ୱାଶିଂଟନ: ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣର ଅଭିଯୁକ୍ତ ତହାୱୁର ରାଣାକୁ ଭାରତ ଅଣାଯିବ । ପାକିସ୍ତାନୀ ବଂଶୋଦ୍ଭବ ତଥା କାନାଡା ବ୍ୟବସାୟୀ ତହାୱୁରକୁ ଭାରତ ପ୍ରତ୍ୟାର୍ପଣ ପାଇଁ ଆମେରିକାର ଏକ କୋର୍ଟ ଅନୁମତି ଦେଇଛନ୍ତି । ୨୦୦୮ ମୁମ୍ବାଇ ଆକ୍ରମଣ ଘଟଣାରେ ତା'ର ସମ୍ପୃକ୍ତି ଥିବା ଅଭିଯୋଗରେ ଭାରତ ସରକାରଙ୍କ ଅନୁରୋଧକ୍ରମେ ତହାୱୁର ରାଣାକୁ ଆମେରିକାରେ ଗିରଫ କରାଯାଇଥିଲା । ସେ ଜେଲରେ ସଜ୍ଜା କାଟୁଥିବା ବେଳେ ତାକୁ ଭାରତ ଆଣିବା ପାଇଁ ଆମେରିକା କାର୍ଲିଫର୍ଣ୍ଣିଆର କୋର୍ଟ ସହମତି ପ୍ରକାଶ କରିଛନ୍ତି ।
୬୨ ବର୍ଷୀୟ ତହାୱୁର ରାଣାର ପ୍ରତ୍ୟାର୍ପଣ ପାଇଁ ଭାରତ ସରକାର ୨୦୨୦ ଜୁନ ୧୦ରେ ତା'ର ଅସ୍ଥାୟୀ ଗିରଫ ଦାବି କରି ଏକ ମାମଲା ଦାୟର କରିଥିଲେ । ବାଇଡେନ ପ୍ରଶାସନ ମଧ୍ୟ ଏହି କାନାଡା ବ୍ୟବସାୟୀ ପ୍ରତ୍ୟାର୍ପଣକୁ ସମର୍ଥନ କରିବା ସହ ଅନୁମୋଦନ ଦେଇଥିଲେ । ମେ' ୧୬ରେ ଆମେରିକା କର୍ଲିଫର୍ଣ୍ଣିଆ ଲସ୍ ଆଞ୍ଜେଲସ୍ ସ୍ଥିତ ଜିଲ୍ଲା କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ବିଚାରପତି ଜ୍ୟାକଲିନ ଚୋଲଜିଆନ ମାମଲାର ଶୁଣାଣି ସମୟରେ ସମସ୍ତ ଯୁକ୍ତି ଓ ଦଲିଲକୁ ବିଚାର କରି ମୁମ୍ବାଇ ଆତଙ୍କୀ ଆକ୍ରମଣ ଘଟଣାର ଅଭିଯୁକ୍ତ ଥିବା ଏହି କାନାଡା ବ୍ୟବସାୟୀକୁ ଭାରତ ପଠାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏ ସଂକ୍ରାନ୍ତରେ ଗତକାଲି (ବୁଧବାର) କୋର୍ଟଙ୍କ ୪୮ ପୃଷ୍ଠା ସମ୍ବଳିତ ରାୟ ପ୍ରକାଶିତ ହୋଇଛି ।
ତେବେ କୋର୍ଟରେ ଶୁଣାଣି ବେଳେ ଆମେରିକା ସରକାରର ଆଟର୍ଣ୍ଣି ଯୁକ୍ତି କରିଥିଲେ ଯେ, ତହାୱୁର ରାଣା ଭଲ ଭାବେ ଜାଣିଥିଲା କି ତାର ବାଲ୍ୟବନ୍ଧୁ ଡେଭିଡ କୋଲେମାନ ହେଡଲି ଆତଙ୍କୀ ସଂଗଠନ ଲସ୍କର ଇ ତୋଏବା ସହ କାମ କରୁଛି । ଏହାସତ୍ତ୍ବେ ସେ ଡେଭିଡକୁ ସହଯୋଗ କରିଥିଲେ ଓ ତା'ର ଅପରାଧ ଲୁଚାଇବାକୁ ଚେଷ୍ଟା କରିଥିଲେ । ରଣା ଆତଙ୍କୀ ସଂଗଠନ ସମେତ ଏହାର ସହଯୋଗୀମାନଙ୍କୁ ସମର୍ଥନ କରୁଥିଲେ ଡେଭିଡର ଆକ୍ରମଣ ଯୋଜନା ସମ୍ପର୍କରେ ମଧ୍ୟ ତାଙ୍କୁ ଜଣାଥିଲା । ତେଣୁ ତହାୱୁର ମଧ୍ୟ ମୁମ୍ବାଇ ଆତଙ୍କୀ ଆକ୍ରମଣ ଷଡଯନ୍ତ୍ରର ଏକ ଅଂଶ ଥିଲେ ବୋଲି ଦାବି କରିଥିଲେ ଆଟର୍ଣ୍ଣି ।
ପ୍ରକାଶଥାଉ କି, ପାକିସ୍ତାନର ଲସ୍କର-ଇ-ତୋଏବା ଦ୍ବାରା ୨୦୦୮ରେ ମୁମ୍ବାଇ ଘଟିଥିବା ଆତଙ୍କୀ ହାମଲାରେ ୬ ଜଣ ଆମେରିକୀୟ ନାଗରିକଙ୍କ ସମେତ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପଛରେ ପାକିସ୍ତାନୀ ବଂଶୋଦ୍ଭବ ତହାୱୁର ରାଣାର ଭୂମିକା ନେଇ ଜାତୀୟ ତଦନ୍ତକାରୀ ଏଜେନ୍ସି(NIA) ତଦନ୍ତ କରୁଛି । କୂଟନୈତିକ ଆଲୋଚନା ମାଧ୍ୟମରେ ତହାୱୁରକୁ ଏବେ ଭାରତ ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ଏନଆଇଏ କହିଛି ।