ବ୍ରାଜିଲିଆ: ବିଶାଳକାୟ ଆମାଜନ ଜଙ୍ଗଲ କୋଟି କୋଟି ଏକର ପରିମିତ ଜମିରେ ବ୍ୟାପିଛି । ଏହି ଘନ ଜଙ୍ଗଲରେ ଥିବା ସବୁଠାରୁ ବଡ଼ ଗଛର ଚିହ୍ନଟ ହୋଇଛି । ତିନି ବର୍ଷର ପ୍ରୟାସ ପରେ ବୈଜ୍ଞାନିକ ଦଳ ଏହି ଗଛ ପାଇବାରେ ସଫଳ ହୋଇଛନ୍ତି । ପାଞ୍ଚଟି ଅଭିଯାନ ମାଧ୍ୟମରେ ଜଙ୍ଗଲ ମଧ୍ୟରେ ଦୁଇ ସପ୍ତାହ ଯାତ୍ରା କରିବା ପରେ ଏହି ଉଚ୍ଚତମ ଗଛର ସନ୍ଧାନ ମିଳିଛି । ବୈଜ୍ଞାନିକମାନେ ଏହି ବୃକ୍ଷକୁ ସର୍ବ ବୃହତ ବୃକ୍ଷ ବୋଲି ଦାବି କରିଛନ୍ତି ।
ଏହି ବିଶାଳକାୟ ଗଛର ଉଚ୍ଚତା 88.5 ମିଟର (290 ଫୁଟ) ରହିଥିବାବେଳେ ଏହାର ଘନତା 9.9 ମିଟର (32 ଫୁଟ) ରହିଛି । ଯାହା ଏକ 25 ମହଲା ବିଶିଷ୍ଟ କୋଠାର ଆକାର ହେବ ବୋଲି ଅନୁମାନ କରାଯାଇଛି । ଏହା ସର୍ବ ବୃହତ ଗଛ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ଉତ୍ତର ବ୍ରାଜିଲର ଇତାରାପୁର ନଦୀ ନିକଟରେ ଥିବା ଜଙ୍ଗଲ ସଂରକ୍ଷଣ ସ୍ଥାନରେ ଏହା ଗଛ ଅବସ୍ଥିତ । ଆଞ୍ଜେଲିମ ଭର୍ମେଲୋ ନାମକ ଏହି ଗଛର ବୈଜ୍ଞାନିକ ନାମ ଡିନିଜିଆ ଏକ୍ସେଲସା । ଅନୁସନ୍ଧାନକାରୀମାନେ 2019 ମସିହାରେ 3D ମ୍ୟାପିଂ ପ୍ରୋଜେକ୍ଟର ଅଂଶ ଭାବରେ ଉପଗ୍ରହ ଭିତରେ ଏକ ବିଶାଳକାୟ ଗଛକୁ ଦେଖିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ଫୁଟୁଛି ନଦୀ: ପଡିଲେ ମୃତ୍ୟୁ ସୁନିଶ୍ଚିତ
ଏହାପରେ ଶିକ୍ଷାବିତ, ପରିବେଶବିତ ଏବଂ ସ୍ଥାନୀୟ ଗାଇଡ ମିଳିତ ଭାବେ ଏକ 19 ଜଣିଆ ଟିମ ଗଠନ କରି ସେହି ଗଛ ନିକଟର ପହଞ୍ଚିବାକୁ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ସେମାନେ ଡଙ୍ଗାରେ 250 କିମି ଯାତ୍ରା କରିଥିବାବେଳେ ପାର୍ବତ୍ୟ ଜଙ୍ଗଲ ଅଞ୍ଚଳରେ 20 କିମି ପାଦରେ ଯାତ୍ରା କରିଥିଲେ । ଗଛଟି ଅତି କମରେ 400ରୁ 600 ବର୍ଷ ପୁରାତନ ହୋଇଥିବା ନେଇ ଅନୁମାନ କରାଯାଇଛି । ଅନୁସନ୍ଧାନ ସମୟରେ ଏହି ଗଛର ମୂଳ, ପତ୍ର, ମାଟି ଆଦି ସଂଗ୍ରହ କରାଯାଇଥିଲା । ତେବେ ସେହି ଅଞ୍ଚଳରେ ଆଉ କେତେ ସଂଖ୍ୟାରେ ଏଭଳି ଗଛ ରହିଛି, ସେମାନେ କେତେ ପରିମାଣର ଅଙ୍ଗାରକାମ୍ଲ ସଂରକ୍ଷଣ କରନ୍ତି ସେନେଇ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି ।