ବ୍ରାଜେଭିଲ୍ଲ: କଙ୍ଗୋ ରିପବ୍ଲିକର ରାଜଧାନୀ ବ୍ରାଜେଭିଲ୍ଲରେ ବଡ ଧରଣର ଅଘଟଣ । ଷ୍ଟାଡିୟମରେ ଅସମ୍ଭାଳ ଭିଡ ମଧ୍ୟରେ ଠେଲାପେଲା ଓ ଦଳାଚକଟାରେ ପାଖାପାଖି 37 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 140 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ନେଇ ଆଶଙ୍କା ରହିଛି । ଏନେଇ କଙ୍ଗୋ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଦିନ ଘୋଷଣା କରାଯାଇଛି ।
ସେନା ନିଯୁକ୍ତ ମେଳାରେ ଅଘଟଣ । କଙ୍ଗୋ ରିପବ୍ଲିକର ରାଜଧାନୀ ବ୍ରାଜେଭିଲ୍ଲର ଓର୍ନାନୋ ଷ୍ଟାଡିୟମରେ ସେନା ନିଯୁକ୍ତି ସମ୍ମିଳନୀ ଚାଲିଥିବା ବେଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେନାରେ ଭର୍ତ୍ତି ହେବା ପାଇଁ ଆସିଥିବା ପିଲାମାନଙ୍କ ମଧ୍ୟରେ ଠେଲାପେଲି ଓ ଦଳାଚକଟାରେ ଦେଖିବାକୁ ମିଳିଥିଲା ।ଏହି ଅଘଟଣରେ ପାଖାପାଖି 37ଜଣଙ୍କ ଜୀବନ ଯାଇଥିବା ବେଳେ ପାଖାପାଖି 140ଜଣ ଆହତ ହୋଇଛନ୍ତି । 31 ଜଣ ମୃତଦେହ ଷ୍ଟାଡିୟମ ମଧ୍ୟରୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ 6 ଜଣଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ତେବେ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ସୋମବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ତେବେ ନଭେମ୍ବର 14 ତାରିଖରୁ ଏହି ସେନା ନିଯୁକ୍ତ ମେଳା ଚାଲିଥିଲା । କଙ୍ଗୋ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଏହି ଅଘଟଣ ପରେ ସେନା ନିଯୁକ୍ତି ମେଳାକୁ ବନ୍ଦ ରଖାଯାଇଛି । ଏବଂ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ତେବେ ଏହି ମେଳାରେ 18ରୁ 25 ବୟସ ମଧ୍ୟରେ ହଜାର ହଜାର ଯୁବକ ସେନାରେ ଭର୍ତ୍ତି ହେବା ଆଶାରେ ଯୋଗ ଦେଇଥିଲେ ।
ତେବେ ସମ୍ମିଳନୀ ଆୟୋଜକଙ୍କ ସୂଚନା ଅନୁଯାୟୀ, ସେନା ନିଯୁକ୍ତି ସମ୍ମିଳନୀର ଏହା ଶେଷ ଦିନ ଥିଲା । ଯେଉଁଥିପାଇଁ ଷ୍ଟାଡିୟମରେ ଅସମ୍ଭାଳ ଭିଡ ଦେଖିଭାକୁ ମିଳିଥିଲା । ସେନାରେ ଭର୍ତ୍ତି ହେବା ପାଇଁ ରେଜିଷ୍ଟର କରିବାକୁ ହଜାର ହଜାର ଯୁବକ ଏକାଠି ହୋଇଥିଲେ । ତେବେ ସେହି ଭିଡ ମଧ୍ୟରେ କେହି ଜଣେ ଅନ୍ୟ ଜଣେ ଯୁବକଙ୍କୁ ଠେଲି ଦେଇଥିଲା । ଯେଉଁଥିପାଇଁ ଏତେ ବଡ ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି । ତେବେ ଏପର୍ଯ୍ୟନ୍ତ ଏହି ଅଘଟଣର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି । ତେବେ ଓ୍ବାର୍ଲ୍ଡ ବ୍ୟାଙ୍କର ତଥ୍ୟ ଅନୁଯାୟୀ, କଙ୍ଗୋରେ ଯୁବ ବେକାରୀ ହାର ପାଖାପାଖି 42 ପ୍ରତିଶତ ରହିଛି । ଯେଉଁଥିପାଇଁ ନିଯୁକ୍ତି ଆଶାୟୀ ଅନେକ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ