ଇସଲାମବାଦ: ପାକିସ୍ତାନରେ ଭୟଙ୍କର ସଡକ ଦୁର୍ଘଟଣା । ଡିଜେଲ ଡ୍ରମ ଲୋଡ ହୋଇଥିବା ଏକ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେବା ପରେ ବସରେ ଲାଗିଲା ନିଆଁ । 16 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ 11 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ପାକିସ୍ତାନ ପଞ୍ଜାବର ପିଣ୍ଡି ଭାଟିଆନ ଅଞ୍ଚଳରେ । ବସଟି କରାଚିରୁ ଇସଲାମାବାଦ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ।
ବସଟି 35ରୁ 40 ଜଣ ଯାତ୍ରୀଙ୍କୁ ନେଇ କରାଚିରୁ ଇସଲାମାବାଦ ଅଭିମୁଖେ ଯାଉଥିଲା । ଏହି ସମୟରେ ପଞ୍ଜାବର ପିଣ୍ଡି ଭାଟିଆନ ଅଞ୍ଚଳରେ ଡିଜେଲ ଡ୍ରମ୍ ନେଉଥିବା ଏକ ପିକଅପ୍ ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହେବା ପରେ ବସରେ ନିଆଁ ଲାଗିଯାଇଥିଲା । ଫଳରେ ବସଟି ହୁତୁହୁତୁ ହୋଇ ଜଳିଥିବା ବେଳେ 16 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଓ 11 ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଉଭୟ ଗାଡିର ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ବସରେ ନିଆଁ ଲାଗିବା ପରେ ଯାତ୍ରୀ ମାନେ ଝରକା ଭାଙ୍ଗି ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ଚକା ଫାଟିବାରୁ ଭାରସାମ୍ୟ ହରାଇ ଓଲଟିଲା ବସ, 14 ମୃତ 46 ଆହତ
ଚଳିତ ବର୍ଷ ଫେବୃଆରୀ 20 ତାରିଖରେ ପାକିସ୍ତାନରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ବାହାଘରରେ ଯୋଗ ଦେଇ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଓଲଟିଥିଲା ବସ । ମହିଳା ଓ ଶିଶୁଙ୍କ ସମେତ ମୋଟ 14 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 46 ଜଣ ଆହତ ହୋଇଥିଲେ । କାଲାର କାହାର ନିକଟ ଲାହୋର-ଇସଲାମବାଦ ମୋଟରୱେରେ ଏହି ଦୁର୍ଘଟଣା ଘଟିଥିଲା । ଯାତ୍ରୀଙ୍କୁ ନେଇ ବସଟି ବାହାଘରରୁ ଫେରୁଥିବା ବେଳେ ହଠାତ୍ ଟାୟାର ଫାଟିଯାଇଥିଲା । ଫଳରେ ଭାରସାମ୍ୟ ହରାଇ ପ୍ରଥମେ ଦୁଇଟି କାର ଓ ପରେ ଏକ ଟ୍ରକକୁ ଧକ୍କା ଦେଇଥିଲା ବସ । ଏହାପରେ ବସଟି ରାସ୍ତା କଡକୁ ଓଲଟି ପଡିବାରୁ 14 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଓ 46 ଜଣ ଆହତ ହୋଇଥିଲେ । ଫେବୃଆରୀ 8 ତାରିଖରେ ପାକିସ୍ତାନରେ ବସ-କାର ମୁହାଁମୁହିଁ ଧକ୍କା ହେବାପରେ ଖାଇକୁ ଖସିବାରୁ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଖୋଇସ୍ଥାନ ଜିଲ୍ଲାର ଖୈବର ପଖତୁନଖ୍ବାରରେ ଘଟିଥିଲା ଏଭଳି ଭୟଙ୍କର ଦୁର୍ଘଟଣା ।