ବେଲଗ୍ରେଡ: ବୁଲଗେରିଆରେ ଚାଞ୍ଚଲ୍ୟ । ଏକ ଟ୍ରକ ଭିତରୁ ୧୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବୁଲଗେରିଆର ଲୋକରସ୍କୋର ସୋଫିଆ ଗ୍ରାମରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଘଟଣା । ସମସ୍ତ ମୃତକ ପ୍ରବାସୀ ଶ୍ରମିକ ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି ।
ଏନେଇ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, "ଗତକାଲି ଅପରାହ୍ନ ୨.୧୫ମିନିଟ ସମୟରେ ପୋଲିସ ଏକ ଟ୍ରକରୁ ମୃତଦେହ ଉଦ୍ଧାର କରିଛି । ଲୋକରସ୍କୋର ସୋଫିଆ ଗ୍ରାମରୁ ଏକ ଟ୍ରକ ଭିତରୁ ପୋଲିସ ପ୍ରବାସୀ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ଟ୍ରକରେ ସମୁଦାୟ ୪୦ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ଏବଂ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।"
ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ସମସ୍ତ ଗୁରୁତରକୁ ସ୍ଥାନୀୟ ପିରୋଗୋଭ ଏବଂ ଏମଭିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନଙ୍କୁ ଯଥାଶୀଘ୍ର ଚିକିତ୍ସା ଯୋଗାଇ ଦିଆଯାଇଛି । ତେବେ କୌଣସି ଦୁର୍ଘଟଣା ନେଇ ରିପୋର୍ଟ ନଥିବା ବେଳେ ଏହାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ନେଇ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ପ୍ରବାସୀ ଶ୍ରମିକମାନଙ୍କୁ ବେଆଇନ ଭାବେ ଏକ ଟ୍ରକରେ ଚାଲାଣ କରାଯାଉଥିଲା । ତେବେ କୌଣସି କାରଣବଶତଃ ସେଥିରୁ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଏକ ସୁତ୍ରରୁ ପ୍ରକାଶ ପାଇଛି । ମୃତକ ମଧ୍ୟରେ ଜଣେ ଶିଶୁ ରହିଥିବା ବେଳେ ୫ଜଣ ଶିଶୁ ଗୁରୁତର ହୋଇଛନ୍ତି । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ବେଳେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ କେହି ମଧ୍ୟ ମହିଳା ନଥିବା କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ: Turkey Earthquake: ଅପରେସନ୍ ଦୋସ୍ତରେ ବଞ୍ଚାଇଲେ ଜୀବନ, ୧୦ଦିନ ପରେ ଫେରିଲା NDRF ଟିମ୍
ଗତବର୍ଷ ଜୁନମାସରେ ଆମେରିକାର ଦକ୍ଷିଣ ପଶ୍ଚିମ ଟେକ୍ସାସର ସେନ ଆଣ୍ଟେନିଓରୁ ଏକ ଟ୍ରକରୁ ୪୬ ଜଣକ ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ଆମେରିକାର ଇମିଗ୍ରେସମ ଓ କଷ୍ଟମ ଏନଫୋର୍ସମେଣ୍ଟ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା । ଏହି ଘଟଣାକୁ ନେଇ ଆମେରିକାର ରାଷ୍ଟ୍ରପତି ଗଭୀର ଶୋକ ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ମୃତ୍ୟୁ ସଂଖ୍ୟା ୫୧କୁ ବୃଦ୍ଧି ପାଇଥିଲା ।