷଦର ପ୍ରବକ୍ତା ଜନ କିରବି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘‘ଠାବ ହୋଇଥିବା ବସ୍ତୁ ସମ୍ପର୍କରେ ଅଧିକ କିଛି ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହା 40ହଜାର ଫୁଟ ଉପରେ ଉଡୁଥିବା ସୂଚନା ମିଳିବା ପରେ ତୁରନ୍ତ ଏହାକୁ ନଷ୍ଟ କରିବା ପାଇଁ ଅପରେସନ ଆରମ୍ଭ ହୋଇଥିଲା । କାରଣ ଏହି ଉଚ୍ଚତାରେ କୌଣସି ବସ୍ତୁ ରହିଲେ ତାହା ବେସାମରିକ ବିମାନ ଉଡାଣ ପାଇଁ ବିପଦ ସୃଷ୍ଟି କରିଥାଏ । ଘଟଣାର ଗମ୍ଭୀରତାକୁ ଦେଖି ରାଷ୍ଟ୍ରପତି ଜୋ.ବାଇଡେନ ତୁରନ୍ତ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାହାକୁ ନଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।’’
ସେ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି, ଏହା କେଉଁ ପ୍ରକାର ବସ୍ତୁ ଓ କେଉଁ ଉଦ୍ଦେଶ୍ୟରେ ବ୍ୟବହାର ହୋଇଥିଲା ସେନେଇ କୌଣସି ସ୍ପଷ୍ଟତା ଆସିନି । କିନ୍ତୁ ଗତ ସପ୍ତାହରେ ଏହା ଆଣ୍ଟାଲାଟିକ ଉପକୂଳରେ ନଷ୍ଟ କରାଯାଇଥିବା ଚୀନ ବେଲୁନ ଠାରୁ ଆକାରରେ ଖୁବ ଛୋଟ । ଗତ ସପ୍ତାହରେ ଚୀନର ସନ୍ଦିଗ୍ଧ ଗୁଇନ୍ଦା ବେଲୁନ ଆମେରିକାର କାର୍ଲିଫର୍ଣ୍ଣିଆ ଉପକୂଳ ନିକଟରେ ଠାବ ହୋଇଥିଲା । ଏହା ଏକ ଗୁଇନ୍ଦା ବେଲୁନ ହୋଇଥିବା ଆଶାଙ୍କା ବଢିବା ପରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଆମେରିକା ବାୟୁସେନାର ଲଢୁଆ ବିମାନ ଏଫ-22 ରୁ ରକେଟ ମାଡ କରାଯାଇ ଉକ୍ତ ବେଲୁନକୁ ନଷ୍ଟ କରାଯାଇଥିଲା ।
ଯାହାକୁ ନେଇ ଚୀନ ତୀବ୍ର ପ୍ରତିକ୍ରିୟାଶୀଳ ହେବା ସହ ଏହାର ଉଚିତ ଜବାବ ମିଳିବା ନେଇ ଚେତାବନୀ ଦେଇଥିଲା । କାର୍ଯ୍ୟାନୁଷ୍ଠାନ ପରେ ଫାଇଟର ପାଇଲଟଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ ଧନ୍ୟବାଦ ଦେଇଥିଲେ । ଏହି ପ୍ରସଙ୍ଗରେ ଚୀନ ଓ ଆମେରିକା ମଧ୍ୟରେ ତିକ୍ତତା ଏବେ ମଧ୍ୟ ପ୍ରଶମିତ ହୋଇନାହିଁ । ମାତ୍ର ସପ୍ତାହେ ମଧ୍ୟରେ ପୁଣି ଏକ ସନ୍ଦିଗ୍ଧ ବସ୍ତୁ ଠାବ ହେବା ଆମେରିକାର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ସତର୍କ ଘଣ୍ଟି ସଦୃଶ୍ୟ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ